ରାଉରକେଲା,୨୯/୦୭/୨୦୨୦ (ସନ୍ଧାନ ନିଉଜ): ରାଉରକେଲା ସହରରେ ଚାଲିଛି ତାଲା ବନ୍ଦ ଅର୍ଥାତ ଲକ୍ ଡାଉନର ବେଳା । ଏହି ଲକ୍ ଡାଉନ ଯୋଗୁ ପ୍ରତ୍ୟେକ କ୍ଷେତ୍ର ଯେପରି ଶିକ୍ଷା, ସଂସ୍କୃତି, ପରିବହନ, ସଂସ୍କୃତି ଓ ପର୍ଯ୍ୟଟନ ଆଦି ବହୁଳ ଭାବରେ ପ୍ରଭାବିତ ହୋଇଛି । ଘରେ ରହିବା, ସାମାଜିକ ଦୂରତା ବଜାୟ ରଖିବା ସହ ମାସ୍କ ପିନ୍ଧି ରହିବାକୁ ପ୍ରଶାସନ ପକ୍ଷରୁ ଜନସାଧାରଣଙ୍କୁ ପରାମର୍ଶ ଦିଆଯାଉଛି । କୁନି ଶିଶୁ ରାଇଜ ଉପରେ ପଡ଼ିଛି କରେନାର କଳା ନଜର! ଅନ୍ୟପକ୍ଷେ କରୋନା କାଳରେ ବିଭିନ୍ନ ପ୍ଲେ ସ୍କୁଲ, ବିଦ୍ୟାଳୟ ଗୁଡ଼ିକ ବନ୍ଦ ରହିବା କାରଣରୁ ତାଲା ବନ୍ଦ ସମୟରେ ଘରେ ବନ୍ଦୀ ଜୀବନ କାଟୁଛନ୍ତି କୋମଳମତି କୁନି ପିଲାମାନେ । ବିଶେଷ କରି ଏମାନଙ୍କ ବୟସ ୩ରୁ ନେଇ ୮ ବର୍ଷ ମଧ୍ୟରେ । ଧନୀ ଓ ମଧ୍ୟବିତ ଶ୍ରେଣୀର ପିଲାମାନେ ଘରେ ଥିବା ସୟରେ ଟିଭିରେ କାର୍ଟୁନ ଦେଖିବା, ମୋବାଇଲରେ ଗେମ ଖେଳି ନିଜ ସମୟ ଅତିବାହିତ କରୁଥିବା ବେଳେ,ଗ୍ରାମାଂଚଳ ଓ ବସ୍ତିରେ ରହୁଥିବା ଗରିବ ପିଲାଟି ପେନସିଲ, ତୂଳୀରେ ଚିତ୍ର ଆଙ୍କି ସମୟ କାଟୁଛି । ସ୍କୁଲ ବନ୍ଦଥିବା କାରଣରୁ ସାଙ୍ଗସାଥୀଙ୍କ ମେଳ ପାଇ ପାରୁ ନାହାନ୍ତି କୋମଳମତି ଶିଶୁ ମାନେ । ଏହା ଦ୍ୱାରା ସେମାନେ ମାନସିକ ଭାବରେ ପ୍ରଭାବିତ ହେଉଛନ୍ତି । ସ୍ୱାସ୍ଥ୍ୟଗତ କାରଣରୁ ଦୃଷ୍ଟିରେ ରଖି ସଂପୃକ୍ତ ଅଭିଭାବକ(ବାପା ଓ ମା) ମାନେ ସେମାନଙ୍କ ପିଲା ମାନଙ୍କୁ ବାହାରକୁ ଛାଡ଼ିବା ପାଇଁ ଆକଟ କରୁଛନ୍ତି । ଅପରପକ୍ଷରେ ବହୁଦିନ ଧରି ଘରେ ରହିବା କାରଣରୁ କିଛି ଶିଶୁ ଚିଡ଼ଚିଡ଼ା ସ୍ୱଭାବ ଓ ଜିଦ୍ଖୋର ହୋଇ ଯାଉଥିବା ସାରନଗରୀ ଅଂଚଳର ଜଣେ ଅଭିଭାବିକା ତାଙ୍କ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି । ଲକ୍ ଡାଉନ ଯୋଗୁ ପାର୍କ ବନ୍ଦଥିବା କାରଣରୁ ଏବେ ଘର ଅଗଣା ଓ ଦାଣ୍ଡ ପିଣ୍ଡାରେ ସମୟ କାଟୁଛନ୍ତି ଏଭଳି ଶିଶୁ ମାନେ । କରୋନା କଟକଣା ଯୋଗୁ ଖେଳିବାକୁ ଖେଳ ପଡ଼ିଆ ଯିବା ମଧ୍ୟ ସମ୍ଭବ ହୋଇ ପାରୁନି । ଆଜିର ଶିଶୁ ଆଗାମୀ କାଲିର ଭବିଷ୍ୟତ ହୋଇଥିବା ବେଳେ, କରୋନା କାଳରେ ପରିବାର ପକ୍ଷରୁ ଶିଶୁ ମାନଙ୍କ ଉଭୟ ମାନସିକ ଓ ଶାରୀରିକ ଯତ୍ନ ନେବା ଅପରିହାର୍ଯ୍ୟ ବୋଲି ବୁଦ୍ଧିଜିବୀ ମହଲରେ ମତ ପ୍ରକାଶ ପାଇଛି ।
ତାଲାବନ୍ଦରେ ଘରେ କଟୁଛି ଶିଶୁଙ୍କ ଜୀବନ!
|
July 29, 2020 |