ଶିକ୍ଷାନୁଷ୍ଠାନ ନିକଟବର୍ତ୍ତୀ ଅଞ୍ଚଳକୁ ତମାଖୁ ମୁକ୍ତ କରିବା ପାଇଁ ସ୍ୱାସ୍ଥ୍ୟ ବିଭାଗ, ଅବକାରୀ ବିଭାଗ ଓ ପୋଲିସର ମିଳିତ ଚଢ଼ାଉ
ଯାଜପୁର :୨୮/୧୧/୨୬ (ସନ୍ଧାନ ନ୍ୟୁଜ) ଜିଲ୍ଲା ସ୍ୱାସ୍ଥ୍ୟ ସମିତି, ଯାଜପୁର ପକ୍ଷରୁ ଗୁରୁବାର (୨୬ ନଭେମ୍ବର ୨୦୨୬) ପୂର୍ବାହ୍ନ ୧୧ଟା ସମୟରେ ମଙ୍ଗଳପୁର ଥାନା ଅଞ୍ଚଳରେ ତମାଖୁ ନିୟନ୍ତ୍ରଣ ଆଇନର କଡ଼ାକଡ଼ି କାର୍ଯ୍ୟକାରିତା ପାଇଁ ଏକ ସ୍ୱତନ୍ତ୍ର ଚଢ଼ାଉ ଅଭିଯାନ ଅନୁଷ୍ଠିତ ହୋଇଯାଇଛି। ବିଶେଷ କରି ସ୍କୁଲ ଏବଂ କଲେଜ ପରି ଶିକ୍ଷାନୁଷ୍ଠାନଗୁଡ଼ିକର ଆଖପାଖ ଅଞ୍ଚଳରେ ଥିବା ତମାଖୁ ଦୋକାନଗୁଡ଼ିକ ଉପରେ ଏହି ମିଳିତ ଯାଞ୍ଚ କରାଯାଇଥିଲା। ଏହି ଚଢ଼ାଉ ସମୟରେ ତମାଖୁ ନିୟନ୍ତ୍ରଣ ଆଇନର ଧାରା ୪ (ସର୍ବସାଧାରଣ ସ୍ଥାନରେ ଧୂମପାନ ନିଷେଧ), ଧାରା ୬(କ) (ନାବାଳକମାନଙ୍କୁ ତମାଖୁ ବିକ୍ରି ନିଷେଧ) ଏବଂ ଧାରା ୬(ଖ) (ଶିକ୍ଷାନୁଷ୍ଠାନର ୧୦୦ ଗଜ ପରିଧି ମଧ୍ୟରେ ତମାଖୁ ବିକ୍ରି ନିଷେଧ) ଉଲ୍ଲଂଘନ କରିଥିବା ଅଭିଯୋଗରେ ମୋଟ ୩୧ଟି ଦୋକାନ ବିରୋଧରେ ଚାଲାଣ କଟାଯାଇ ଜରିମାନା ଆଦାୟ କରାଯାଇଛି। କେବଳ ଜରିମାନା ଆଦାୟ ନୁହେଁ, ବରଂ ତମାଖୁ ସେବନର ଭୟାବହତା ଏବଂ ଆଇନଗତ ନିୟମାବଳୀ ସମ୍ପର୍କରେ ଜନସାଧାରଣ ଓ ଦୋକାନୀମାନଙ୍କୁ ସଚେତନ କରିବା ପାଇଁ ଏହି ଅବସରରେ ସଚେତନତା ପତ୍ରିକା ମଧ୍ୟ ବଣ୍ଟନ କରାଯାଇଥିଲା। ଏହି ଅଭିଯାନରେ ଖାଦ୍ୟ ସୁରକ୍ଷା ଅଧିକାରୀ ଡା. ଜ୍ୟୋତି ପ୍ରକାଶ ସୋରେନ, ଯାଜପୁର ଡ୍ରଗ୍ସ ଇନ୍ସପେକ୍ଟର ଶ୍ରୀ ଆଶୁତୋଷ ବେହେରା, ଯାଜପୁର ରୋଡ୍ ଡ୍ରଗ୍ସ ଇନ୍ସପେକ୍ଟର ଶ୍ରୀ ମନୋଜ କୁମାର ସାହୁ ଏବଂ ଯାଜପୁର ଟାଉନ୍ ଅବକାରୀ ବିଭାଗର ଏକ ଟିମ୍ ସାମିଲ ହୋଇଥିଲେ। ଏହି କାର୍ଯ୍ୟକ୍ରମକୁ ସଫଳ କରିବାରେ ମଙ୍ଗଳପୁର ଥାନା ଆଇଆଇସି ଶ୍ରୀ ଭୁବନ ମୋହନ ସେଠୀ ଏବଂ ତାଙ୍କ ଟିମ୍ର ସକ୍ରିୟ ସହଯୋଗ ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ତାଙ୍କୁ ବିଶେଷ ଧନ୍ୟବାଦ ଜ୍ଞାପନ କରାଯାଇଛି।
ତମାଖୁ ନିୟନ୍ତ୍ରଣ ଆଇନ (COTPA) କଡ଼ାକଡ଼ି ଭାବେ କାର୍ଯ୍ୟକାରୀ: ମଙ୍ଗଳପୁର ଅଞ୍ଚଳରେ ୩୧ଟି ଦୋକାନରୁ ଜରିମାନା ଆଦାୟ
|
November 28, 2026 |



