ଜିନ୍ଦଲ ଷ୍ଟିଲ ପକ୍ଷରୁ  ଗଣତନ୍ତ୍ର ଦିବସ ପାଳିତ

Spread the love
ଯୋଡ଼ା/ବଡ଼ବିଲ  ୨୮/୧/୨୬  (ସନ୍ଧାନ ନ୍ୟୁଜ)  ଜିନ୍ଦଲ ଷ୍ଟିଲ ପକ୍ଷରୁ ଏହାର ସମସ୍ତ ପ୍ରତିଷ୍ଠାନ ସମେତ ବଡ଼ବିଲ ପେଲେଟ ପ୍ଲାଣ୍ଟ, କାଶିଆ ଆଇରନ ଏଣ୍ଡ ଡୋଲୋମାଇଟ୍ ମାଇନ୍ସ, ରୋଇଡ଼ା-I ମାଇନ୍ସ ଓ ଟେନ୍ସା ମାଇନ୍ସରେ ବଡ଼ ଉତ୍ସାହ, ଦେଶପ୍ରେମ ଓ ସମ୍ବିଧାନ ପ୍ରତି ଗଭୀର ପ୍ରତିବଦ୍ଧତାର ପ୍ରଦର୍ଶନ ସହ ୭୭ତମ ଗଣତନ୍ତ୍ର ଦିବସ ପାଳିତ ହୋଇଯାଇଛି।ମାନ୍ୟବର ଲୋକସଭା ସାଂସଦ ତଥା ଜିନ୍ଦଲ ଷ୍ଟିଲର ଅଧ୍ୟକ୍ଷ ଶ୍ରୀ ନବୀନ ଜିନ୍ଦଲ ଦେଶବାସୀଙ୍କୁ ଗଣତନ୍ତ୍ର ଦିବସର ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମରେ ଏକ ସ୍ୱତନ୍ତ୍ର ବାର୍ତ୍ତାରେ ସେ କହିଛନ୍ତି,  “ସମ୍ବିଧାନ କେବଳ ଏକ ଦସ୍ତାବିଜ ନୁହେଁ; ବରଂ ସମାନତା, ସ୍ୱାଧୀନତାର ଅଧିକାର ସହ ଓ ଦାୟିତ୍ୱ ନିର୍ବାହର ସଂକଳ୍ପ, ଯାହା ଆମକୁ ଜାନୁଆରୀ ୨୬ ସ୍ମରଣ କରାଉଛି। ସମ୍ବିଧାନ ଆମ ଅଧିକାରକୁ ସୁନିଶ୍ଚିତ କରିବା ସହ ଦେଶ ପ୍ରତି ଆମର କର୍ତ୍ତବ୍ୟକୁ ମଧ୍ୟ ମନେ ପକାଇଦେଉଛି। ଆମେ ଗର୍ବର ସହ ତ୍ରିରଙ୍ଗା ଉତ୍ତୋଳନ କରିବା ସମୟରେ ଗଣତନ୍ତ୍ର, ଏକତା ଓ ଦେଶ ପ୍ରତି ସମର୍ପଣଭାବକୁ ଗୁରୁତ୍ୱ ଦେବା ଜରୁରୀ। ସଚେତନ ନାଗରିକ ଭାବେ ଦେଶର ପ୍ରଗତିରେ ଅବଦାନ ଦେବା ଓ ଆମ ଜାତୀୟ ପତାକାର ସମ୍ମାନକୁ ସର୍ବଦା ଅକ୍ଷୁଣ୍ଣ ରଖିବା ପାଇଁ ଏହି ଗଣତନ୍ତ୍ର ଦିବସରେ ଆମେ ସଂକଳ୍ପ ନେବା। ବଡ଼ବିଲ ପେଲେଟ ପ୍ଲାଣ୍ଟ ଏବଂ କାଶିଆ ଆଇରନ୍ ଏଣ୍ଡ ଡୋଲୋମାଇଟ୍ ମାଇନ୍ସରେ ଜିନ୍ଦଲ ଷ୍ଟିଲର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଶ୍ରୀ ପଙ୍କଜ ମହ୍ଲାନ ଜାତୀୟ ପତାକା ଉଡ଼ାଇବା ସହ ଅଭିବାଦନ ଗ୍ରହଣ କରିଥିଲେ। ଏହି ଅବସରରେ ସେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇବା ସହ ନିଜ ଅଭିଭାଷଣରେ ରାଷ୍ଟ୍ର ନିର୍ମାଣରେ ଜିନ୍ଦଲ ଷ୍ଟିଲର ନିରନ୍ତର ଅବଦାନ ସମ୍ପର୍କରେ ବର୍ଣ୍ଣନା କରିଥିଲେ। ରାଷ୍ଟ୍ର ନିର୍ମାଣରେ ନିରନ୍ତର ବିକାଶ ଓ ଗୋଷ୍ଠୀ ସଶକ୍ତୀକରଣର ପ୍ରମୁଖ ଭୂମିକା ରହିଛି। ଏହାକୁ ହାସଲ କରିବା ପାଇଁ ସମସ୍ତଙ୍କୁ ଉଦ୍ୟମ କରିବା ପାଇଁ ସେ କହିଥିଲେ। ଶ୍ରୀ ନବୀନ ଜିନ୍ଦଲ ଓ ଜିନ୍ଦଲ ଷ୍ଟିଲର ସାମାଜିକ ସଂସ୍ଥା ଜିନ୍ଦଲ ଫାଉଣ୍ଡେସନର ଅଧ୍ୟକ୍ଷା ଶ୍ରୀମତୀ ଶାଲୁ ଜିନ୍ଦଲଙ୍କ ଦୂରଦର୍ଶୀ ନେତୃତ୍ୱରେ ଜିନ୍ଦଲ ଫାଉଣ୍ଡେସନ ପାରିପାର୍ଶ୍ୱିକ ଅଞ୍ଚଳ ଓ ଏଠାକାର ବାସିନ୍ଦାଙ୍କ ଜୀବନରେ ଉଲ୍ଲେଖନୀୟ ପରିବର୍ତ୍ତନ ଆଣିଛି। ଜିନ୍ଦଲ ଫାଉଣ୍ଡେସନ ୧.୫ କୋଟି ଲୋକଙ୍କ ଜୀବନରେ ରୂପାନ୍ତର ଆଣିଥିବା ବେଳେ ୨୦୩୦ ସୁଦ୍ଧା ୫ କୋଟି ଲୋକଙ୍କ ଜୀବନରେ ସକରାତ୍ମକ ପରିବର୍ତ୍ତନ ଆଣିବ ବୋଲି ଶ୍ରୀ ମହ୍ଲାନ କହିଥିଲେ।  ଏହି ଅବସରରେ ପେଲେଟ ପ୍ଲାଣ୍ଟର ପ୍ରତିଷ୍ଠା ଓ ପରିଚାଳନା ପାଇଁ ସର୍ବଦା ସହଯୋଗ ଓ ସମର୍ଥନ କରିଆସିଥିବା ଗ୍ରାମବାସୀଙ୍କୁ ଜିନ୍ଦଲ ଷ୍ଟିଲ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା।ଗଣତନ୍ତ୍ର ଦିବସ ସମାରୋହରେ ଜିନ୍ଦଲ ଷ୍ଟିଲର ବିକେଟିଆର-କ୍ଳଷ୍ଟର ହେଡ୍ ଶ୍ରୀ ପ୍ରମୋଦ କୁମାର ପାତ୍ର, ପେଲେଟ ପ୍ଲାଣ୍ଟ ହେଡ୍ ଶ୍ରୀ ସତୀଶ ସିନ୍ଦୁରିଆ, ଏଚଆର ଏଣ୍ଡ ଇଏସ ହେଡ- ବିକେଟିଆର୍ ଶ୍ରୀ ବିପିନ ବିହାରୀ ପ୍ରଧାନଙ୍କ ସମେତ ବରିଷ୍ଠ ଅଧିକାରୀ, କର୍ମଚାରୀ, ପରିବାର ସଦସ୍ୟଙ୍କ ସମେତ ପାରିପାର୍ଶ୍ୱିକ ଗ୍ରାମର ବାସିନ୍ଦା ଓ ସ୍ଥାନୀୟ ଅଞ୍ଚଳର ସମାଜସେବୀ ଉପସ୍ଥିତ ଥିଲେ।ସେହିପରି ଜିନ୍ଦଲ ଷ୍ଟିଲର ଟେନ୍ସା ମାଇନ୍ସରେ ମଧ୍ୟ ମହାସମାରୋହରେ ଗଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ମାଇନ୍ସ ମ୍ୟାନେଜର ଶ୍ରୀ ଭରଦ୍ୱାଜ ରାଉତ ଜାତୀୟ ପତାକା ଉଡ଼ାଇବା ସହ ଅଭିବାଦନ ଗ୍ରହଣ କରିଥିଲେ। ଅଧିକାରୀ, କର୍ମଚାରୀ, ସେମାନଙ୍କ ପରିବାର ସଦସ୍ୟଙ୍କ ସମେତ ସ୍ଥାନୀୟ ଗ୍ରାମାଞ୍ଚଳର ଶତାଧିକ ବ୍ୟକ୍ତି ଏହି ଉତ୍ସବରେ ସାମିଲ ହୋଇଥିଲେ।

Related Posts

About The Author

Add Comment