ଚଳିତ ବର୍ଷ କରୋନା ଯୋଗୁଁ କାଉଡ଼ିଆଙ୍କ ଜଳଲାଗି ବନ୍ଦ

Spread the love

ବାଲିଗୁଡା, ୦୫/୦୭/୨୦ (ସନ୍ଧାନ ନିଉଜ) : ଚଳିତ ବର୍ଷ ବୋଲବମ ଭକ୍ତଙ୍କୁ ଶ୍ରାବଣ ମାସରେ ଜଳଲାଗି କରିବା ପାଇଁ ଶୌବପୀଠକୁ ବାରଣ କରାଯାଇଛି। ପ୍ରତ୍ୟେକ ବର୍ଷ କାଉଡ଼ିଆ ମାନେ ଶ୍ରାବଣ ମାସରେ ଜଳଭାର ଧରି ଶିବ ମନ୍ଦିରକୁ ଯାଇଥାନ୍ତି। କୋଭିଡ଼-୧୯କୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏହି ଧାର୍ମିକ କାର୍ଯ୍ୟ ଉପରେ ରୋକ୍ ଲଗାଇଛନ୍ତି। ଏ ନେଇ ଶନବାର ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ତେବେ ବର୍ତ୍ତମାନର କରୋନା ପରିସ୍ଥିତିକୁ ଦୃଷ୍ଟିରେ ରଖି କାଉଡ଼ିଆ ଭକ୍ତ ମାନଙ୍କୁ ବିଭିନ୍ନ ନଦୀରୁ ଜଳ ଭାର ନେଇ ଶୌବ ପୀଠକୁ ଜଳଲାଗି କରିବା ଉପରେ ରୋକ ଲଗାଯାଇଛି। ସ୍ଥାନୀୟ ବାଲିଗୁଡା ସହର ସମେତ ଆଖ ପାଖ ବିଭିନ୍ନ ଗ୍ରାମାଞ୍ଚଳରୁ ପ୍ରତ୍ୟେକ ବର୍ଷ ପ୍ରାୟ ଶତାଧିକ ବୋଲବମ କମିଟି ପକ୍ଷରୁ ୧୦ ହଜାରରୁ ଉର୍ଦ୍ଧ୍ୱ କାଉଡ଼ିଆ ବିଭିନ୍ନ ପବିତ୍ର ନଦୀରୁ ପାଣି ଭାର ନେଇ ବିଭିନ୍ନ ଶୈବ ପୀଠରେ ଜଳାଭିଷେକ କରୁଥିଲେ। ତେବେ ଚଳିତ ବର୍ଷ ମହାମାରୀ କରୋନା ଭୁତାଣୁ ସଂକ୍ରମଣ କାୟା ବିସ୍ତାର କରିଥିବାରୁ କାଉଡିଆ ଭକ୍ତ ମାନଙ୍କୁ ବାରଣ କରାଯାଇଛି। ଜଳଲାଗି ନକରିବା ନେଇ କାଉନିଆଙ୍କ ମନରେ ଯେତିକି କଷ୍ଟ ତା’ ଠାରୁ ଯଥେଷ୍ଟ ପରିମାଣରେ ଖୁସି ଯେ, କରୋନାକୁ ମୁକାବିଲା କରିବା ଲାଗି ପ୍ରଶାସନର ଉଦ୍ୟମ ପ୍ରଂଶସନୀୟ ବୋଲି ସ୍ଥାନୀୟ ଅଂଚଳର କିଛି କାଉଡ଼ିଆ ଭକ୍ତ କହିଛନ୍ତି। ଏଥି ସହ ଅଞ୍ଚଳର ସମସ୍ତ ଶୌବପୀଠ ମନ୍ଦିର କମିଟି ମାନଙ୍କୁ ଏ ନେଇ ଚିଠି ମାଧ୍ୟମରେ ସୂଚନା ପ୍ରଦାନ କରାଯାଇଛି। ଏହାକୁ ଅବମାନନା କରି କୌଣସି କାଉଡ଼ିଆ ଭକ୍ତ ଜଳଲାଗି କଲେ ସଂପୃକ୍ତ କାଉଡ଼ିଆ ଭକ୍ତ ଓ ମନ୍ଦିର ପୂଜକ ବିରୋଧରେ ଆଇନଗତ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି।

Related Posts

About The Author

Add Comment