ଭୁବନେଶ୍ୱର,୧୩/୯ (ସନ୍ଧାନ ନିୟୁଜ) : ବିଧାନସଭା ବାହାରେ ଶାସକ ଦଳ ବିଧାୟକ ଦାମୋଦର ରାଉତ ଚାରା ଦୁର୍ନୀତି କଥା ଉଠାଇ ସରକାରଙ୍କୁ ଅଡ଼ୁଆରେ ପକାଇଥିଲେ। ସେହି ଦୁର୍ନୀତି ଆଜି ବିଧାନସଭା ଭିତରେ ଝଡ଼ ରୂପ ରୂପ ନେଇଥିଲା। ଝଡ଼ର ବେଗ ଏତେ ପ୍ରଖର ଥିଲା ଯେ ପ୍ରଥମାର୍ଦ୍ଧ ଅଚଳ ହୋଇଗଲା। ଲଗାତର ଷଷ୍ଠ ଦିନ ପାଇଁ ପ୍ରଶ୍ନକାଳ ଉଡ଼ିଗଲା। ଝଡ଼ ସାମ୍ନାରେ ଶୂନ୍ୟକାଳ, ମୁଲତବୀ ଆଲୋଚନା ସବୁ ନିଷ୍ପ୍ରଭ ହୋଇଗଲା। ମାତ୍ର ୬ ମିନିଟ୍ରେ ସୀମିତ ରହିଲା ପ୍ରଥମାର୍ଦ୍ଧ।
ଆଜି ପ୍ରଶ୍ନକାଳ ଆରମ୍ଭ ହେଲା ମାତ୍ରେ କଂଗ୍ରେସ ସଭ୍ୟମାନେ ଠିଆ ହୋଇପଡ଼ିଲେ। କୃଷି ବିଭାଗର ଚାରା ଦୁର୍ନୀତି ସାଂଘାତିକ ବୋଲି ଆରୋପ ଲଗାଇଥିଲେ। ଆଖି ପିଛୁଳାକେ ସେମାନେ ଗୃହର ମଧ୍ୟ ଭାଗକୁ ମାଡ଼ି ଆସିଲେ। ବିଜେପି ସଭ୍ୟ ବି ମଧ୍ୟ ଭାଗକୁ ଆସିଗଲେ। ଚାରା ଦୁର୍ନୀତିରେ କୃଷି ମନ୍ତ୍ରୀ ଗୃହରେ ଉତ୍ତର ରଖନ୍ତୁ ବୋଲି କଂଗ୍ରେସ ସଭ୍ୟ ଦାବି କରିଥିଲେ। ଓମ୍ଫେଡ୍ ଓ ସମବାୟ ସ୍କାମ୍ କଥା ଉଠାଇ ବିଜେପି ସଭ୍ୟ ନାରାବାଜି କରିଥିଲେ। ମାତ୍ର ଗୋଟିଏ ମିନିଟ୍ରେ ବାଚସ୍ପତି ଗୃହକୁ ୧୧ଟା ୩୦ ଯାଏ ମୁଲତବୀ ରଖିଲେ।