କଲ୍‌ମାର ସବୁ ଗେଟ୍‌ ଖୋଲା, ତଥାପି ହୀରାକୁଦ ଶୁଖିଲା

Spread the love

ସମ୍ବଲପୁର 1/7 (ସନ୍ଧାନ ନିୟୁଜ) :ଗ୍ରୀଷ୍ମଦିନେ ଛତିଶଗଡ଼ କଲ୍‌ମା ବ୍ୟାରେଜର ସବୁ ଗେଟ୍‌ ବନ୍ଦ କରିଥିଲା। ବର୍ଷା ସମୟ ଆସିବା ପରେ ଗତ ବର୍ଷ ଭଳି ଏଥର ବି ଛତିଶଗଡ଼ ସରକାର କଲ୍‌ମା ବ୍ୟାରେଜ୍‌ର ସମସ୍ତ ୬୬ଟି ଗେଟ୍‌ ଖୋଲି ଦେଇଛନ୍ତି। ଶିଳ୍ପାନୁଷ୍ଠାନଗୁଡ଼ିକ ଖରାଦିନେ କଲ୍‌ମା ବ୍ୟାରେଜର ପାଣି ଟାଣି ନେଇଥିବା କାରଣରୁ ମହାନଦୀରେ ଏବେ ଖୁବ୍‌ କମ୍‌ ପରିମାଣର ପାଣି ଆସୁଛି। ଶନିବାର ହୀରାକୁଦ ଜଳଭଣ୍ଡାରକୁ ହାରାହାରି ୩୯୦୬ କ୍ୟୁସେକ ପାଣି ପ୍ରବେଶ କରୁଥିବା ଜଣାପଡ଼ିଛି।

ଓଡ଼ିଶାକୁ ମହାନଦୀର ପ୍ରବେଶସ୍ଥଳଠାରୁ ଅଳ୍ପ କିଛି ଦୂରରେ ଛତିଶଗଡ଼ ସୀମାରେ ରହିଛି କଲ୍‌ମା ବ୍ୟାରେଜ୍‌। ପ୍ରାୟ ୧ କିଲୋମିଟର ୯୮ ମିଟର ଦୈର୍ଘ୍ୟ ବିଶିଷ୍ଟ ଏହି ବ୍ୟାରେଜ ନିର୍ମାଣରେ ୧୮୨.୦୩ କୋଟି ଟଙ୍କା ଖର୍ଚ ହୋଇଛି। ୫୦.୩୯ ଏମ୍‌ସିଏମ୍‌ ଜଳଧାରଣ କ୍ଷମତା ବିଶିଷ୍ଟଏହି ବ୍ୟାରେଜରୁ ୮ଟି ଶିଳ୍ପାନୁଷ୍ଠାନକୁ ପାଣି ଯୋଗାଇବାକୁ ଚୁକ୍ତି ହୋଇଛି। ଏହି ବ୍ୟାରେଜରେ ରହିଛି ୬୬ଟି ଗେଟ୍‌। କଲ୍‌ମା ଉପରେ ଛତିଶଗଡ଼ ସରକାର ଆହୁରି ୫ଟି ବ୍ୟାରେଜ ନିର୍ମାଣ କରି ମହାନଦୀ ପାଣିକୁ ଅଟକାଇ ରଖୁଛନ୍ତି। ଶିଳ୍ପାନୁଷ୍ଠାନ ଅର୍ଥରେ ଏସବୁ ବ୍ୟାରେଜ ନିର୍ମାଣ କରିଥିବାରୁ ସେଠାରୁ କାରଖାନା ପାଇଁ ପାଣି ଯୋଗାଉଛନ୍ତି। ବର୍ଷା ଦିନେ ବ୍ୟାରେଜରେ ପାଣି ଅଟକାଇ ରଖିଲେ ବନ୍ୟା ହେବା ଆଶଙ୍କା ରହିଛି। ତେଣୁ ଜୁନ୍‌ ମାସର ଶେଷ ଆଡ଼କୁ ଗେଟ୍‌ ଖୋଲିବା ଆରମ୍ଭ କରିଥାନ୍ତି। ୨୦୧୭ ମସହାରେ ଜୁନ୍‌ ୨୭ ତାରିଖ ଦିନ କଲ୍‌ମାର ୬୬ଟି ଗେଟ୍‌ରୁ ଏକ ସଂଗରେ ୭ଟି ଗେଟ୍‌ ଦେଇ ୧୪ ଶହ କ୍ୟୁସେକ୍‌ ଜଳ ନିଷ୍କାସନ କରିିଥିଲେ। ବର୍ଷା ହେବା ପରେ ସବୁ ଗେଟ୍‌ ଖୋଲି ଦେଇଥିଲେ। ଚଳିତ ବର୍ଷ ୩୦ ଜୁନ୍‌ ସକାଳ ସୁଦ୍ଧା ସବୁ ଗେଟ୍‌ ଖୋଲି ଦେଇଛନ୍ତି। ହେଲେ ମହାନଦୀରେ ଖୁବ୍‌ କମ୍‌ ପାଣି ପ୍ରବାହିତ ହେଉଥିବାରୁ ଏହା ହୀରାକୁଦ ଜଳଭଣ୍ଡାର ଜଳସ୍ତର ବୃଦ୍ଧିରେ ସହାୟକ ହୋଇପାରିବ ନାହିଁ। ଶନିବାର ସନ୍ଧ୍ୟା ୬ଟାରେ ଜଳଭଣ୍ଡାର ଜଳସ୍ତର ୬୦୦.୬୭ ଫୁଟ୍‌ ରହିଛି। ଜଳଭରଣ୍ଡାରରୁ ୧୩,୭୫୧ କ୍ୟୁସେକ ଜଳ ନିଷ୍କାସିତ ହେଉଛି। ଏଥିରୁ ପାଓ୍ଵାର ଚାନେଲରେ ୮୬୨୯ କ୍ୟୁସେକ, ବରଗଡ଼ କେନାଲରେ ୩୬୫୭ କ୍ୟୁସେକ, ଶାସନ କେନାଲରେ ୬୩୦ କ୍ୟୁସେକ ଏବଂ ସମ୍ବଲପୁର କେନାଲରେ ୬୭ କ୍ୟୁସେକ ହୀରାକୁଦରୁ ଛଡ଼ାଯାଇଛି। ଗତ ୨୪ଘଣ୍ଟା ମଧ୍ୟରେ(ସକାଳ୮ଟା ସୁଦ୍ଧା) ମାତ୍ର ୦.୫୩ ମିଳିମିଟର ବର୍ଷା ରେକର୍ଡ କରାଯାଇଛି। ଜଳ ପ୍ରବେଶଠାରୁ ଜଳ ନିଷ୍କାସନ ମାତ୍ରା ଅଧିକ ରହିଥିବାରୁ ଆଗାମୀ ଦିନରେ ହୀରାକୁଦର ଜଳସ୍ତର ଆହୁରି କମିବ। ଉପର ମୁଣ୍ଡରେ ପ୍ରବଳ ବର୍ଷା ହେଲେହିଁ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇବ ବୋଲି ହୀରାକୁଦ ନିୟନ୍ତ୍ରଣ କକ୍ଷ ସୂତ୍ରରୁ ପ୍ରକାଶ।

Related Posts

About The Author

Add Comment