ରାଉରକେଲା, ୨୨/୮ (ସନ୍ଧାନ ନିୟୁଜ/ସୁବୋଧ ନାୟକ) : ଜଣେ ସମାଜନିଷ୍ଠ କବିର କ୍ଷମତା ଥାଏ ପ୍ରକୃତି ଓ ପୃଥିବୀକୁ ପରିକ୍ରମଣ କରିବାପାଇଁ । ସେ ଅନ୍ତରସ୍ଥ କରିପାରେ ସାରା ସଂସାରର ଜାଗତିକ କ୍ରିୟା ଭୂମିକୁ । ସୁଷମା ବିମଣ୍ଡିତ ଜୀବନବୋଧକୁ କ୍ଷତାକ୍ତ କରିବାପାଇଁ ଚକ୍ରାନ୍ତୀ କର୍ପୋରେଟରର ସମସ୍ତ ପ୍ରୟାସ ସତ୍ତ୍ୱେ ଅବା ଉଇଁବ ସଲପ ଗଛର ଉହାଡ଼ୁରୁ, କୁଡ଼ିଆର ରନ୍ଧ୍ର ମଥାନରୁ ଅବା ବିପର୍ଯ୍ୟସ୍ତ ଜୀବନର ବାତାୟନରୁ । ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ ଉପଲକ୍ଷେ କଲଚରାଲ ଏକାଡ଼େମୀ ଦ୍ୱାରା ଆୟୋଜିତ ୨୮ତମ କାବ୍ୟକବିତା ଦିବସରେ ‘କବି ପ୍ରସନ୍ନ ମିଶ୍ରଙ୍କ କବିତାରେ ମାନବାଦୀ ଚିନ୍ତନ’ ଶୀର୍ଷକ ଆଲୋଚନା ଚକ୍ରରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ସାହିତ୍ୟ ଏକାଡ଼େମୀ ପୁରସ୍କାର ପ୍ରାପ୍ତ କବି ଶତୃଘ୍ନ ପାଣ୍ଡବ ବକ୍ତବ୍ୟ ରଖିଥିଲେ । ଆହୁରି କହିଲେ ଯେ, ପ୍ରଶନ୍ନ ମିଶ୍ର ଥିଲେ ଜଣେ ଦ୍ରୋହୀ କବି । ସମକାଳୀନ ଭାରତ ବର୍ଷ, ଓଡ଼ିଶା ତଥା ବିଶ୍ୱରେ ବିଘଟିତ ଆର୍ଥ-ସାମାଜିକ ସଂକଟ, ନାରୀ, ଶିଶୁ ପ୍ରତି ତାଙ୍କର ଥିଲା ଏକ ସମ୍ବେଦନଶୀଳ ମନୋଭାବ । ତାଙ୍କର ନାୟକ ସନାତନ ହୋଇଛି ତ୍ୟାଗ, ତିତିକ୍ଷା, ମାନବିକତା ତଥା ଓଡ଼ିଆ ଅସ୍ମିତାର ପ୍ରତିକ । ଉତ୍ସବର ପ୍ରାରମ୍ଭରେ କଲଚରାଲ ଏକାଡ଼େମୀର ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ଅକ୍ଷୟ ସାମଲ କାର୍ଯ୍ୟକ୍ରମ ବିଷୟରେ ସଂକ୍ଷିପ୍ତ ଦେବା ସହିତ ବିଶିଷ୍ଟ ସାମ୍ବାଦିକ ଏବଂ ସ୍ତମ୍ଭକାର ରଣଜିତ୍ ଗୁରୁଙ୍କ ଦେହାନ୍ତରେ ଏକ ଶୋକ ପ୍ରସ୍ତାବ ଆଗତ କରିଥିଲେ । ୧ ମିନିଟ୍ ନୀରବ ରହି ୰ ଗୁରୁଙ୍କୁ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯାଇଥିଲା । ଏହାପରେ ଅତିଥିମାନେ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ଫଟୋ ଚିତ୍ରରେ ପୁଷ୍ପ ପ୍ରଦାନ କରିଥିଲେ । ସଙ୍ଗୀତ ନାଟକ ଏକାଡ଼େମୀ ପୁରସ୍କାର ପ୍ରାପ୍ତା ଗାୟିକା ଶ୍ରୀମତୀ ଆଶାଲତା ଷଡ଼ଙ୍ଗୀ ଗଙ୍ଗାଧର ମେହେରଙ୍କ କବିତାକୁ ସଙ୍ଗୀତ ରୂପ ଦେଇଥିଲେ । ଏହି ସମାରୋହରେ ଅଧ୍ୟକ୍ଷତା କରିଥିଲେ ଏକାଡ଼େମୀର ସଭାପତି ଡ. ପ୍ରଭାତ ମଲ୍ଲିକ । ଡ. ମଲ୍ଲିକ ସ୍ୱାଗତ ଭାଷଣ ଦେବା ସହିତ ଅତିଥି ପରିଚୟ ପ୍ରଦାନ କରିଥିଲେ । ସ୍ୱାଭାବ କବି ଗଙ୍ଗାଧର ମେହେରଙ୍କ ସାହିତ୍ୟ କୃତି ଉପରେ ଡ. ମଲ୍ଲିକ ସମ୍ୟକ ଆଲୋଚନା କରିଥିଲେ । ଡ. ନଗେନ ଦାସ ଭିତ୍ତିପ୍ରବନ୍ଧ ଉପସ୍ଥାପନ କରିଥିଲେ । ଡ. ଦାସ ନିଜ ଆଲୋଚନାରେ କହିଲେ ଯେ, ପ୍ରସନ୍ନ ମିଶ୍ର ହେଉଛନ୍ତି କଣ୍ଟା ଓ ଫୁଲର କବି । ନଜରୁଲ୍ ଓ ରବୀନ୍ଦ୍ରନାଥଙ୍କ ଉଚ୍ଛ୍ୱାସ ଓ ଉଦ୍ଦିପ୍ତ ତରଙ୍ଗ ତାଙ୍କ କାବ୍ୟ ପ୍ରକରଣରେ ବେଶ୍ ଅନୁଭବ କରିହୁଏ । ପ୍ରେମ ଓ ବିପ୍ଳବର ଏକ ସମିଶ୍ରିତ ହେଉଛି ପ୍ରସନ୍ନ ମିଶ୍ରଙ୍କ କାବ୍ୟ ମାନସ ବୋଲି ଡ. ଦାସ କହିଥିଲେ । ମୁଖ୍ୟ ଅତିଥିଭାବେ ଯୋଗଦେଇ ରାଉରକେଲା ଇସ୍ପାତ କାରଖାନାର ମହାପରିଚାଳକ ଶ୍ରୀଯୁକ୍ତ ଅଜୟ କୁମାର ନାୟକ କହିଲେ ଯେ, ସାଂସ୍କୃତିକ ପରିବେଶ ହେତୁ ରାଉରକେଲା ହୋଇଛି ସ୍ୱପ୍ନର ସହର । କଲଚରାଲ ଏକାଡ଼େମୀ ପରି ଏକ ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ରାଉରକେଲାର ସାହିତ୍ୟ, ସଂସ୍କୃତି ତଥା କଳାକୁ ସର୍ବୋଚ୍ଚ ଶିଖରକୁ ଉଠାଇବାକୁ ଦୀର୍ଘ ବର୍ଷ ଧରି ପ୍ରୟାସ କରିଆସୁଛି । ଏହି ଅବସରରେ କବି ସ୍ୱରୂପ ମହାପାତ୍ର ଏବଂ ପରେଶ ବିଶ୍ୱାଳଙ୍କ ପୌରହିତ୍ୟର ଏକ ମନୋଜ୍ଞ କବିତା ଆସର ଅନୁଷ୍ଠିତ ହୋଇଥିଲା । ଏହାପରେ ଏକାଡ଼େମୀ ସଦସ୍ୟ ସର୍ବଶ୍ରୀ ଡା. କୃପାସିନ୍ଧୁ ନାୟକ, କୁଞ୍ଜବିହାରୀ ରାଉତ, ଅଙ୍ଗୁରବାଳା ପରିଡ଼ା, ବଳରାମ ରାଉଳ, ଅକ୍ଷୟ ସାମଲ, ଅକ୍ଷୟ ପଣ୍ଡା, ମୀନକେତନ ପଶାୟତ, ତ୍ରିନାଥ ସିଂହ, ଜଳଧର ପ୍ରଧାନ, ଆର୍ତ୍ତତ୍ରାଣ ମହାପାତ୍ର, ଅଶୋକ ରାଉତ, ସୁରେନ୍ଦ୍ର ପାଢ଼ୀ, ବିଜ୍ଞା ମହାଳିକ, ଅଭିରାମ ପ୍ରଧାନ, ସଞ୍ଜୀବ କୁମାର ଭୋଇ, କ୍ଷୀରୋଦ କୁମାର ଜେନା, ସୁନୀଲ ମହାନ୍ତି ପ୍ରମୁଖ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ଶେଷରେ କେଦାର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।
କଲଚରାଲ ଏକାଡ଼େମୀ, ରାଉରକେଲା ପରିସରରେ ୨୮ତମ କାବ୍ୟକବିତା ଦିବସ
|
August 22, 2019 |