ବାରିପଦା୦୮/୦୮/୨୦ (ସନ୍ଧାନ ନିଉଜ/ଲିଙ୍ଗରାଜ ପଣ୍ଡା) : ଅଲ୍ ଇଣ୍ଡିଆ ରୋଡ ଟ୍ରାନ୍ସପୋର୍ଟ ୱାର୍କର୍ସ ଫେଡେରେସନର ଆହ୍ବାନକ୍ରମେ ଦେଶ ବ୍ୟାପି ପାଳିତ ହେଉଥିବା ପରିବହନ ଶ୍ରମିକଙ୍କ ପ୍ରତିବାଦ ଦିବସ ଉପଲକ୍ଷେ ଓଡିଶା ମୋଟର ପରିବହନ କର୍ମଚାରୀ ସଂଘର ବାରିପଦା ଶାଖା ପକ୍ଷରୁ ସ୍ଥାନୀୟ ବାରିପଦା ବସଷ୍ଟାଣ୍ଡରେ ଆଜି ପ୍ରତିବାଦ ସହ ୧୧ ଦଫା ସମ୍ବଳିତ ଦାବି ନେଇ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଉପସ୍ଥାପିତ ଦାବିଗୁଡିକ ମଧ୍ୟରେ ମୋଟର ଯାନ ଆଇନ-୨୦୧୯ (ସଂଶୋଧନ) ପ୍ରତ୍ୟାହାର କରାଯିବା, ଶ୍ରମିକ ଆଇନର କୋଡ଼ିଫିକେସନ ବନ୍ଦ କରାଯିବା, ସଡ଼କ ପରିବହନ ନିଗମ ଆଇନ-୧୯୫୦ ଅନୁଯାୟୀ ପରିବହନ କ୍ଷେତ୍ରର ପୁନଉଦ୍ଧାର କରାଯିବା, ପରିବହନ କ୍ଷେତ୍ରକୁ ଲାଭ ଓ କ୍ଷତିରେ ବିଚାର କରା ନ ଯିବା; ଡିଜେଲ, ଚେଚିସ୍ ଓ ସୋୟାରପାଟର୍ସ ଉପରୁ ଏକ୍ସସାଇଜ୍ ଡ୍ୟୁଟି ଓ ବିକ୍ରିକର ଉଚ୍ଛେଦ କରାଯିବା; ଡିଜେଲ ଓ ପେଟ୍ରୋଲକୁ ଜିଏସଟି ଅନ୍ତର୍ଭୁକ୍ତ କରାଯିବା; ପରିବହନ ଶ୍ରମିକଙ୍କୁ ସାମାଜିକ ସୁରକ୍ଷା ଆଇନ ଅନ୍ତର୍ଭୁକ୍ତ କରାଯିବା; ଅସଂଗଠିତ ପରିବହନ ଶ୍ରମିକଙ୍କ ପାଇଁ ଜାତୀୟ ମଜୁରୀ ନୀତି ପ୍ରଣୟନ କରାଯିବା, ପ୍ରତ୍ୟେକ ପରିବହନ ଶ୍ରମିକଙ୍କୁ ମାସକୁ ସାଢେ ୭ ହଜାର ଟଙ୍କା କରି ୬ ମାସ ପର୍ଯ୍ୟନ୍ତ ଦିଆଯିବା; ପେଟ୍ରୋଲ ଡିଜେଲ ଦର ଆନ୍ତର୍ଜାତିକ ମୂଲ୍ୟକୁ ନେଇ ଧାର୍ଯ୍ୟ କରାଯିବା ଏବଂ ପରିବହନ ଶ୍ରମିକମାନଙ୍କ ପାଇଁ କଲ୍ୟାଣ ବୋର୍ଡ ଗଠନ କରାଯିବା ଆଦି ଦାବିମାନ ଅନ୍ତର୍ଭୁକ୍ତ।
ସଂଘର ସଭାପତି ରଘୁନାଥ ପଣ୍ଡାଙ୍କ ନେତୃତ୍ବରେ କୋଭିଡ ନିୟମାନୁଯାୟୀ ସାମାଜିକ ଦୂରତ୍ବ ରଖାଯାଇ ପ୍ରତିବାଦ ସଭା ଅନୁଷ୍ଠିତ ହୋଇ ଦର୍ଶାଯାଇଛି ଯେ ରାଜ୍ୟ ସରକାର ବସ ଚଳାଚଳ ପାଇଁ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ମାଲିକମାନେ ବସ ଚଳାଇଲେ ଦୈନନ୍ଦିନ କ୍ଷତି ଭରଣା ନ କରି ପାରିବାରୁ ସେମାନେ ବସ ଚଳାଇବାକୁ ଅକ୍ଷମତା ପ୍ରକାଶ କରୁଛନ୍ତି । ଫଳରେ ୮ ଶହରୁ ଊଦ୍ଧ ବସ କର୍ମଚାରୀ କାମ ନ ପାଇ ବେକାର ହୋଇ ବସି ରହିବା ସହ ଅଭାବ ଅନାଟନରେ ଦିନ ଅତିବାହିତ କରୁଛନ୍ତି । ଏ ସଂପର୍କରେ ସରକାରଙ୍କ ନିକଟରେ ବାରମ୍ବାର ଦାବି ଉପସ୍ଥାପନା କରାଯାଉଥିଲେ ମଧ୍ୟ କୌଣସି ପ୍ରତିକାର ବ୍ୟବସ୍ଥା କରାଯାଉ ନ ଥିବା ନେଇ ସଂଘର ସାଧାରଣ ସଂପାଦକ ମନୋରଂଜନ ପରିଡ଼ା, କାର୍ଯ୍ୟକାରୀ ସଭାପତି ରବି ଗୋସ୍ବାମୀ, ସଂପାଦକ ଅଶୋକ ଭଞଦେଓ ପ୍ରମୁଖଙ୍କ ସମେତ ଦାବି ଉପସ୍ଥାପନ କରିବା ସହିତ କ୍ଷୋଭ ପ୍ରକାଶ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସଂଘର ସହସାଧାରଣ ସଂପାଦକ ଅକ୍ଷୟ ଖୁଣ୍ଟିଆ, ଉପସଭାପତି ଅଶୋକ ବେହେରା, ସହସଂପାଦକ ଗଙ୍ଗାଧର ସାମଲ, ଷ୍ଟାଣ୍ଡ ସଂପାଦକ ଦାଶରଥୀ ରାଉତ, ସୁବାସ ତ୍ରିପାଠୀ, କାର୍ଯ୍ୟକାରୀ କମିଟିର ସନ୍ତୋଷ ଦାସ ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।