ଗୁଆହାଟୀ (ସନ୍ଧାନ ନିୟୁଜ) : ଭାରତର ଉତ୍ତରପୂର୍ବ ୩ ରାଜ୍ୟରେ ବନ୍ୟା ପରିସ୍ଥିତି ଜଟିଳ ରୂପ ଧାରଣ କରିଥିବାବେଳେ ବନ୍ୟାଜନିତ ମୃତ୍ୟୁସଂଖ୍ୟା ୨୩କୁ ବୃଦ୍ଧି ପାଇଛି। ଶନିବାର ଏବଂ ରବିବାର ଦୁଇ ଦିନ ମଧ୍ୟରେ ବନ୍ୟା ସ୍ରୋତରେ ଭାସି ଆସାମରେ ୫ ଜଣ ଏବଂ ମଣିପୁରରେ ଜଣଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ମୃତ୍ୟୁ ସଂଖ୍ୟା ୨୩ରେ ପହଞ୍ଚିଛି। ବ୍ରହ୍ମପୁତ୍ର ସମେତ ଆଉ କେତେକ ନଦୀର ଜଳସ୍ତର ହ୍ରାସ ପାଇଥିଲେ ମଧ୍ୟ ଆସାମରେ ପରିସ୍ଥିତି ନିୟନ୍ତ୍ରଣକୁ ଆସିନାହିଁ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି। ଆସାମର ୬ ଜିଲାରେ ୪.୫ ଲକ୍ଷ ଲୋକ ବନ୍ୟା ଜଳ ଘେରରେ ରହିଛନ୍ତି। ଅନ୍ୟ ରାଜ୍ୟରେ ପରିସ୍ଥିତି ସୁଧୁରିବାରେ ଲାଗିଛି। ତେବେ ସୋମବାର ଏବଂ ମଙ୍ଗଳବାର ପଶ୍ଚିମ ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ହରିୟାଣା, ଚଣ୍ଡିଗଡ଼, ଦିଲ୍ଲୀ ପଞ୍ଜାବ ଏବଂ ହିମାଳଚ ପ୍ରଦେଶରେ ଝଡ଼ ସହ ବର୍ଷା ହେବ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି) ପୂର୍ବାନୁମାନ କରିଛି। ଫଳରେ ଅନେକ ନଦୀର ଜଳସ୍ତର ପୁଣିଥରେ ବୃଦ୍ଧି ପାଇବାର ଆଶଙ୍କା ପ୍ରକାଶ ପାଇଛି। ଆସାମର ଜୋରହାଟ ଜିଲାର ମିନତୀଘାଟ, ଏପି ଘାଟ, କାସୀମଗଞ୍ଜ, ବଦ୍ରପୁରଘାଟଠାରେ ବ୍ରହ୍ମପୁତ ନଦୀ ଜଳସ୍ତର ବିପଦ ସଂକେତ ଉପରେ ପ୍ରବାହିତ ହେଉଛି। ଆସାମରେ ସୋମବାର ସୁଦ୍ଧା ବନ୍ୟାରେ ୧୨ ଜଣଙ୍କ ମୃତ୍ୟୁ ଘଟିଛି। ମଣିପୁରରେ ଇମ୍ଫାଲ ଘାଟିର ୫ ଜିଲା ଦେଇ ପ୍ରବାହିତ ହେଉଥିବା ୨ଟି ନଦୀର ଜଳସ୍ତର ବିପଦ ସଂକେତ ଉପରେ ପ୍ରବାହିତ ହେଉଛି। ମଣିପୁରରେ ବନ୍ୟାରେ ରବିବାର ସୁଦ୍ଧା ୮ ଜଣ ଲୋକ ପ୍ରାଣ ହରାଇଛନ୍ତି। ମଣିପୁରରେ ବନ୍ୟା ସ୍ରୋତରେ ଭାସି ୪୦୦ ପଶୁଙ୍କ ମୃତ୍ୟୁ ଘଟିଥିବା ଓ ୩,୯୪୭ ହେକ୍ଟର ଫସଲ ନଷ୍ଟ ହୋଇଥିବା ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ବିଭାଗ ପକ୍ଷରୁ ସୂଚନା ମିଳିଛି। ତ୍ରିପୁରାରେ ବନ୍ୟାସ୍ଥିତି ସୁଧୁରୁଥିଲେ ମଧ୍ୟ ୩୦୦୦ରୁ ଅଧିକ ଚାଷୀଙ୍କ ଜମିରେ ବନ୍ୟାଜଳ ପଶି ଫସଲ ନଷ୍ଟ ହୋଇଯାଇଛି। ପ୍ରାୟ ୩୨ ହଜାର ୧୭୩ ଜଣ ଲୋକ ବନ୍ୟାଶ୍ରୟ ଶିବିରରେ ଆଶ୍ରୟ ନେଇଛନ୍ତି। ମିଜୋରମରେ ୨୫ ଗ୍ରାମ ସ୍ଥିତି ବହୁତ ଖରାପ ରହିଛି। ଏହି ୨୫ ରାଜ୍ୟ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇପଡିଛନ୍ତି। ଆସାମ, ମଣିପୁର ଏବଂ ତ୍ରିପୁରା ରାଜ୍ୟ ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରେ ରିଲିଫ ଶିବିର ଖୋଲାଯାଇ ଲୋକଙ୍କ ଥଇଥାନ କରାଯାଇଛି।
ଉତ୍ତରପୂର୍ବ ରାଜ୍ୟରେ ବନ୍ୟା: ମୃତ୍ୟୁସଂଖ୍ୟା ୨୩କୁ ବୃଦ୍ଧି, ଆସାମରେ ୪ ଲକ୍ଷ ଲୋକ ପ୍ରଭାବିତ
|
June 18, 2018 |