ଭୁବନେଶ୍ବର, ୨୪/୧୦ (ସନ୍ଧାନ ନିଉଜ) : ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଲଘୁଚାପରେ ପରିଣତ ହେବା ଫଳରେ ସାରା ରାଜ୍ୟରେ ପ୍ରବଳ ବର୍ଷା ଲାଗି ରହିଛି। ରାଜ୍ୟରେ ଆସନ୍ତା ୪୮ ଘଣ୍ଟା ପର୍ୟ୍ୟନ୍ତ ଅତି ପ୍ରବଳ ବର୍ଷା ସମ୍ଭାବନାକୁ ଦେଖି ଗୁରୁବାର ୫ଟି ଜିଲ୍ଲାକୁ ପାଣିପାଗ ବଭାଗପକ୍ଷରୁ ରେଡ ଓ୍ଵାର୍ଣ୍ଣିଂ ଜାରି କରିଛି। ଏହି ଜିଲ୍ଲାଗୁଡ଼ିକ ମଧ୍ୟରେ ଢ଼େଙ୍କାନାଳ, କେନ୍ଦୁଝର, କଟକ, ଖୋର୍ଦ୍ଧା ଓ ପୁରୀ ଆଦି ରହିଛି। ଉକ୍ତ ଜିଲ୍ଲାର ବାସିନ୍ଦାଙ୍କୁ ବର୍ଷା ସମୟରେ ସତର୍କ ରହିବାକୁ ପରାମର୍ଶ ଦିଆଯିବା ସହିତ ଏହି ସମୟରେ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି।ସେହିପରି ପ୍ରବଳ ବର୍ଷା ପାଇଁ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, ଗଞ୍ଜାମ, ନୟାଗଡ଼, ଦେବଗଡ଼ ଓ ଅନୁଗୋଳ ଜିଲ୍ଲାକୁ ପାଣିପାଗ ବିଭାଗ ପକ୍ଷରୁ ଅରେଞ୍ଜ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି।ସେହିପରି ସୋନପୁର, ବଲାଙ୍ଗିର, ନବରଙ୍ଗପୁର, କୋରାପୁଟ, କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ମୟୂରଭଞ୍ଜ ଓ ଅନୁଗୁଳରେ ପ୍ରବଳ ବର୍ଷା ହୋଇପାରେ। ଆଜି ସକାଳ ୮ଟା ୩୦ ସୁଦ୍ଧା ପୁରୀରେ ସର୍ବାଧିକ ୧୬୬.୫ ମିଲିମିଟର ବର୍ଷା ରେକର୍ଡ କରାଯାଇଛି।
ଆହୁରୀ ୪୮ଘଣ୍ଟା ପ୍ରବଳ ବର୍ଷା ୫ଜିଲାକୁ ରେଡ ୱାର୍ଣ୍ଣିଂ
|
October 24, 2019 |



