ବେଙ୍ଗାଲୁରୁ30/7 (ସନ୍ଧାନ ନିୟୁଜ): ଭାରତୀୟ ଦୂରସଞ୍ଚାର ନିୟାମକ ପ୍ରାଧିକରଣ (ଟ୍ରାଇ)ର ଅଧ୍ୟକ୍ଷ ଆର୍ ଏସ୍ ଶର୍ମା ତାଙ୍କ ନିଜର ୧୨ ଅଙ୍କ ବିଶିଷ୍ଟ ଆଧାର ନମ୍ବରକୁ ଟୁଇଟର ଜରିଆରେ ସାର୍ବଜନୀନ କରି ହ୍ୟାକ୍ରମାନଙ୍କୁ ହ୍ୟାକ୍ କରିବା ପାଇଁ ଆହ୍ଵାନ ଦେବା ଘଟଣା ଏବେ ତାଙ୍କ ପାଇଁ ଏକ ଅଡୁଆଜନକ ପରିସ୍ଥିତି ସୃଷ୍ଟି କରିବା ସହ ଏକ ବିତର୍କର ସୂତ୍ରପାତ କରିଛି। ହ୍ୟାକରମାନେ ଗତକାଲି ତାଙ୍କ ଦ୍ୱାରା ପ୍ରଦତ୍ତ ଆଧାର ନମ୍ବରକୁ ବ୍ୟବହାର କରି ତାଙ୍କର ଅନେକ ବ୍ୟକ୍ତଗତ ଡାଟା ହ୍ୟାକ୍ କରି ତାକୁ ସର୍ବସାଧାରଣରେ ପ୍ରକାଶ କରିଥିଲେ। ଏହାପରେ ଆଜି ଆଉ କେତେକ ହ୍ୟାକର ଆଉପାଦେ ଆଗକୁ ଯାଇ ଟ୍ରାଇ ଅଧ୍ୟକ୍ଷ ଶର୍ମାଙ୍କ ଆଧାର ନମ୍ବରକୁ ଆଧାର ଆଧାରିତ ପେମେଣ୍ଟ ଆପ୍ ବ୍ୟବହାର କରି ତାଙ୍କ ବ୍ୟାଙ୍କ ଆକାଉଣ୍ଟରେ ୧ ଟଙ୍କା ଜମା କରିବା ସହ ଏହାର ରସିଦକୁ ଟୁଇଟରରେ ସାର୍ବଜନୀନ କରିଛନ୍ତି।
ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ ଆଧାରର ଗୋପନୀୟତା ସପକ୍ଷରେ ଯୁକ୍ତି ବାଢ଼ୁଥିବା ଟ୍ରାଇ ମୁଖ୍ୟ ଶ୍ରୀ ଶର୍ମା ଗତ ଶନିବାର ଦିନ ତାଙ୍କ ନିଜର ୧୨ ଅଙ୍କ ବିଣିଷ୍ଟ ଆଧାର ନମ୍ବର ୭୬୨୧୭୭୬୮୨୭୪୦କୁ ଟୁଇଟର ପେଜ୍ରେ ସାର୍ବଜନୀନ କରି ଆଧାର ସୁରକ୍ଷାକୁ ଲିକ୍ କରି ତାଙ୍କ ବ୍ୟକ୍ତଗତ ଡାଟା ଲିକ୍ କରିବା ପାଇଁ ହ୍ୟାକରମାନଙ୍କୁ ଚ୍ୟାଲେଞ୍ଜ ଦେଇଥିଲେ। ଏହାର କିଛି ଘଣ୍ଟା ପରେ ନିଜକୁ ଫ୍ରାନ୍ସର ସିକ୍ୟୁରିଟି ବିଶେଷଜ୍ଞ ଭାବେ ପରିଚୟ ଦେଇ ଇଲିଅଟ୍ ଆଲଡରସନ୍ ନାମକ ଜଣେ ବ୍ୟକ୍ତି ଶ୍ରୀ ଶର୍ମାଙ୍କ ଆଧାର ନମ୍ବର ବ୍ୟବହାର କରି ତାଙ୍କର ପାନ୍ ନମ୍ବର, ଇ-ମେଲ୍ ଠିକଣା, ଫୋନ୍ ନମ୍ବର ଆଦି ଟୁଇଟରରେ ପ୍ରକାଶ କରିଥିଲେ।