ଅପରାଧ ସମୀକ୍ଷା

Spread the love

ବାରିପଦା, ୨୪.୦୧.୨୦୨୧(ସନ୍ଧାନ ନିଉଜ୍/ଲିଙ୍ଗରାଜ ପଣ୍ଡା):- ଏହି ସପ୍ତାହଟି ଚଳିତ ମାସର ସବୁଠାରୁ ଅର୍କ ଅପରାଧ ପ୍ରବଣ ସପ୍ତାହଭାବେ ଅପରାଧୀଙ୍କ କାର୍ଯ୍ୟକଳାପ ଜନଜୀବନକୁ ଆତଙ୍କିତ କରି ଦେଇଛି । ନାବାଳିକାଙ୍କୁ ଦୁଷ୍କର୍ମ ଓ ମହିଳାଙ୍କୁ ଗଣବଳାତ୍କାର, ବିବାହ ପ୍ରତିଶ୍ରୁତି ଦେଇ ଯୁବତୀଙ୍କୁ ପ୍ରତାରଣା ଓ ଅପହରଣ ଭଳି ଉଗ୍ର ସମ୍ବେଦଳନଶୀଳ ଅପରାଧ ସହିତ‌ ଦିବ୍ୟାଙ୍ଗ ବୃଦ୍ଧଙ୍କ ମୃତଦେହ ସନ୍ଦେହଜନକଭାବେ ଉଦ୍ଧାର ଏବଂ ଗର୍ଭବତୀଙ୍କ ସନ୍ଦେହଜନକ ମୃତ୍ୟୁ, ପୂର୍ବ ଶତୃତାରୁ ହତ୍ୟାକାଣ୍ଡ ଆଦି ଘଟଣା ପୁଲିସ ପ୍ରଶାସନ ନିମନ୍ତେ ଆହ୍ବାନ ସୃଷ୍ଟି କରିଛି ।  ଏହି ସପ୍ତାହରେ ମହିଳାଙ୍କ ପ୍ରତି ଗଣଦୁଷ୍କର୍ମ, ନାବାଳିକା ଅପହରଣ, ଅନ୍ତଃସତ୍ବା ସ୍ତ୍ରୀଙ୍କର ସନ୍ଦେହଜନକ ମୃତ୍ୟୁ ଆଦି ଘଟଣା ପୁଲିସକୁ ନାକେଦମ କରିଥିବା ବେଳେ ଏହି ସବୁ ଘଟଣା ଜିଲାର ସାମାଜିକ କ୍ଷୁର୍ଣ୍ଣ ସାମାଜିକ ଚରିତ୍ର ପ୍ରତି ଆଙ୍ଗୁଳି ନିର୍ଦ୍ଦେଶ କରୁଛି ।‌ ମୋରଡା ଥାନା ଇଲାକାର ଜଣେ ଆଦିବାସୀ ମହିଳା ଗଣଦୁଷ୍କର୍ମର ଶିକାର ହୋଇଥିବା ନେଇ ୧୯/୨୧ ନମ୍ବରର ଏକ ମାମଲା ରୁଜୁ ହୋଇଛି । କିନ୍ତୁ ଏହି ମାମଲାର ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ଗିରଫ ହୋଇଥିବା ବେଳେ ଅନ୍ୟ ତିନି ଅଭିଯୁକ୍ତ ଗିରଫ ହୋଇ ନ ଥିବା ଏବଂ ସେମାନଙ୍କ ଦ୍ବାରା ବ୍ୟବହୃତ ଦୁଇଟି ବାଇକ ଜବତ କରାଯାଇ ନ ଥିବା ସହ ଅନ୍ୟ ଅଭିଯୁକ୍ତମାନଙ୍କୁ ଗିରଫ ଦାବିରେ ସ୍ଥାନୀୟ ମହିଳାମାନଙ୍କ ଦ୍ବାରା ଗତ ୧୯ ତାରିଖରେ ଥାନା ଘେରାଉ କରାଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଅପରାଧୀ ଗିରଫ ହୋଇ ନାହାନ୍ତି । ଅନ୍ୟ ଏକ ଘଟଣାରେ ଗୋରୁମହିଷାଣି ଥାନା ଇଲାକାରେ ଜଣେ ମହିଳାଙ୍କୁ ଗଣଦୁଷ୍କର୍ମ‌ କରାଯାଇଥିବା ଅଭିଯୋଗରେ ଦିଅର ଓ ପୁତୁରା ଗିରଫ; କୁଳିଅଣା ଅଂଚଳର ଭୋଳଗଡ଼ିଆ ଗ୍ରାମର ଜଣେ ଯୁବକ ଗତ ଦୁଇ ବର୍ଷ ହେଲା ଜନୈକ ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ଦୁଷ୍କର୍ମ କରୁଥିବା ଅଭିଯୋଗରେ ଚାନ୍ଦୁଆ ଥାନା ପୁଲିସ ଦ୍ବାରା ଗିରଫ ଏବଂ ବୈଶିଙ୍ଗା ଥାନାର ମଠସାହି ଗ୍ରାମର ଜଣେ ଯୁବକ ସେହି ଗ୍ରାମର ନାବାଳିକାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗରେ ପୁଲିସ ଦ୍ବାରା ଗିରଫ ହୋଇଛି । କିନ୍ତୁ ବଡ଼ସାହି ଥାନା ଇଲାକାର ବାଲିଯୋଡା ଗ୍ରାମର ଜଣେ ୧୭ ବର୍ଷର ନାବାଳିକାକୁ ସେହି ଗ୍ରାମ ଜନୈକ ବ୍ୟକ୍ତି ଗତ ୧୮ ତାରିଖ ସନ୍ଧ୍ୟାରେ  ଅପହରଣ କରି ନେଇଥିବା ଏବଂ ସେହି ଥାନା ଇଲାକାର ଧାନପୁତା ଗ୍ରାମର ଜଣେ ନାବାଳିକାଙ୍କର ଗତ ୧୫ ତାରିଖଠାରୁ ପତ୍ତା ମିଳୁ ନ ଥିବା ଏକ ଅପହରଣ ମାମଲା ରୁଜୁ ହୋଇଥିଲେ ମଧ୍ୟ ଉଭୟ ମାମଲାର‌ ଅଭିଯୁକ୍ତଙ୍କୁ ଠାବ କରାଯାଇ ପାରି ନ ଥିବା ପ୍ରକାଶ । ସେହିପରି ବାରିପଦା ସଦର ଥାନା ଅନ୍ତର୍ଗତ ବସନ୍ତପୁର ଗ୍ରାମର ୩୫ ବର୍ଷର ବିବାହିତା ମହିଳାଙ୍କୁ ଗଣବଳାତ୍କାର କରାଯାଇ ଥିବାର ଅଭିଯୋଗ ହୋଇଥିଲେଲସ ମଧ୍ୟ ଅଭିଯୁକ୍ତ ଧରାପଡି ନ ଥିବା ଏବଂ ଏହି ଥାନା ଇଲାକାର ଜଣେ ୧୪ ବର୍ଷ ବୟସ୍କା ନାବାଳିକାଙ୍କୁ ଅସଦାଚରଣ ଅଭିଯୋଗ ନେଇ କଦଳୀବାଡ଼ିଆ ଗ୍ରାମର ଜଣେ ଯୁବକକୁ ପୁଲିସ ଗିରଫ କରିଛି । ବିଶୋଇ ଥାନା ଭାତଛତ୍ର ଫଚାୟତର ଏକ ଗ୍ରାମର ଜଣେ ଗର୍ଭବତୀ ମହିଳାଙ୍କର ମୃତଦେହ କବାଟ ବନ୍ଦ ଥିବା ଘରୁ ଗତ ୧୬ ତାରିଖ ଉଦ୍ଧାର କରାଯାଇଥିବା ଏବଂ ଏଥିନେଇ ପତ୍ନୀଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗରେ ଅଭିଯୁକ୍ତ ସ୍ୱାମୀକୁ ଗିରଫ କରିଛି । ମହିଳାଙ୍କ ପ୍ରତି ଅସଦାଚରଣ ଘଟଣା ସାଧାରଣ ଜୀବନଯାତ୍ରାରେ ନକରାତ୍ମକ ଚାରିତ୍ରିକ ଅଭାବ ସୃଷ୍ଟି ହେବା ସହିତ ନୂତନ ପିଢି ପାଇଁ ଏହା ଏକ ମାରକ ପରିସ୍ଥିତି ସୃଷ୍ଟି କରୁଛି । ଏଣୁ ପରିବାରର ଅଭିଭାବକମାନେ ନିଜ ସନ୍ତାନସନ୍ତତିଙ୍କ କାର୍ଯ୍ୟକଳାପକୁ ଅଧିକ ନଜରରେ ରଖୁବା ସହିତ ବିଭିନ୍ନ ଶିକ୍ଷାନୁଷ୍ଠାନଗୁଡିକରେ ଚାରିତ୍ରିକ ଶିକ୍ଷାକୁ ଗୁରୁତ୍ବ ଦେବାର ଆବଶ୍ୟକତା ରହିଛି । ଏଥିସହିତ ପୁଲିସ ପ୍ରଶାସନ ମଧ୍ୟ ଏସବୁ ଘଟଣା ପ୍ରତି ହାଲୁକା ମନୋଭାବ ପ୍ରଦର୍ଶନ ନ କରି ଧରାପଡୁଥିବା ଅଭିଯୁକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି ହେଉଛି।‌ ଜିଲାର ସାଙ୍ଗଙ୍କ ଦ୍ଵାରା ସାଙ୍ଗଙ୍କୁ ହତ୍ୟା କରାଯାଇଥିବା ଦୁଇଟି ସମାନ ଘଟଣା ମଧ୍ୟରୁ ବାଙ୍ଗିରିପୋଷି ଓ ଯଶିପୁର ଥାନାରେ ଅଭିଯୋଗ ହୋଇଛି । ଏହି ଘଟଣା ମଧ୍ୟରୁ ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ସୁନାପୋଷି ଗ୍ରାମର ବିମଳ ସିଂଙ୍କୁ ଚାରି ଜଣ ସାଙ୍ଗ ଭୋଜି ଖାଇବା ବାହାନରେ ଡାକି ନେବା ହତ୍ୟା କରିଥିବା ଅଭିଯୋଗରେ ପୁଲିସ ଚାରି ଜଣ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ସକ୍ଷମ ହୋଇଛି । କିନ୍ତୁ ଯଶିପୁର ଥାନା ଇଲାକାର ଜାମୁନାଳିଆ ଗ୍ରାମର ଏକ କୂଅ ମଧ୍ୟରୁ ସୀମାନ୍ତ ଝାଡ଼ଖଣ୍ଡ ଅଂଚଳର ମଝିଗାଁରୁ ନିଖୋଜ ଥିବା ଜୟପାଲ ହେମ୍ନମଙ୍କର ଗଳିତ ଶବ ଉଦ୍ଧାର କରିଥିଲା ଏବଂ ମଝିଗାଁ ନିକଟସ୍ଥ ପାଣ୍ଡିଆ ଗ୍ରାମର ଜନୈକ ବାସିନ୍ଦା ଗତ ୧ ତାରିଖରୁ ଭୋଜି ଖାଇବା ଉଦ୍ଦେଶ୍ୟରେ ମୃତକଙ୍କୁ ତାଙ୍କ ଘରୁ ଡାକି ନେବା ପରଠାରୁ କୌଣସି ପତ୍ତା ମିଳୁ ନ ଥିଲା । ଏହି ଘଟଣାରେ ପୁଲିସ ଅଭିଯୁକ୍ତକୁ ଗିରଫ କରିବାରେ ସଫଳ ହୋଇ ପାରି ନାହିଁ । ରାଇରଙ୍ଗପୁର ଟାଉନ ଥାନାର ୨/୨୧ ନମ୍ବରର ଅପମୃତ୍ୟୁ ଅନୁଯାୟୀ ବଳଭଦ୍ରପୁର ଗ୍ରାମର ଶିବଚରଣ ମହାନ୍ତ ନାମକ ଜଣେ ଦିବ୍ୟାଙ୍ଗ ବୃଦ୍ଧ ନିଜ ଘରଠାରୁ କିଛି ଦୂରରେ ଥିବା ଏକ କୂଅରେ ପଡ଼ି ମୃତ୍ୟୁବରଣ କରିଥିବା କୁହାଯାଉଛି । କିନ୍ତୁ ତାଙ୍କର ଗୋଟିଏ ହାତ ଓ ଗୋଡ ଭଲଭାବେ କାମ କରୁ ନ ଥିବା ବେଳେ ସେ କିପରି ଧୋତି ସାହାଯ୍ୟରେ କୂଅରେ ଫାସି ଲଗାଇ ପାରିଲେ ତାହା ସନ୍ଦେହଘେରରେ‌- ରହିଛି ଏବଂ ଏହି ଘଟଣାରେ କୌଣସି ଅଭିଯୁକ୍ତ ଧରାପଡ଼ି ନାହାନ୍ତି । ଜିଲାରେ ସାଇବର ଠକେଇ ପ୍ରତିମାସ କିଛି ନା କିଛି ଘଟିଚାଲୁଥିବା ବେଳେ ଚଳିତମାସରେ ରାଇରଙ୍ଗପୁର ବ୍ୟାଙ୍କ ଅଫ୍ ଇଣ୍ଡିଆ ଏବଂ କଙ୍ଗ ଜିଆର ଭାରତୀୟ ଷ୍ଟେଟ ବ୍ୟାଙ୍କ ଶାଖାରୁ ଦୁଇ ଜଣ  ହିତାଧିକାରୀଙ୍କ ଆକାଉଣ୍ଟରୁ ଏକ ଲକ୍ଷ ୭୮ ହଜାର ଟଙ୍କା ହଡ଼ପଣୁ ହୋଇଥିବା ନେଇ ସଂପୃକ୍ତ ଥାନାରେ ମାମଲା ରୁଜୁ ହୋଇଛି । କିନ୍ତୁ ଜିଲାରେ ସାଇବର ଅପରାଧ ବେଳକୁ ବେଳ ବୃଦ୍ଧି ପାଉଥିଲେ ମଧ୍ୟ ର ଅପରାଧୀମାନଙ୍କୁ ଧରିବାରେ ରାଜ୍ୟ ପୁଲିସ ପ୍ରଶାସନ ବିଶେଷ ସକ୍ରିୟ ନ ଥିବାର ଅଭିଯୋଗ ହେଉଛି । କାରଣ ଜିଲାର ସାଇବର ଥାନା ନ ଥିବାରୁ ସାଇବର ଅପରାଧୀଙ୍କ ବିରୋଧରେ ତ୍ବରିତ ପଦକ୍ଷେପ ରେ ବିଳମ୍ବ ଘଟୁଛି ।

Related Posts

About The Author

Add Comment