ଜେନାପୁର | ୧୭/୦୭ (ସନ୍ଧାନ ନ୍ୟୁଜ):ଯାଜପୁର ଜିଲ୍ଲା ଦାନଗଦି ବ୍ଲକ ଅନ୍ତର୍ଗତ ପଙ୍କପାଳ ପଞ୍ଚାୟତର ନୀଳମଣିଦେଇପୁର ଶାସନ ଗ୍ରାମରେ ଗୁରୁବାର ସନ୍ଧ୍ୟାରେ ଘଟିଯାଇଥିବା ଏକ ଅଗ୍ନିକାଣ୍ଡ ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି। ନିମିଷକ ମଧ୍ୟରେ ଅଗ୍ନିର ଲେଲିହାନ ଶିଖା ଗ୍ରାସ କରିନେଇଛି ଦୁଇ ଭାଇଙ୍କ ସ୍ୱପ୍ନର ସଂସାର।
ସନ୍ଧ୍ୟା ପ୍ରାୟ ୫ଟା ସମୟରେ ରୋଷେଇ ଚାଲିଥିବା ବେଳେ ଅସାବଧାନତାବଶତଃ ଲାଗିଥିବା ଏହି ନିଆଁ ମୁହୂର୍ତ୍ତକ ମଧ୍ୟରେ ଦୁଇ ବଖରା ଘରକୁ ସମ୍ପୂର୍ଣ୍ଣ ଭସ୍ମୀଭୂତ କରିଦେଇଛି। ଆରତ ପେଣ୍ଠେଇଙ୍କ ଦୁଇ ପୁଅ ପ୍ରକାଶ ଓ ବିକାଶ ପେଣ୍ଠେଇ ଏହି ଦୁର୍ଘଟଣାରେ ସର୍ବସ୍ୱ ହରାଇ ଆଜି ବାସହରା ହୋଇପଡ଼ିଛନ୍ତି
ଅଗ୍ନିକାଣ୍ଡରେ ଘରେ ଥିବା ସମସ୍ତ ଆସବାବପତ୍ର, ଲୁଗାପଟା, ସଞ୍ଚିତ ନଗଦ ଅର୍ଥ ସହ ଗୋଟିଏ ଛେଳି ଜଳି ଯାଇଥିବା ଜଣାପଡ଼ିଛି। ସ୍ଥାନୀୟ ଗ୍ରାମବାସୀଙ୍କ ତତ୍ପରତା ଓ ସାହସିକ ପଦକ୍ଷେପ ଯୋଗୁଁ ନିଆଁ ଆଉ ଅଧିକ ବ୍ୟାପି ନଥିଲା। ଦମକଳ ବାହିନୀ ପହଞ୍ଚିବା ପୂର୍ବରୁ ଗ୍ରାମବାସୀମାନେ ନିଆଁକୁ ଆୟତ୍ତ. କରିଥିଲେ।।ଏହି ଦୁର୍ବିସହ ପରିସ୍ଥିତିରେ ପଡ଼ିଥିବା ଦୁଇ ଭାଇଙ୍କ ମୁଣ୍ଡ ଗୁଞ୍ଜିବା ପାଇଁ ଏବେ ଆଶ୍ରୟ ନାହିଁ। ପରିବାରର ଏଭଳି ସର୍ବସ୍ୱାନ୍ତ ଅବସ୍ଥାକୁ ଦୃଷ୍ଟିରେ ରଖି, ସ୍ଥାନୀୟ ବାସିନ୍ଦାମାନେ ସରକାରଙ୍କ ନିକଟରେ ତୁରନ୍ତ ବାସଗୃହ ଯୋଗାଇ ଦେବା ସହିତ ଆବଶ୍ୟକୀୟ ଆର୍ଥିକ ସହାୟତା ପ୍ରଦାନ ପାଇଁ ଦାବି କରିଛନ୍ତି।



