ବାଣ କାରଖାନା, ଗୋଦାମ ଓ ବେଆଇନ ବିକ୍ରୟସ୍ଥଳରେ ଚଢ଼ାଉ ପାଇଁ ଆଇଜି ଡଃ ସତ୍ୟଜିତ ନାୟକଙ୍କ କଡ଼ା ନିର୍ଦ୍ଦେଶ

Spread the love

କଟକ: ଦୀପାବଳି ପର୍ବକୁ ସୁରକ୍ଷିତ ଓ ଶାନ୍ତିପୂର୍ଣ୍ଣ ଭାବେ ପାଳନ କରିବା ଲକ୍ଷ୍ୟରେ ବେଆଇନ ବାଣ ଉତ୍ପାଦନ, ବିକ୍ରି ଓ ବିପୁଳ ପରିମାଣରେ ବାଣ ଗଚ୍ଛିତ ରଖିବା ବିରୋଧରେ କଡ଼ା ଅଭିଯାନ ଆରମ୍ଭ କରିଛି କେନ୍ଦ୍ରାଞ୍ଚଳ ପୁଲିସ। କେନ୍ଦ୍ରାଞ୍ଚଳ ପୁଲିସ ଆଇଜି ଡଃ ସତ୍ୟଜିତ ନାୟକଙ୍କ ନିର୍ଦ୍ଦେଶରେ ରେଞ୍ଜ ଅଧୀନରେ ଥିବା ସାତଟି ଜିଲ୍ଲାରେ ସନ୍ଦିଗ୍ଧ ବାଣ କାରଖାନା, ଗୋଦାମ ଓ ବେଆଇନ ବାଣ ବିକ୍ରୟସ୍ଥଳ ଉପରେ ଚଢ଼ାଉ ଓ ଯାଞ୍ଚକୁ ଜୋରଦାର କରାଯାଇଛି। ନଭେମ୍ବର ୧ରୁ ୩ ତାରିଖ ମଧ୍ୟରେ କେନ୍ଦ୍ରାଞ୍ଚଳ ରେଞ୍ଜର ବିଭିନ୍ନ ଜିଲ୍ଲାରେ ବେଆଇନ ବାଣ ଓ ବିସ୍ଫୋରକ ସାମଗ୍ରୀ ସଂରକ୍ଷଣ ସମ୍ପର୍କରେ ମୋଟ ୬୪ଟି ମାମଲା ରୁଜୁ ହୋଇଛି। ପୁଲିସର ସ୍ୱତନ୍ତ୍ର ରିପୋର୍ଟ ଅନୁଯାୟୀ, ଖୋର୍ଦ୍ଧା ଜିଲ୍ଲାରେ ୪ଟି, ପୁରୀରେ ୧୩ଟି, କଟକରେ ୧୨ଟି, କେନ୍ଦ୍ରାପଡ଼ାରେ ୮ଟି, ନୟାଗଡ଼ରେ ୧୦ଟି, ଯାଜପୁରରେ ୫ଟି ଏବଂ ଜଗତସିଂହପୁର ଜିଲ୍ଲାରେ ୧୨ଟି ମାମଲା ରୁଜୁ ହୋଇଛି। ବେଆଇନ ଭାବେ ବାଣ ପ୍ରସ୍ତୁତ, ବିକ୍ରି ଓ ଗଚ୍ଛିତ ରଖୁଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରି ଆଇନ ଅନୁଯାୟୀ କଠୋର ପଦକ୍ଷେପ ନେବାକୁ ଆଇଜି ଡଃ ନାୟକ ସମସ୍ତ ଜିଲ୍ଲାର ଏସ୍‌ପିମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଲାଇସେନ୍ସପ୍ରାପ୍ତ ବାଣ ବ୍ୟବସାୟୀମାନେ ନିର୍ଦ୍ଧାରିତ ଅଗ୍ନି ନିରାପତ୍ତା ଓ ସୁରକ୍ଷା ନିୟମ ପାଳନ କରୁଛନ୍ତି କି ନାହିଁ, ତାହା ମଧ୍ୟ ଯାଞ୍ଚ କରାଯାଉଛି। ବେଆଇନ ବାଣ କାରବାର ଯୋଗୁଁ ଅଗ୍ନିକାଣ୍ଡ ଓ ବିସ୍ଫୋରଣ ଘଟି ନିରୀହ ଲୋକଙ୍କ ଜୀବନ ଓ ସମ୍ପତ୍ତି ପ୍ରତି ବିପଦ ସୃଷ୍ଟି ହୋଇପାରେ। ତେଣୁ ଏଭଳି ବିପଜ୍ଜନକ କାର୍ଯ୍ୟକଳାପକୁ କୌଣସି ପରିସ୍ଥିତିରେ ବରଦାସ୍ତ କରାଯିବ ନାହିଁ। ସନ୍ଦିଗ୍ଧ ବାଣ କାରଖାନା, ବେଆଇନ ଗୋଦାମ କିମ୍ବା ବାଣ ବିକ୍ରି ସମ୍ପର୍କରେ ନିକଟସ୍ଥ ଥାନାକୁ ସୂଚନା ଦେବାକୁ ପୁଲିସ ଜନସାଧାରଣଙ୍କୁ ଅନୁରୋଧ କରିଛି। ଜନସାଧାରଣଙ୍କ ସହଯୋଗରେ ବେଆଇନ ବାଣ କାରବାରକୁ ରୋକିବା ସହ ସମସ୍ତଙ୍କ ଧନଜୀବନ ସୁରକ୍ଷା ଏବଂ ଏକ ନିରାପଦ ଦୀପାବଳି ସୁନିଶ୍ଚିତ କରିବା ହେଉଛି କେନ୍ଦ୍ରାଞ୍ଚଳ ପୁଲିସର ମୁଖ୍ୟ ଲକ୍ଷ୍ୟ।

Related Posts

About The Author

Add Comment