ସୁନ୍ଦରଗଡ ତା:୨୮/୫/୨୦୨୬( ସନ୍ଧାନ ନ୍ୟୁଜ) ବନଡେଗା ଅଞ୍ଚଳରେ ଶାନ୍ତିପୂର୍ଣ୍ଣ ଓ ଆନନ୍ଦମୟ ପରିବେଶରେ ପାଳିତ ହୋଇଯାଇଛି ପବିତ୍ର ବକରିଦ୍ ଉତ୍ସବ। ତ୍ୟାଗ, ବଳିଦାନ ଏବଂ ଭାଇଚାରାର ଏହି ଅଲୌକିକ ପର୍ବକୁ ନେଇ ସ୍ଥାନୀୟ ମୁସଲିମ୍ ସଂପ୍ରଦାୟ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି। ସକାଳୁ ସକାଳୁ ନୂଆ ପୋଷାକ ପିନ୍ଧି ଶ୍ରଦ୍ଧାଳୁମାନେ ମସଜିଦ୍ ଆଡ଼କୁ ଯାଉଛନ୍ତି। ମସଜିଦ୍ରେ ସମୂହ ନମାଜ ପାଠ କରାଯାଉଛି।
ଆଜି ସକାଳୁ ସକାଳୁ ବନଡେଗା ସହର ସମେତ ଆଖପାଖ ଅଞ୍ଚଳର ମସଜିଦ୍ ଓ ଇଦ୍ଗାହଗୁଡ଼ିକରେ ହଜାର ହଜାର ଶ୍ରଦ୍ଧାଳୁ ଏକତ୍ରିତ ହୋଇଥିଲେ। ପବିତ୍ର ବକରିଦ୍ ଅବସରରେ ସମସ୍ତେ ମିଳିତ ଭାବେ ବିଶେଷ ନମାଜ ପାଠ କରିଥିଲେ। ଦେଶର ପ୍ରଗତି, ସମାଜରେ ଶାନ୍ତି ଏବଂ ସମସ୍ତଙ୍କ ମଧ୍ୟରେ ସଦ୍ଭାବନା ବଜାୟ ରଖିବା ପାଇଁ ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କରାଯାଇଛି। ନମାଜ ଶେଷ ହେବା ପରେ ଲୋକମାନେ ପରସ୍ପରକୁ କୋଳେଇ ନେଇ ଏକ ଅନ୍ୟକୁ ଖୁସି ଜଣାଉଛନ୍ତି। ଛୋଟ ପିଲାମାନେ ବଡ଼ମାନଙ୍କ ଠାରୁ ଆଶୀର୍ବାଦ ନେଉଥିବା ଦେଖିବାକୁ ମିଳିଥିଲା । ନମାଜ ପାଠ ଶେଷ ହେବା ପରେ ଦେଖିବାକୁ ମିଳିଥିଲା ଭାଇଚାରାର ଅପୂର୍ବ ଦୃଶ୍ୟ। ଜାତି, ଧର୍ମ ନିର୍ବିଶେଷରେ ସମସ୍ତେ ପରସ୍ପରକୁ ଆଲିଙ୍ଗନ କରି ବକରିଦ ର ଶୁଭେଚ୍ଛା ଜଣାଇଥିଲେ। ପରମ୍ପରା ଅନୁଯାୟୀ ଏହି ଦିନ ଗରିବ ଓ ଅସହାୟମାନଙ୍କ ମଧ୍ୟରେ ଖାଦ୍ୟ ଓ ବସ୍ତ୍ର ବଣ୍ଟନ କରାଯାଇ ତ୍ୟାଗର ବାର୍ତ୍ତା ଦିଆଯାଇଛି। ଉତ୍ସବକୁ ଶୃଙ୍ଖଳିତ କରିବା ପାଇଁ ତଳସରା ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ଶାନ୍ତି-ଶୃଙ୍ଖଳା ରକ୍ଷା କରିବାରେ ସ୍ଥାନୀୟ ଯୁବକ ଓ ଗ୍ରାମବାସୀ ପ୍ରଶାସନକୁ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ। ହିନ୍ଦୁ-ମୁସଲିମ୍ ସମସ୍ତେ ମିଶି ଏହି ପର୍ବକୁ ପାଳନ କରି ବନଡେଗାରେ ସାଂପ୍ରଦାୟିକ ସଦ୍ଭାବନାର ଏକ ସୁନ୍ଦର ଉଦାହରଣ ସୃଷ୍ଟି କରିଛନ୍ତି।”ବକରିଦ୍ ହେଉଛି ପ୍ରେମ ଏବଂ ସମର୍ପଣର ପର୍ବ। ଆଜି ଆମେ ସମସ୍ତେ ବନଡେଗାବାସୀ ଏକାଠି ହୋଇ ନମାଜ ପଢ଼ି ଏବଂ ଦେଶର ଅମନ-ଚୈନ ପାଇଁ ଦୁଆ ମାଗିଥିବା ଦେଖିବାକୁ ମିଳିଥିଲା । ଆମର ହିନ୍ଦୁ ଭାଇମାନେ ମଧ୍ୟ ଆମକୁ ଶୁଭେଚ୍ଛା ଜଣାଇବାକୁ ଆଗେଇ ଆସିଥିଲେ । ବାସ୍ତବରେ ବନଡେଗାର ଏହି ଦୃଶ୍ୟ ପ୍ରମାଣ କରୁଛି ଯେ ପର୍ବପର୍ବାଣୀ କେବଳ ଧାର୍ମିକ ରୀତିନୀତି ମଧ୍ୟରେ ସୀମିତ ନୁହେଁ, ବରଂ ଏହା ମାନବିକତା ଓ ଏକତାର ସୂତ୍ରରେ ସମସ୍ତଙ୍କୁ ବାନ୍ଧି ରଖିଛି ।
ବନଡେଗା ରେ ବକରିଦ ପର୍ବ ପାଳିତ
|
May 28, 2026 |



