ଯାଜପୁର, ୨୫/୮ (ସନ୍ଧାନ ନ୍ୟୁଜ): କଳିଙ୍ଗନଗର ଶିଳ୍ପାଞ୍ଚଳରେ କାରଖାନାଗୁଡ଼ିକର ଜଳ ଆବଶ୍ୟକତା ପୂରଣ ପାଇଁ ବ୍ରାହ୍ମଣୀ ନଦୀରୁ ବୋରୱେଲ ମାଧ୍ୟମରେ ବିପୁଳ ପରିମାଣର ପାଣି ଉତ୍ତୋଳନ କରାଯାଇ ପାଇପଲାଇନ ଯୋଗେ ବିଭିନ୍ନ ପ୍ଲାଣ୍ଟକୁ ଯୋଗାଣ କରାଯାଉଛି। ତେବେ ଏହି ବୃହତ୍ ଜଳଯୋଗାଣ ବ୍ୟବସ୍ଥାର ରକ୍ଷଣାବେକ୍ଷଣ ଓ ନିୟନ୍ତ୍ରଣରେ ଅବହେଳା ଯୋଗୁଁ ମୂଲ୍ୟବାନ ଜଳ ଅପଚୟ ହେଉଥିବା ଅଭିଯୋଗ ଉଠିଛି।
ପାଇପଲାଇନର ଚାପ ନିୟନ୍ତ୍ରଣ, ମରାମତି ଓ ଆବଶ୍ୟକ ସମୟରେ ଜଳପ୍ରବାହ ବନ୍ଦ କରିବା ପାଇଁ ପ୍ରାୟ ୫୦୦ରୁ ୭୦୦ ମିଟର ବ୍ୟବଧାନରେ ବିଭିନ୍ନ ସ୍ଥାନରେ ଭାଲ୍ଭ ବ୍ୟବସ୍ଥା କରାଯାଇଛି। କିନ୍ତୁ କେତେକ ସ୍ଥାନରେ ଏହି ଭାଲ୍ଭରୁ ଦୀର୍ଘ ସମୟ ଧରି ଅନବରତ ପାଣି ବାହାରି ଖୋଲା ପଡ଼ିଆ, ନାଳ ଓ ରାସ୍ତା ଉପରେ ପ୍ରବାହିତ ହେଉଥିବା ଦୃଶ୍ୟ ସାମ୍ନାକୁ ଆସିଛି। ଫଳରେ ଏକପଟେ ବିପୁଳ ପରିମାଣର ଜଳ ନଷ୍ଟ ହେଉଥିବା ବେଳେ ଅନ୍ୟପଟେ ରାସ୍ତାରେ ପାଣି ଜମି ଯାତାୟତ ବ୍ୟାହତ ହେଉଛି।
ବିଶେଷକରି ବ୍ରାହ୍ମଣୀ ନଦୀରୁ ବିଜୁ ପଟ୍ଟନାୟକ ମାର୍ଗ ଦେଇ ବିଭିନ୍ନ ପ୍ଲାଣ୍ଟକୁ ଯାଇଥିବା ପାଇପଲାଇନରେ ଏପରି ଜଳ ଅପଚୟର ଚିତ୍ର ଅନେକ ସ୍ଥାନରେ ଦେଖିବାକୁ ମିଳୁଛି। କେଉଁଠି ଖୋଲା ପଡ଼ିଆରେ ଅକାରଣରେ ପାଣି ଲହଡ଼ି ଖେଳୁଛି, ତ ଆଉ କେଉଁଠି ନାଳ ଦେଇ ଅବ୍ୟବହୃତ ଭାବେ ପାଣି ବହି ଚାଲିଛି।
ପୂର୍ବରୁ ମାଣତିରା ଛକ ନିକଟରେ ପାଇପଲାଇନରୁ ପାଣି ପ୍ରବାହିତ ହେଉଥିବା ଘଟଣା ନେଇ ଖବର ପ୍ରକାଶ ପାଇଥିଲା। ଖବର ପ୍ରକାଶ ପରେ ସମ୍ପୃକ୍ତ ପ୍ଲାଣ୍ଟ କର୍ତ୍ତୃପକ୍ଷ ତତ୍କାଳ ପଦକ୍ଷେପ ନେଇ ଜଳପ୍ରବାହ ବନ୍ଦ କରିଥିଲେ। ଏହା ସତ୍ତ୍ୱେ ବିଜୁ ପଟ୍ଟନାୟକ ମାର୍ଗ ପାର୍ଶ୍ୱରେ ଏବଂ ପଙ୍କପାଳ ପଞ୍ଚାୟତ ଅନ୍ତର୍ଗତ ଆସନବାହାଳି ଗ୍ରାମର ଅପରପାର୍ଶ୍ୱରେ ଥିବା ଏକ ଭାଲ୍ଭରୁ ଦୀର୍ଘଦିନ ଧରି ପାଣି ଲିକ୍ ହୋଇ ଚାଲିଥିବା ଅଭିଯୋଗ ହୋଇଛି।
ଏହି ପାଣି ସିଧାସଳଖ ରାସ୍ତା ଉପରେ ପ୍ରବାହିତ ହେଉଥିବାରୁ ସ୍ଥାନୀୟ ଲୋକଙ୍କ ସମେତ ଯାତାୟତକାରୀମାନେ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଅନ୍ୟପଟେ କାରଖାନାକୁ ଯାଉଥିବା ଭାରୀଯାନଗୁଡ଼ିକ ଅନେକ ସମୟରେ ଏହି ସ୍ଥାନରେ ଗାଡ଼ି ଧୋଉଥିବାରୁ ରାସ୍ତା ଉପରେ କାଦୁଅ ଓ ପଚପଚ ମାଟି ଜମି ରହୁଛି। ଏହା ଯାତାୟତକୁ ଆହୁରି ବିପଦସଙ୍କୁଳ କରୁଥିବା ସ୍ଥାନୀୟ ଲୋକେ କହିଛନ୍ତି।
ସବୁଠାରୁ ଚିନ୍ତାର ବିଷୟ, କଳିଙ୍ଗନଗର ଶିଳ୍ପାଞ୍ଚଳରେ ଭୂତଳ ଜଳସ୍ତର ଦିନକୁ ଦିନ ନିମ୍ନଗାମୀ ହେଉଥିବା ବେଳେ ଅନ୍ୟପଟେ ଲକ୍ଷ ଲକ୍ଷ ଲିଟର ଜଳ ଏଭଳି ଅବ୍ୟବହୃତ ଭାବେ ନଷ୍ଟ ହେବା ପରିବେଶବିତ୍ ଓ ସ୍ଥାନୀୟ ଲୋକଙ୍କ ମନରେ ଚିନ୍ତା ସୃଷ୍ଟି କରିଛି। ଯେଉଁ ଅଞ୍ଚଳରେ ପାନୀୟଜଳ ପାଇଁ ସାଧାରଣ ଲୋକଙ୍କୁ ଅନେକ ସମୟରେ ଦୁର୍ଦ୍ଦଶା ଭୋଗିବାକୁ ପଡ଼ୁଛି, ସେଠାରେ ଶିଳ୍ପ ପାଇଁ ଉତ୍ତୋଳିତ ମୂଲ୍ୟବାନ ଜଳର ଏଭଳି ଅପଚୟ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ସ୍ଥାନୀୟ ବାସିନ୍ଦାଙ୍କ ଦାବି, ସମ୍ପୃକ୍ତ ଶିଳ୍ପସଂସ୍ଥା ତୁରନ୍ତ ଲିକ୍ ହେଉଥିବା ଭାଲ୍ଭଗୁଡ଼ିକର ଯାଞ୍ଚ କରି ତାହାକୁ ସ୍ଥାୟୀ ଭାବରେ ମରାମତି କରନ୍ତୁ। ଏଥିସହିତ ପ୍ରଶାସନ ପକ୍ଷରୁ ମଧ୍ୟ ଏହି ଜଳ ଅପଚୟ ଘଟଣାର ନିରୀକ୍ଷଣ କରାଯାଇ ଜଳ ସଂରକ୍ଷଣ ଦିଗରେ ଆବଶ୍ୟକ ପଦକ୍ଷେପ ନିଆଯାଉ। ଶିଳ୍ପର ବିକାଶ ସହିତ ଜଳସମ୍ପଦର ସୁରକ୍ଷା ଓ ସଂରକ୍ଷଣକୁ ମଧ୍ୟ ସମାନ ଗୁରୁତ୍ୱ ଦିଆଯିବା ଆବଶ୍ୟକ ବୋଲି ଅଞ୍ଚଳବାସୀ ମତ ପ୍ରକାଶ କରିଛନ୍ତି।



