ଜେନାପୁର,/ ୧/ ୬/(ସନ୍ଧାନ ନ୍ୟୁଜ )ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରବର୍ତ୍ତିତ ଡିଜିଟାଲ୍ ଭତ୍ତା ପ୍ରଦାନ ବ୍ୟବସ୍ଥା ଧର୍ମଶାଳା ବ୍ଲକର ଅସହାୟ ବୃଦ୍ଧବୃଦ୍ଧାଙ୍କ ପାଇଁ ଏକ ଦୁର୍ଦ୍ଦଶାର କାରଣ ପାଲଟିଛି। ଦୁର୍ନୀତି ରୋକିବା ନାମରେ ଆରମ୍ଭ ହୋଇଥିବା ଏହି ବ୍ୟବସ୍ଥା ଏବେ ହିତାଧିକାରୀଙ୍କୁ ଘୋର ହଇରାଣରେ ପକାଇଛି।
ଅଚଳ ଡିଜିଟାଲ୍ ବ୍ୟବସ୍ଥା ଦୁଇ ମାସ ବିତିଯାଇଥିଲେ ମଧ୍ୟ ହଜାର ହଜାର ବୃଦ୍ଧବୃଦ୍ଧା ସେମାନଙ୍କ ପ୍ରାପ୍ୟ ଭତ୍ତା ପାଇବାରୁ ବଞ୍ଚିତ ହୋଇଛନ୍ତି।
ହିତାଧିକାରୀମାନେ ବ୍ୟାଙ୍କ ଏବଂ ବ୍ଲକ କାର୍ଯ୍ୟାଳୟ ମଧ୍ୟରେ ବାରମ୍ବାର ଦୌଡ଼ି ନିରାଶ ହୋଇ ଫେରୁଛନ୍ତି। ବ୍ୟାଙ୍କ କର୍ତ୍ତୃପକ୍ଷ ଟଙ୍କା ଆସିନଥିବା କହି ହାତ ଟେକି ଦେଉଛନ୍ତି, ଫଳରେ ବୃଦ୍ଧବୃଦ୍ଧା ଅନିଶ୍ଚିତତାର ଅନ୍ଧକାରରେ।
ପରିଣତ ବୟସରେ, ଯେଉଁ ସମୟରେ ଔଷଧ ଓ ପଥ୍ୟ ପାଇଁ ଅର୍ଥ ଅତ୍ୟନ୍ତ ଜରୁରୀ, ସେ ସମୟରେ ଏଭଳି ଅବହେଳା ସେମାନଙ୍କୁ ଗଭୀର ମାନସିକ ଓ ଶାରୀରିକ କଷ୍ଟ ଦେଉଛି। ଡିଜିଟାଲ୍ ବ୍ୟବସ୍ଥା ଅପେକ୍ଷା ପୂର୍ବର ପଞ୍ଚାୟତ ସ୍ତରୀୟ ହସ୍ତଗତ ବଣ୍ଟନ ବ୍ୟବସ୍ଥା ଅଧିକ ନିରାପଦ ଓ ସୁବିଧାଜନକ ଥିଲା ବୋଲି ବରିଷ୍ଠ ନାଗରିକମାନେ ମତ ଦେଉଛନ୍ତି।
ବୁଦ୍ଧିଜୀବୀ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ତୁରନ୍ତ ହିତାଧିକାରୀଙ୍କ ଆକାଉଣ୍ଟକୁ ବକେୟା ରାଶି ପ୍ରଦାନ କରିବା ସହ, ଏହି ଜଟିଳ ଡିଜିଟାଲ୍ ପ୍ରକ୍ରିୟାର ସରଳୀକରଣ କରିବାକୁ ସାଧାରଣରେ ଦାବି ଜୋର ଧରିଛି। ପ୍ରଶାସନ ଏଦିଗରେ ତୁରନ୍ତ ପଦକ୍ଷେପ ନ ନେଲେ ଆଗାମୀ ଦିନରେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି ଚେତାବନୀ ଦିଆଯାଇଛି।



