ନୂଆଦିଲ୍ଲୀ, ୧୯/୧୨ (ସନ୍ଧାନ ନିୟୁଜ) : ୬ ମାସ ତଳେ ଜାମ୍ମୁ ଓ କାଶ୍ମୀରରେ ଲଗାଯାଇଥିବା ରାଜ୍ୟପାଳ ଶାସନର ମିଆଦ ଆଦି ପୂରଣ ହେବା ପରେ ଆଜିଠାରୁ ସେଠାରେ ରାଷ୍ଟ୍ରପତି ଶାସନ ଲାଗୁ ହୋଇଛି । ଏ ନେଇ ରାଜ୍ୟପାଳ ସତ୍ୟପାଳ ମଲ୍ଲିକ କେନ୍ଦ୍ରକୁ ସୁପାରିଶ କରିଥିଲେ । ଆଜି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏହାକୁ ଅନୁମୋଦନ କରିଛନ୍ତି । ରାଷ୍ଟ୍ରପତିଙ୍କ ଅନୁମୋଦନ ପାଇବା ପରେ ରାଜ୍ୟପାଳ ରାଜ୍ୟରେ ଶାସନ କରିବେ। ଗତ ଜୁନ ମାସରେ ପିପୁଲ୍ସ୍ ଡେମୋକ୍ରାଟିକ୍ ପାର୍ଟିରୁ ବିଜେପି ସମର୍ଥନ ପ୍ରତ୍ୟାହାର କରିବା ପରେ ମେହବୁବା ମୁଫତି ସରକାରର ପତନ ହୋଇଥିଲା । ଏହାର ଦିନକ ପରେ ଜମ୍ମୁ ଓ କଶ୍ମୀରରେ ରାଜ୍ୟପାଳ ଶାସନ ଲଗାଯାଇଥିଲା । ୨୦୦୮, ୨୦୧୫ ଏବଂ ୨୦୧୬ରେ ଜମ୍ମୁ ଓ କଶ୍ମୀରରେ ରାଜ୍ୟପାଳ ଶାସନ ଲାଗୁ କରାଯାଇଥିଲା।
ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ ହେବା ପରେ ଏବେ ଏହା ସଂପୂର୍ଣ୍ଣଭାବେ କେନ୍ଦ୍ର ସରକାରଙ୍କ ନିୟନ୍ତ୍ରଣକୁ ଆସିଯାଇଛି । ଜାମ୍ମୁ ଓ କାଶ୍ମୀରର ଏକ ସ୍ୱତନ୍ତ୍ର ସମ୍ବିଧାନ ଥିବାରୁ ପ୍ରଥମେ ସେଠାରେ ୬ ମାସ ପାଇଁ ରାଜ୍ୟପାଳ ଶାସନ ଲାଗୁହେବା ବାଧ୍ୟତାମୂଳକ । ତାପରେ ସେଠାରେ ରାଷ୍ଟ୍ରପତି ଶାସନ ଲାଗୁହୋଇପାରିବ ।


