ଭଦ୍ରକ ସଂସଦୀୟ କ୍ଷେତ୍ର : ପ୍ରଥମ ମହିଳା ସାଂସଦ ପ୍ରାର୍ଥୀ ନେଇ ଚର୍ଚ୍ଚା

Spread the love

ଭଦ୍ରକ, ୪/୪ (ସନ୍ଧାନ ନିୟୁଜ/ସନ୍ତୋଷ ରାଉତ)– ଭଦ୍ରକ ସଂସଦୀୟ କ୍ଷେତ୍ର। ପ୍ରଥମେ ଭଦ୍ରକ, ବାସୁଦେବପୁର, ଚାନ୍ଦବାଲି, ଧାମନଗର, ଭଣ୍ଡାରିପୋଖରୀ, ସିମୁଳିଆ ଓ ନୀଳଗିରି ବିଧାନସଭା ଆସନକୁ ନେଇ ଏହି ସଂସଦୀୟ କ୍ଷେତ୍ର। କିନ୍ତୁ ସୀମା ପୁନ ନିର୍ଦ୍ଦାରଣ ପରେ ଏହି ଆସନରୁ ନୀଳଗିରିକୁ ବାଦ୍ ଦିଆଯାଇ ସୋରକୁ ସାମିଲ୍ କରାଯାଇଛି। ଆରମ୍ଭରୁ ଏହା ଅନୁସୂଚିତ ଜାତି ବର୍ଗଙ୍କ ପାଇଁ ସଂରକ୍ଷିତ ରହିଆସିଛି। ଆଜିପର୍ଯ୍ୟନ୍ତ ଏହି ସଂସଦୀୟ କ୍ଷେତ୍ରରେ ୧୫ଥର ସାଧାରଣ ନିର୍ବାଚନ ଅନୁଷ୍ଠିତ ହୋଇଛି। ଜାତୀୟ କଂଗ୍ରେସ ଏହି ଆସନରୁ ୭ ଥର ବିଜୟୀ ହୋଇଥିବାବେଳେ, ସ୍ୱତନ୍ତ୍ର ପାର୍ଟି ଥରେ, ଜନତା ଦଳ ୨ ଥର ଓ ବିଜୁ ଜନତା ଦଳର ପ୍ରାର୍ଥୀମାନେ ୫ ଥର ଏହି ଆସନରୁ ବିଜୟୀ ହୋଇଛନ୍ତି। ଇତିମଧ୍ୟରେ ସାଧାରଣ ନିର୍ବାଚନ ତାରିଖ ଘୋଷଣା ସରିଛି। ରାଜନୈତିକ ଉଷ୍ମତା ମଧ୍ୟ ଏଠାରେ ସ୍ପଷ୍ଟ ଅନୁଭୂତ ହେଲାଣି। ନେତାମାନେ ଏବେ ଗାଁ ମୁହାଁ। ଚା ଖଟିରେ ଆରମ୍ଭ ହୋଇଗଲାଣି ନିର୍ବାଚନ ଚର୍ଚ୍ଚା। ତେବେ ଚଳିତ ନିର୍ବାଚନ ଏକ ନୂତନ ଇତିହାସ ସୃଷ୍ଟି କରିବ କି ବୋଲି ସବୁଠି ପ୍ରଶ୍ନ। ପ୍ରଥମ ଥର ଲାଗି ପ୍ରାର୍ଥୀ ଘୋଷଣା ସମୟରେ ଶାସକ ବିଜେଡି ମଂଜୁଲତା ମଣ୍ଡଳ ନାମ୍ନୀ ଜଣେ ମହିଳାଙ୍କ ନାମ ପ୍ରାର୍ଥୀ ଭାବେ ଘୋଷଣା କରିଥିଲା। ଠିକ୍ ଏହାର ୩ ଦିନ ପରେ ଜାତୀୟ କଂଗ୍ରେସ ପକ୍ଷରୁ ପ୍ରାକ୍ତନ ସାଂସଦ ଅନନ୍ତ ପ୍ରସାଦ ସେଠୀଙ୍କ କନ୍ୟା ମଧୁମିତା ସେଠୀଙ୍କୁ ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଥିଲା। ଅନ୍ୟତମ ବିରୋଧୀ ଦଳ ବିଜେପି ମଧ୍ୟ ଅନୁରୂପ ଭାବେ ଜଣେ ମହିଳାଙ୍କୁ ପ୍ରାର୍ଥୀ କରିପାରେ ବୋଲି ଚର୍ଚ୍ଚା ହେଉଥିଲା। କିନ୍ତୁ ସେପରି କିଛି ହେଲାନାହିଁ। ତେବେ ଯାହା ହେଲେ ମଧ୍ୟ ଆଗାମୀ ନିର୍ବାଚନର ଫଳାଫଳ ଏକ ନୂତନ ଇତିହାସ ସୃଷ୍ଟି କରିବ। କାରଣ ଯଦି ବିଜେଡି ଓ କଂଗ୍ରେସ ପକ୍ଷରୁ ଘୋଷିତ ପ୍ରାର୍ଥୀଙ୍କ ମଧ୍ୟରୁ କେହି ବିଜୟୀ ହୁଅନ୍ତି, ତେବେ ପ୍ରଥମ ଥର ଲାଗି ଜଣେ ମହିଳା ଏହି ଆସନରୁ ପ୍ରତିନିଧିତ୍ୱ କରିବାର ସୁଯୋଗ ପାଇ ଇତିହାସ ରଚିବେ। ଅପରପକ୍ଷରେ ବିଜେପିର ସମ୍ଭାବ୍ୟ ପ୍ରାର୍ଥୀ ଯଦି ନିର୍ବାଚନରେ ବିଜୟୀ ହୁଅନ୍ତି, ତେବେ ପ୍ରଥମଥର ଲାଗି ଏହି ଦଳ ବିଜୟୀ ହୋଇ ଇତିହାସ ସୃଷ୍ଟି କରିବ। ସୂଚନାଯୋଗ୍ୟ ୧୯୯୮ ସାଧାରଣ ନିର୍ବାଚନ ଠାରୁ ୨୦୧୪ ପର୍ଯ୍ୟନ୍ତ ଅନୁଷ୍ଠିତ ସାଧାରଣ ନିର୍ବାଚନରେ ଏହି ଲୋକସଭା ଆସନରୁ ବିଜୁ ଜନତା ଦଳ ପକ୍ଷରୁ ଅର୍ଜୁନ ଚରଣ ସେଠୀ କ୍ରମାଗତ ଭାବେ ୫ ଥର ନିର୍ବାଚନ ଜିତି ଆସିଛନ୍ତି। କିନ୍ତୁ ବୟସାଧିକ୍ୟ କାରଣରୁ ଅର୍ଜୁନ ବାବୁ ଚଳିତ ନିର୍ବାଚନରେ ପ୍ରାର୍ଥୀ ନହୋଇ ନିଜ ପୁତ୍ର ଅଭିମନ୍ୟୁଙ୍କୁ ଏହି ଆସନରେ ଥଇଥାନ କରିବାକୁ ଚେଷ୍ଟା କରିଥିଲେ। କିନ୍ତୁ ଦଳ ତାଙ୍କୁ ପ୍ରାର୍ଥୀ ନକରି ଅନ୍ୟାୟ କରିଥିବା ନେଇ ସେ ଅଭିଯୋଗ କରିଥିଲେ। ତେଣୁ ଶ୍ରୀ ସେଠୀ ବିଜେଡି ସହ ସଂପର୍କ ଛିନ୍ନ କରି ନିଜ ପୁତ୍ରଙ୍କ ସହ ବିଜେପିରେ ଯୋଗଦେଇ ଅଭିମନ୍ୟୁଙ୍କୁ ଉକ୍ତ ଦଳର ସାଂସଦ ପ୍ରାର୍ଥୀ କରିବାରେ ସଫଳ ହୋଇଛନ୍ତି। ତେଣୁ ବିଜେଡିରେ ଅର୍ଜୁନ ଯୁଗର ଅବସାନ ଘଟିଛି। ଭଦ୍ରକ ସଂସଦୀୟ କ୍ଷେତ୍ର ଇତିହାସରେ ଆଜିପର୍ଯ୍ୟନ୍ତ କୌଣସି ମହିଳା ପ୍ରାର୍ଥୀ କେବେ ମଧ୍ୟ ପ୍ରତିଦ୍ୱନ୍ଦ୍ୱିତା କରିନଥିଲେ। ଯାହା ଏକ ନୂତନ ଅଧ୍ୟାୟ ବୋଲି କୁହାଯାଉଛି।

Related Posts

About The Author

Add Comment