ଯୁଯୋମୁରା, ୨୭/୧୧ (ସନ୍ଧାନ ନ୍ୟୁଜ୍): ସମ୍ବଲପୁର ଜିଲ୍ଲା ଯୁଯୋମୁରା ବ୍ଲକ ଅନ୍ତର୍ଗତ ଜୟନ୍ତପୁର ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ବ୍ଲକସ୍ତରୀୟ ବାଳ ବୈଜ୍ଞାନିକ ପ୍ରଦର୍ଶନୀ, ବିଜ୍ଞାନ ମେଳା ଏବଂ ପିଏମ୍ଶ୍ରୀ ବିଦ୍ୟାଳୟ ଅଧୀନରେ ଏନର୍ଜି କ୍ଲବ୍ର ପ୍ରକଳ୍ପ ଓ ମଡେଲ୍ ପ୍ରଦର୍ଶନୀ ଆୟୋଜିତ ହୋଇଥିଲା। ଏହି ପ୍ରଦର୍ଶନୀରେ ବ୍ଲକର ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ନିଜ ନିଜର ବୈଜ୍ଞାନିକ ଚିନ୍ତାଧାରା, ସୃଜନଶୀଳତା ଓ ନୂତନ ଆବିଷ୍କାରମୂଳକ ପ୍ରକଳ୍ପ ପ୍ରଦର୍ଶନ କରିଥିଲେ। ଉଦ୍ଘାଟନୀ ସଭାରେ ଯୁଯୋମୁରା ବିଡିଓ ରାଜେଶ କୁମାର ଏକ୍କା ମୁଖ୍ୟ ଅତିଥି, ବୈଜ୍ଞାନିକ ଶେଷ କିସାନ ମୁଖ୍ୟ ବକ୍ତା, ଏଡିଇଓ ଉଜାଗର ପ୍ରଧାନ ସମ୍ମାନିତ ଅତିଥି, ପଞ୍ଚସଖା ଶିକ୍ଷା ସେତୁ ସଭାପତି ଗଣେଶ ତାଣ୍ଡିଆ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ କୁଳଧର ପ୍ରଧାନ ଏବଂ ଅନ୍ୟାନ୍ୟ ଅତିଥି ଯୋଗଦେଇଥିଲେ। ସଭାରେ ଯୁଯୋମୁରା ବ୍ଲକ ଶିକ୍ଷା ଅଧିକାରୀ ସୁଜିତ କୁମାର ଲୁହା ସଭାପତିତ୍ୱ କରିଥିଲେ। ଜୟନ୍ତପୁର ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ଦେବକୀ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ବିଇଓ ସୁଜିତ କୁମାର ଲୁହା ଛାତ୍ରଛାତ୍ରୀ ଓ ଶିକ୍ଷକ-ଶିକ୍ଷୟିତ୍ରୀଙ୍କୁ ଉଦ୍ବୋଧନ ଦେଇ କହିଥିଲେ ଯେ, ଅନ୍ୟମାନଙ୍କ ସହ ନିଜକୁ ତୁଳନା ନକରି ନିଜ ଭିତରେ ଥିବା ଅନ୍ତର୍ନିହିତ ଗୁଣ ଓ ପ୍ରତିଭାକୁ ବିକଶିତ କରିବା ପାଇଁ ସମସ୍ତେ ଉଦ୍ୟମ କରିବା ଉଚିତ। ପ୍ରତ୍ୟେକ ଶିଶୁଙ୍କ ମଧ୍ୟରେ ଭିନ୍ନ ଭିନ୍ନ ପ୍ରତିଭା ରହିଛି। ତାହାକୁ ଚିହ୍ନଟ କରି ସଠିକ୍ ଦିଗରେ ବିକଶିତ କରିବା ହିଁ ଶିକ୍ଷାର ପ୍ରକୃତ ଲକ୍ଷ୍ୟ। ସେ ଅନେକ ଉଦାହରଣ ଦେଇ ପୋଥି ବାଇଗଣ ଅପେକ୍ଷା ବାଡ଼ି ବାଇଗଣକୁ ଅଧିକ ପ୍ରାଧାନ୍ୟ ଦେବାର ଉପମା ମାଧ୍ୟମରେ ଛାତ୍ରଛାତ୍ରୀଙ୍କ ନିଜସ୍ୱ ପ୍ରତିଭା ଓ ଗୁଣକୁ ଗୁରୁତ୍ୱ ଦେବାକୁ ଆହ୍ୱାନ କରିଥିଲେ। ଅନ୍ୟର ସଫଳତାକୁ ଦେଖି ନିଜକୁ ଛୋଟ ମନେ ନକରି, ନିଜର ଦକ୍ଷତାକୁ ଚିହ୍ନି ଆଗକୁ ବଢ଼ିବା ପାଇଁ ସେ ପରାମର୍ଶ ଦେଇଥିଲେ। ମୁଖ୍ୟ ବକ୍ତା ବୈଜ୍ଞାନିକ ଶେଷ କିସାନ ନିଜ ଜୀବନର ସଂଘର୍ଷମୟ ଅନୁଭୂତି ବର୍ଣ୍ଣନା କରି ଛାତ୍ରଛାତ୍ରୀଙ୍କୁ ପ୍ରେରଣା ଦେଇଥିଲେ। ଜୀବନରେ ବିଭିନ୍ନ ପ୍ରତିକୂଳ ପରିସ୍ଥିତି ଓ ସମସ୍ୟା ମଧ୍ୟରେ ରହି ସେ କିପରି ନିଜର ଲକ୍ଷ୍ୟ ହାସଲ କରିବା ଦିଗରେ ଆଗକୁ ବଢ଼ିଥିଲେ, ସେ ସମ୍ପର୍କରେ ନିଜ ଅନୁଭୂତି ବାଣ୍ଟିଥିଲେ। ଦୃଢ଼ ଇଚ୍ଛାଶକ୍ତି, ଅଧ୍ୟବସାୟ ଓ ନିରନ୍ତର ପରିଶ୍ରମ ଦ୍ୱାରା ଜୀବନରେ ସଫଳତା ହାସଲ କରିହେବ ବୋଲି ସେ ମତ ପ୍ରକାଶ କରିଥିଲେ। ପ୍ରଦର୍ଶନୀରେ ଛାତ୍ରଛାତ୍ରୀମାନେ ବିଭିନ୍ନ ବିଜ୍ଞାନଭିତ୍ତିକ ପ୍ରକଳ୍ପ, ମଡେଲ୍ ଓ ଶକ୍ତି ସଂରକ୍ଷଣ ସମ୍ବନ୍ଧୀୟ ଉପକରଣ ପ୍ରଦର୍ଶନ କରିଥିଲେ। ବିଚାରକମଣ୍ଡଳୀଙ୍କ ଦ୍ୱାରା ପ୍ରକଳ୍ପଗୁଡ଼ିକର ମୂଲ୍ୟାୟନ କରାଯାଇ ଚୟନିତ ଛାତ୍ରଛାତ୍ରୀମାନେ ଜିଲ୍ଲାସ୍ତରୀୟ ବାଳ ବୈଜ୍ଞାନିକ ପ୍ରଦର୍ଶନୀରେ ଯୋଗଦେବା ପାଇଁ ମନୋନୀତ ହେବେ। କାର୍ଯ୍ୟକ୍ରମର ଉଦ୍ଯାପନୀ ସଭାରେ ଜୟନ୍ତପୁର ସରପଞ୍ଚ ଆରତୀ ତାଣ୍ଡିଆ ମୁଖ୍ୟ ଅତିଥି ଏବଂ ବୁଢ଼ାରଜା ଉଚ୍ଚ ବିଦ୍ୟାଳୟର ଅବସରପ୍ରାପ୍ତ ଶିକ୍ଷକ ଉଦିତ ପଟଯୋଶୀ ମୁଖ୍ୟ ବକ୍ତା ଭାବେ ଯୋଗଦେଇଥିଲେ। ସମ୍ମାନିତ ଅତିଥି ଭାବେ ଅବସରପ୍ରାପ୍ତ ଶିକ୍ଷକ ପ୍ରଫୁଲ୍ଲ ପଣ୍ଡା, ସିଡବ୍ଲ୍ୟୁସି ସଦସ୍ୟ ରାଜାରାମ ସାରଙ୍ଗୀ, ଜୟନ୍ତପୁର ସମିତି ସଭ୍ୟା ଅନିତା ପ୍ରଧାନ, ଜୟନ୍ତପୁର ଏସ୍ଏମ୍ସି ସଭାପତି ସୁଧାଂଶୁ ଶେଖର ସାହୁ ଏବଂ ଯୁଯୋମୁରା ଏବିଇଓ ସଞ୍ଜୁକ୍ତା ବେହେରା ଯୋଗଦେଇଥିଲେ। ଉଦ୍ଯାପନୀ ସଭାରେ ବିଇଓ ସୁଜିତ କୁମାର ଲୁହା ସଭାପତିତ୍ୱ କରିଥିଲେ।
ପ୍ରଧାନଶିକ୍ଷୟିତ୍ରୀ ଦେବକୀ ବେହେରା କାର୍ଯ୍ୟକ୍ରମର ସମ୍ୟକ୍ ସୂଚନା ପ୍ରଦାନ କରିଥିବାବେଳେ ଏବିଇଓ ସଞ୍ଜୁକ୍ତା ବେହେରା ଧନ୍ୟବାଦ ଅର୍ପଣ କରିଥିଲେ। ମଞ୍ଚ ପରିଚାଳନା ଅଖ୍ୟା ପରମାଣିକ, ଆସନିଧର ସାହୁ ଓ ମନୋହର କାଲୋ କରିଥିଲେ।କାର୍ଯ୍ୟକ୍ରମରେ ରଞ୍ଜନ କୁମାର ନାୟକ, ଅଖ୍ୟ ସାଗର ବେହେରା, ବାସୁଦେବ ବେହେରା, ଦେବାନନ୍ଦ ମିର୍ଦ୍ଧାଙ୍କ ସମେତ ବ୍ଲକର ସମସ୍ତ ସିଆରସିସି, ଶିକ୍ଷକ-ଶିକ୍ଷୟିତ୍ରୀ ଓ ସହଯୋଗୀମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ। ଶେଷରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ମନୋରମ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ଏଥିରେ ଛାତ୍ରଛାତ୍ରୀଙ୍କ ଅଭିଭାବକ ଓ ବିଭିନ୍ନ ବିଦ୍ୟାଳୟର ଶିକ୍ଷକ-ଶିକ୍ଷୟିତ୍ରୀମାନେ ଉପସ୍ଥିତ ଥିଲେ।
ଯୁଯୋମୁରା ବ୍ଲକସ୍ତରୀୟ ବାଳ ବୈଜ୍ଞାନିକ ପ୍ରଦର୍ଶନୀ ଓ ବିଜ୍ଞାନ ମେଳା ଅନୁଷ୍ଠିତ ନିଜ ଅନ୍ତର୍ନିହିତ ପ୍ରତିଭାକୁ ବିକଶିତ କରିବାକୁ ବିଇଓଙ୍କ ଆହ୍ୱାନ, ଜିଲ୍ଲାସ୍ତରକୁ ମନୋନୀତ ହେବେ ଛାତ୍ରଛାତ୍ରୀ
|
November 27, 2026 |



