ଯାଜପୁର,:୧୧/୧୧/୨୬ (ସନ୍ଧାନ ନ୍ୟୁଜ) ଯାଜପୁର ଉପ-ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଆଇସିଡିଏସ (ICDS) ସେବାର ଏକ ସ୍ୱତନ୍ତ୍ର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଡେପୁଟି କଲେକ୍ଟର, ଜିଲ୍ଲା ପ୍ରୋଗ୍ରାମ ଅଫିସର, ସବ୍-ଡିଭିଜନ ପ୍ରୋଗ୍ରାମ ଅଫିସର, ପୋଷଣ ଅଭିଯାନ ଓ ମମତା ଯୋଜନାର ଜିଲ୍ଲା କୋ-ଅର୍ଡିନେଟରଙ୍କ ସମେତ ସମସ୍ତ ସିଡିପିଓ, ସୁପରଭାଇଜର ଏବଂ କଂସ ଗ୍ରାମ ପଞ୍ଚାୟତ ଅଙ୍ଗନବାଡ଼ି କର୍ମୀମାନେ ଉପସ୍ଥିତ ଥିଲେ। ସମୀକ୍ଷା ଆରମ୍ଭରେ ବୈଠକର ଅଧ୍ୟକ୍ଷ (ଉପ-ଜିଲ୍ଲାପାଳ) ପୋଷଣ ଟ୍ରାକର (Poshan Tracker) ର ମାସିକ ରିପୋର୍ଟର ବିସ୍ତୃତ ଅନୁଧ୍ୟାନ ଓ ବିଶ୍ଲେଷଣ କରିଥିଲେ। ଶିଶୁ ଓ ମାତୃ ମଙ୍ଗଳ ସେବାକୁ ଅଧିକ କ୍ରିୟାଶୀଳ ଏବଂ ସ୍ୱଚ୍ଛ କରିବା ଲକ୍ଷ୍ୟରେ ଉପ-ଜିଲ୍ଲାପାଳ ସମସ୍ତ ସିଡିପିଓଙ୍କୁ ଆଇସିଡିଏସ କାର୍ଯ୍ୟକ୍ରମଗୁଡ଼ିକର କଡ଼ା ନିରୀକ୍ଷଣ ପାଇଁ ସ୍ପଷ୍ଟ ନିର୍ଦେଶ ଦେଇଛନ୍ତି। କାର୍ଯ୍ୟାଳୟରେ ସମୟାନୁବର୍ତ୍ତିତା ଓ ସ୍ୱଚ୍ଛତା ଆଣିବା ପାଇଁ ସିଡିପିଓମାନେ କାର୍ଯ୍ୟାଳୟକୁ ଆସିବା ଏବଂ ପ୍ରସ୍ଥାନ କରିବା ସମୟରେ ଜିଓ-ଟ୍ୟାଗ୍ ଫୋଟୋ ସେୟାର କରିବାକୁ ବାଧ୍ୟତାମୂଳକ କରାଯାଇଛି। ଏହା ସହିତ ଟି୨ଟି୨ (T2T2) ଅଭିଯାନ ଉପରେ ସ୍ୱତନ୍ତ୍ର ଧ୍ୟାନ ଦେବା ସହ ସୁକିନ୍ଦା ଅଞ୍ଚଳର ଛତୁଆ ଯୋଜନାର କଡ଼ା ଯାଞ୍ଚ କରିବାକୁ ଉପ-ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ହିତାଧିକାରୀମାନେ ଯେପରି ସମୟସୀମା ମଧ୍ୟରେ ଟେକ୍ ହୋମ୍ ରାସନ (THR) ଛତୁଆ ପାଇପାରିବେ, ତାହା ସୁନିଶ୍ଚିତ କରିବାକୁ କୁହାଯାଇଛି। ଏଥିସହିତ ପ୍ରତି ମାସ ୧୦ ତାରିଖ ସୁଦ୍ଧା କିମ୍ବା ତା’ ପୂର୍ବରୁ ବ୍ଲକ ସ୍ତରୀୟ ମନିଟରିଂ କମିଟି (BLMC) ବୈଠକର ବିବରଣୀ ଦାଖଲ କରିବାକୁ ନିଷ୍ପତ୍ତି ନିଆଯାଇଛି। ଅଞ୍ଚଳରେ କୁପୋଷଣର ସ୍ଥାୟୀ ସମାଧାନ ପାଇଁ ସଠିକ କାର୍ଯ୍ୟପନ୍ଥା ପ୍ରସ୍ତୁତ କରିବା ସହ ସମସ୍ତ ଶିଶୁଙ୍କ ନିୟମିତ ଓ ସଠିକ ଉଚ୍ଚତା ଏବଂ ଓଜନ ମାପିବା ଉପରେ ଗୁରୁତ୍ୱ ଦିଆଯାଇଛି। ସମସ୍ତ ଅତିଶୟ ପୁଷ୍ଟିହୀନତାରେ ଶିକାର (SAM/MAM/SUW ) ଶିଶୁମାନଙ୍କୁ ଚିହ୍ନଟ କରି ବିନା ବିଳମ୍ବରେ ପୋଷଣ ପୁନରୁଦ୍ଧାର କେନ୍ଦ୍ର (NRC) କୁ ପଠାଇବା ପାଇଁ ସମସ୍ତ ସିଡିପିଓ, ସୁପରଭାଇଜର ଓ ଅଙ୍ଗନବାଡ଼ି କର୍ମୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
ଆଇସିଡିଏସ ସେବାର ସମୀକ୍ଷା କଲେ ଯାଜପୁର ଉପ-ଜିଲ୍ଲାପାଳ: ନିୟମିତ ଯାଞ୍ଚ ସହ ଉପସ୍ଥାନ ଓ ଛତୁଆ ବଣ୍ଟନ ଉପରେ କଡ଼ା ନିର୍ଦ୍ଦେଶ
|
November 11, 2026 |



