ଥାର୍ ଧକ୍କାରେ ଜଣେ ମହିଳା ଶ୍ରମିକ ମୃତ, ୧୦ରୁ ଊର୍ଦ୍ଧ୍ୱ ଆହତ

Spread the love

ଆନନ୍ଦପୁର /୨୩/୮(ସନ୍ଧାନ ନ୍ୟୁଜ )ଆନନ୍ଦପୁର–କରଞ୍ଜିଆ ରାସ୍ତାର ଶାତକୋସିଆ ଘାଟି ନିକଟରେ ରବିବାର ଘଟିଛି ଏକ ଭୟାବହ ସଡ଼କ ଦୁର୍ଘଟଣା। ଥାର୍ ଗାଡ଼ି ଓ ଅଟୋ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଜଣେ ମହିଳା ଶ୍ରମିକଙ୍କ ମୃତ୍ୟୁ ଘଟିଥିବାବେଳେ ୧୦ରୁ ଊର୍ଦ୍ଧ୍ୱ ଶ୍ରମିକ ଆହତ ହୋଇଛନ୍ତି।

ସୂଚନା ଅନୁସାରେ, ଆନନ୍ଦପୁର ଥାନା ଅଧୀନ ସିକାବେଡ଼ା ଗାଁର ପ୍ରାୟ ୩୦ ଜଣ ପୁରୁଷ ଓ ମହିଳା ଶ୍ରମିକ ଚାପୁଣ୍ଡିଆ ଗାଁକୁ ଧାନତଳି ରୋଇବା କାମ ପାଇଁ ଯାଇଥିଲେ। କାମ ସାରି ସେମାନେ ଦୁଇଟି ଅଟୋ ଯୋଗେ ଘରକୁ ଫେରୁଥିଲେ। ତେବେ ଶାତକୋସିଆ ଘାଟି ନିକଟରେ ପହଞ୍ଚିବା ସମୟରେ ସାମ୍ନା ପଟୁ ଆସୁଥିବା ଏକ ଥାର୍ ଗାଡ଼ି ସହ ଅଟୋର ମୁହାଁମୁହିଁ ଧକ୍କା ହୋଇଥିଲା।

ଧକ୍କା ଏତେ ଜୋରଦାର ଥିଲା ଯେ, ଅଟୋରେ ଥିବା ଯାତ୍ରୀମାନଙ୍କ ମଧ୍ୟରୁ ଲୁଡଗି କଙ୍କନ ନାମକ ଜଣେ ମହିଳା ଶ୍ରମିକ ଗୁରୁତର ଆହତ ହୋଇଥିଲେ। ପରେ ତାଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଏଥିସହ ୧୦ରୁ ଊର୍ଦ୍ଧ୍ୱ ଶ୍ରମିକ ଆହତ ହୋଇଛନ୍ତି।

ଦୁର୍ଘଟଣାର ଖବର ପାଇ ମହୁଲଡିହା ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ସ୍ଥାନୀୟ ଲୋକଙ୍କ ସହଯୋଗରେ ପୋଲିସ ଆହତମାନଙ୍କୁ ଉଦ୍ଧାର କରି ଆନନ୍ଦପୁର ଡାକ୍ତରଖାନାକୁ ପଠାଇଥିଲା। ଆହତମାନଙ୍କ ମଧ୍ୟରୁ କେତେକଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି।

ଘଟଣାକୁ ନେଇ ମହୁଲଡିହା ପୋଲିସ ତଦନ୍ତ ଆରମ୍ଭ କରିଛି। ଦୁର୍ଘଟଣାର ପ୍ରକୃତ କାରଣ ଏବଂ ଥାର୍ ଗାଡ଼ିର ଚାଳକଙ୍କ ଭୂମିକା ସମ୍ପର୍କରେ ପୋଲିସ ପକ୍ଷରୁ ତଦନ୍ତ କରାଯାଉଛି।

Related Posts

About The Author

Add Comment