ବ୍ରାହ୍ମଣୀ କୂଳରୁ ଉଦ୍ଧାର ଗଳିତ ମୃତଦେହର ମିଳିଲା ପରିଚୟ ; ଶ୍ରାବଣୀ ଯାତ୍ରା ବେଳେ କେନାଲ ସ୍ରୋତରେ ଭାସିଯାଇଥିଲେ ଯୁବକ

Spread the love

ଜେନାପୁର, ୧୧/୮ (ସନ୍ଧାନ ନ୍ୟୁଜ): ଯାଜପୁର ଜିଲ୍ଲା ଜେନାପୁର ଥାନା ଅନ୍ତର୍ଗତ ଏଣ୍ଡଳବା ପଞ୍ଚାୟତ ମାଳହାଟ ଡଙ୍ଗାଘାଟ ନିକଟସ୍ଥ ବ୍ରାହ୍ମଣୀ ନଦୀ କୂଳରୁ ଉଦ୍ଧାର ହୋଇଥିବା ଗଳିତ ମୃତଦେହର ଚିହ୍ନଟ ପ୍ରକ୍ରିୟା ଶେଷ ହୋଇଛି। ମୃତ ଯୁବକଜଣକ ଶ୍ରାବଣୀ ଯାତ୍ରା ସମୟରେ କେନାଲର ପ୍ରବଳ ସ୍ରୋତରେ ଭାସିଯାଇ ନିଖୋଜ ଥିବା ପ୍ରାଥମିକ ତଦନ୍ତରୁ ସ୍ପଷ୍ଟ ହୋଇଛି।ପ୍ରାପ୍ତ ସୂଚନାନୁସାରେ, ମଙ୍ଗଳବାର ସକାଳେ ଏଣ୍ଡଳବା ଗ୍ରାମର କେତେକ ମହିଳା ନଦୀକୁ ଗାଧୋଇବାକୁ ଯାଇଥିବା ବେଳେ କୂଳରେ ଏକ ଅଜଣା ମୃତଦେହ ଭାସୁଥିବା ଦେଖିବାକୁ ପାଇଥିଲେ। ସ୍ଥାନୀୟ ଲୋକଙ୍କ ଜରିଆରେ ଖବର ପାଇ ଜେନାପୁର ଥାନା ଅଧିକାରୀ ପୋଲିସ ବଳ ସହ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିଥିଲେ। ପରେ ଆମ୍ବୁଲାନ୍ସ ଯୋଗେ ଶବ ବ୍ୟବଚ୍ଛେଦ ପାଇଁ ଧର୍ମଶାଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଯାଇଥିଲା।ଶବ ଚିହ୍ନଟ ପାଇଁ ଅନୁଗୁଳ ଓ ଢେଙ୍କାନାଳ ପୋଲିସର ଆଞ୍ଚଳିକ ହ୍ୱାଟସଆପ୍ ନେଟୱର୍କରେ ମୃତଦେହର ଫଟୋ ପ୍ରସାରିତ କରାଯାଇଥିଲା। ଫଟୋ ଦେଖି ମୃତ ଯୁବକଙ୍କ ପରିବାର ସଦସ୍ୟ ଜେନାପୁର ପୋଲିସ ସହ ଯୋଗାଯୋଗ କରି ପରିଚୟ ସାବ୍ୟସ୍ତ କରିଛନ୍ତି।ଘଟଣାର ପୃଷ୍ଠଭୂମିରୁ ଜଣାପଡ଼ିଛି ଯେ, ଗତ ରବିବାର ଦିନ ମୃତ ଯୁବକ ଅନ୍ୟ କାଉଡ଼ିଆ ଶ୍ରଦ୍ଧାଳୁଙ୍କ ସହ ଖଳାରୀ କେନାଲରୁ ପବିତ୍ର ଜଳ ସଂଗ୍ରହ କରୁଥିଲେ। ସେହି ସମୟରେ ଦର୍ଜେଙ୍ଗ ଡ୍ୟାମରୁ ହଠାତ୍ ଜଳ ନିଷ୍କାସନ ହେବାରୁ କେନାଲରେ ଜଳସ୍ତର ଓ ସ୍ରୋତ ବୃଦ୍ଧି ପାଇଥିଲା। ଫଳରେ ସେ ଭାରସାମ୍ୟ ହରାଇ ନିଖୋଜ ହୋଇଯାଇଥିଲେ।

​ଏହି ସଂକ୍ରାନ୍ତରେ ଜେନାପୁର ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ଅଧିକ ଆଇନଗତ କାର୍ଯ୍ୟାନୁଷ୍ଠାନ ଜାରି ରହିଛି।

Related Posts

About The Author

Add Comment