ଯାଜପୁର ଜିଲ୍ଲା ଉନ୍ନୟନ ସମନ୍ୱୟ ଓ ତଦାରଖ (ଦିଶା) କମିଟିର ତୃତୀୟ ବୈଠକ ଅନୁଷ୍ଠିତ

Spread the love

ଯାଜପୁର ସଦର, :  ୫/୬/୨୬ (ସନ୍ଧାନ ନ୍ୟୁଜ ) ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲା ସ୍ତରୀୟ ଉନ୍ନୟନ ସମନ୍ୱୟ ଏବଂ ତଦାରଖ (ଦିଶା) କମିଟି ବୈଠକ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି। ଯାଜପୁର ଲୋକସଭା ସାଂସଦ ଡ. ରବୀନ୍ଦ୍ର ନାରାୟଣ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ କୋରେଇ ବିଧାୟକ ତଥା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ଆକାଶ ଦାସ ନାୟକ, ବଡ଼ଚଣା ବିଧାୟକ ଅମର ନାୟକ, ଯାଜପୁର ବିଧାୟିକା ସୁଜାତା ସାହୁ, ଜିଲ୍ଲା ପରିଷଦ ସଭାପତି ନଳିନୀ ପ୍ରଭା ଜେନା, ଜିଲ୍ଲାପାଳ ଅମ୍ବର କୁମାର କର, ମୁଖ୍ୟ ଉନ୍ନୟନ ଅଧିକାରୀ ଦେବୀ ପ୍ରସାଦ ମହାନ୍ତି ଏବଂ ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତଙ୍କ ପ୍ରତିନିଧି ଯୋଗ ଦେଇଥିଲେ। ଜିଲ୍ଲାପାଳ ଶ୍ରୀ କର ସ୍ୱାଗତ ଅଭିଭାଷଣରେ କହିଥିଲେ ଯେ ଜିଲ୍ଲାର ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପର ଅଗ୍ରଗତି ସମୀକ୍ଷା କରିବା ଏବଂ ନୂତନ ପଦକ୍ଷେପ ବିଷୟରେ ଆଲୋଚନା କରିବା ପାଇଁ ଦିଶା ବୈଠକ ଏକ ପ୍ରମୁଖ ପ୍ଲାଟଫର୍ମ। ଲୋକସଭା ସାଂସଦ ଡ. ବେହେରା ଯାଜପୁର – ଧାମରା ରେଳଲାଇନ ଏକ ଐତିହାସିକ ପ୍ରକଳ୍ପ ହେବ ବୋଲି କହିଥିଲେ। ଏହାସହ ଜିଲ୍ଲାରେ ସ୍ଥାଣୁ ହୋଇ ରହିଥିବା ପ୍ରକଳ୍ପ ଗୁଡ଼ିକୁ ସମ୍ପୂର୍ଣ୍ଣ କରିବା ସହ କାର୍ଯ୍ୟକାରୀ କରିବା ପାଇଁ ମୁଖ୍ୟମନ୍ତ୍ରୀ ସମ୍ମତି ପ୍ରକାଶ କରିଛନ୍ତି ବୋଲି ସେ କହିଥିଲେ। ବିଶେଷ କରି ବିରଜା କ୍ଷେତ୍ର ବିକାଶ ପ୍ରକଳ୍ପ, ବରାହ ପୀଠ, ପର୍ଯ୍ୟଟନ ପ୍ରକଳ୍ପ, ସାଇନ୍ସ ପାର୍କ ଉପରେ ସାଂସଦ ଗୁରୁତ୍ବ ଦେଇଥିଲେ। ଏହି ସଭାରେ ଗତ ଦିଶା ବୈଠକର ବିବରଣୀ ଏବଂ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ଉପସ୍ଥାପନ କରାଯାଇଥିଲା। ଦିଶା ବୈଠକରେ ଗ୍ରାମ୍ୟ ଉନ୍ନୟନ, ରାସ୍ତା ଓ କୋଠାବାଡି ବିଭାଗ, ଜଳ ଜୀବନ ମିଶନ, ପାନୀୟ ଜଳ ଯୋଗାଣ, ଜଳସେଚନ ଏବଂ ଡ୍ରେନେଜ୍, ସ୍ୱାସ୍ଥ୍ୟ, ସମଗ୍ର ଶିକ୍ଷା, ସମନ୍ୱିତ ଶିଶୁ ବିକାଶ ଯୋଜନା ଭଳି ବିଭିନ୍ନ ବିଭାଗର ପ୍ରକଳ୍ପ କାର୍ଯ୍ୟ ଏବଂ ଯୋଜନାର କାର୍ଯ୍ୟକାରିତା ସମ୍ପର୍କରେ ସମୀକ୍ଷା କରାଯାଇଥିଲା। ସେତୁ ବନ୍ଧ ଯୋଜନା ଏବଂ ବ୍ରିଜ୍ ନିର୍ମାଣ ନେଇ ବିଧାୟକମାନେ ସମୀକ୍ଷା କରିବା ସହ ବିଭାଗୀୟ ଅଧିକାରୀମାନେ ରିପୋର୍ଟ ଦାଖଲ କରିବା ପାଇଁ କହିଥିଲେ। ବିଶେଷ କରି ସ୍ୱାସ୍ଥ୍ୟ ଭିତ୍ତିଭୂମି ପ୍ରକଳ୍ପ ଟେଣ୍ଡର ପୂର୍ବରୁ ସେହି ସ୍ଥାନର ଫିଜିବିଲିଟି  ଦେଖିବା ସହ ସ୍ଥାନୀୟ ବି ଡି ଓ, ତହସିଲଦାରଙ୍କ ମତାମତ ନେବା ଦରକାର ବୋଲି କୋରେଇ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଆକାଶ ଦାସନାୟକ କହିଥିଲେ। ଜିଲ୍ଲାରେ ଥିବା ସ୍ୱାସ୍ଥ୍ୟ ବିଭାଗ ର ସବସେଣ୍ଟର ଗୁଡିକରେ ପାଚେରୀ ନିର୍ମାଣ, ପାନୀୟ ଜଳ ଏବଂ ବିଦ୍ୟୁତ ଯୋଗାଣ ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ବଡ଼ଚଣା ବିଧାୟକ ଅମର ନାୟକ ପ୍ରସ୍ତାବ ଦେଇଥିଲେ। ଯାଜପୁର ବିଧାୟିକା ଲୋକଙ୍କୁ ନିର୍ଦ୍ଧାରିତ ସମୟରେ ପାନୀୟ ଜଳ ଯୋଗାଇବା ଉପରେ ଗୁରୁତ୍ୱାରୋପ କରିଥିଲେ।ଏହାସହ ରାସ୍ତା ଓ କୋଠାବାଡ଼ି ବିଭାଗର ପ୍ରଶାସନିକ ଭବନ ନିର୍ମାଣ, ମେଡିକାଲ କଲେଜ୍ ରେ ୧୫୦ ଶଯ୍ୟା ବିଶିଷ୍ଟ ଏମସିଏଚ ବିଲଡିଂ, ପାଣିକୋଇଲିରେ ଟ୍ରାଉମା କେୟାର ସେଣ୍ଟର ନିର୍ମାଣ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ସମୀକ୍ଷା ହୋଇଥିଲା। ଜାତୀୟ ରାଜପଥରେ ତୁରନ୍ତ ଡ୍ରେନେଜ ବ୍ୟବସ୍ଥା ସୁଧାରିବାକୁ ବଡ଼ଚଣା ବିଧାୟକ ସମ୍ପୃକ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଆଗକୁ ବର୍ଷା ଋତୁ ଥିବାରୁ, ଜୁନ୍ ମାସ ପୂର୍ବରୁ ମୌସୁମୀ ଏବଂ ବନ୍ୟା ପରିଚାଳନା ପ୍ରସ୍ତୁତି ଶେଷ କରିବା ଉପରେ କୋରେଇ ବିଧାୟକ ଆକାଶ ଦାସ ନାୟକ ଗୁରୁତ୍ବ ଦେବା ସହ, ଏହା ସମ୍ବନ୍ଧରେ ବୈଠକରେ ଆଲୋଚନା ହୋଇଥିଲା। ବସୁଧା ଯୋଜନା ଅଧୀନରେ ନୂତନ ନଳକୂପ ଖନନ ସ୍ଥିତି ସମ୍ପର୍କରେ ବିଭାଗୀୟ ଅଧିକାରୀ ତଥ୍ୟ ଉପସ୍ଥାପନ କରିଥିଲେ। ଡାଇରିଆ ନିୟନ୍ତ୍ରଣ ପାଇଁ ନିୟମିତ ପାନୀୟ ଜଳର ଗୁଣବତ୍ତା ଏବଂ କ୍ଲୋରିନେଶନ ପରିମାଣ ପରୀକ୍ଷା କରିବା ପାଇଁ ଜିଲ୍ଲାପାଳ ଶ୍ରୀ କର ପାନୀୟ ଜଳ ଯୋଗାଣ ଓ ପରିମଳ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ। ଏହାସହ ସାଂସଦ ଏବଂ ବିଧାୟକମାନେ ସମନ୍ୱିତ ଶିଶୁ ବିକାଶ ଯୋଜନାର ସଫଳ ରୂପାୟନ, ଅଙ୍ଗନୱାଡ଼ି କେନ୍ଦ୍ରରେ ଖାଲି ପଦବୀ, କଳିକା କେନ୍ଦ୍ରର କାର୍ଯ୍ୟକାରିତା, ସେଠାରେ ଦିଆଯାଉଥିବା ଛତୁଆର ଗୁଣବତ୍ତା ଏବଂ ମାନ ସମ୍ବନ୍ଧରେ ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀଙ୍କୁ ପ୍ରଶ୍ନ କରିଥିଲେ। ମେଡିକାଲ ସମେତ ବିଭିନ୍ନ କାର୍ଯ୍ୟାଳୟରେ ଆଉଟସୋର୍ସିଂ କର୍ମଚାରୀଙ୍କ କ୍ଷେତ୍ରରେ ସ୍ଥାନୀୟ ଯୁବପିଢ଼ିଙ୍କ ନିଯୁକ୍ତିକୁ ପ୍ରାଥମିକତା ଦେବା ପାଇଁ ବଡ଼ଚଣା ବିଧାୟକ ପ୍ରସ୍ତାବ ଦେଇଥିଲେ। ଏହାସହ ସାଂସଦ ଡ. ବେହେରା ଜିଲ୍ଲାରେ ବଣ୍ଟନ ହୋଇ ନଥିବା ପ୍ରାୟ ୬ ଲକ୍ଷ ଆୟୁଷ୍ମାନ କାର୍ଡକୁ ତୁରନ୍ତ ହିତାଧିକାରୀଙ୍କୁ ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଉପସ୍ଥିତ ଜନ ପ୍ରତିନିଧି ଏବଂ ଗଣମାଧ୍ୟମ ପ୍ରତିନିଧିମାନେ ମଧ୍ୟ ଜିଲ୍ଲାରେ ଥିବା ବିଭିନ୍ନ ମୌଳିକ ସମସ୍ୟା ସମ୍ପର୍କରେ ସାଂସଦ ଏବଂ ଜିଲ୍ଲାପାଳଙ୍କୁ ଅବଗତ କରାଇଥିଲେ। ବୈଠକରେ ଆଲୋଚନା ହୋଇଥିବା ବିଷୟବସ୍ତୁକୁ ଆଧାର କରି ପଦକ୍ଷେପ ଗ୍ରହଣ କରିବା ପାଇଁ ଜିଲ୍ଲାପାଳ ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଦିଶା କମିଟି ବୈଠକରେ କମିଟି ସଦସ୍ୟ, ସଦସ୍ୟା,ଜିଲ୍ଲା ପ୍ରଶାସନର ବିଭିନ୍ନ ବିଭାଗୀୟ ଅଧିକାରୀ, ବିଡ଼ିଓ, ଜନ ପ୍ରତିନିଧି, ପଞ୍ଚାୟତ ସମିତି, ପୌର ପରିଷଦ, ଜିଲ୍ଲା ପରିଷଦର ସଦସ୍ୟ, ଗଣମାଧ୍ୟମ ପ୍ରତିନିଧିମାନେ ଉପସ୍ଥିତ ଥିଲେ।

Related Posts

About The Author

Add Comment