ଓଡ଼ିଶାରେ ପୁଣି ତାତିର ପ୍ରକୋପ: ଆସନ୍ତା ୫ ଦିନ ଗୁଳୁଗୁଳି ସହ ୨ରୁ ୪ ଡିଗ୍ରୀ ବଢ଼ିବ ତାପମାତ୍ରା

Spread the love

ଭୁବନେଶ୍ୱର, ୦୨ ଜୁନ୍ (ସନ୍ଧାନ ନ୍ୟୁଜ୍ ବ୍ୟୁରୋ):ରାଜ୍ୟରେ ପୁଣିଥରେ ଗ୍ରୀଷ୍ମ ପ୍ରବାହ ଓ ଗୁଳୁଗୁଳିର ପ୍ରକୋପ ବଢ଼ିବାକୁ ଯାଉଛି। ଭାରତୀୟ ପାଣିପାଗ ବିଭାଗ (IMD)ର ସୂଚନା ଅନୁଯାୟୀ, ଆଜିଠାରୁ ଆସନ୍ତା ୫ ଦିନ ମଧ୍ୟରେ ଓଡ଼ିଶାର ବିଭିନ୍ନ ପ୍ରାନ୍ତରେ ସର୍ବାଧିକ ତାପମାତ୍ରା ୨ରୁ ୪ ଡିଗ୍ରୀ ସେଲସିୟସ୍ ପର୍ଯ୍ୟନ୍ତ ବୃଦ୍ଧି ପାଇବାର ସମ୍ଭାବନା ରହିଛି। ବିଶେଷ କରି ଉପକୂଳ ଓଡ଼ିଶା ସମେତ ପାର୍ଶ୍ୱବର୍ତ୍ତୀ ଜିଲ୍ଲାଗୁଡ଼ିକରେ ବାୟୁମଣ୍ଡଳରେ ଆର୍ଦ୍ରତା ଅଧିକ ରହିବା ଯୋଗୁଁ ଅସହ୍ୟ ଗରମ ସହ ଗୁଳୁଗୁଳି ପରିସ୍ଥିତି ଲୋକଙ୍କୁ କାଉତେ କରିବ।୧୧ ଜିଲ୍ଲା ପାଇଁ ସତର୍କ ସୂଚନା ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ଯେ, ଜୁନ୍ ୨ ତାରିଖରୁ ୬ ତାରିଖ ପର୍ଯ୍ୟନ୍ତ ରାଜ୍ୟର ପ୍ରମୁଖ ୧୧ଟି ଜିଲ୍ଲାରେ ଏହି ସ୍ଥିତି ଗମ୍ଭୀର ରହିବ। ପ୍ରଭାବିତ ହେବାକୁ ଥିବା ଜିଲ୍ଲାଗୁଡ଼ିକ ମଧ୍ୟରେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଓ ଗଜପତି ଅନ୍ତର୍ଭୁକ୍ତ। ଏହି ଅଞ୍ଚଳଗୁଡ଼ିକରେ ସୂର୍ଯ୍ୟ କିରଣ ସହ ଗୁଳୁଗୁଳି ଯୋଗୁଁ ସାଧାରଣ ଜୀବନଯାତ୍ରା ବ୍ୟାହତ ହେବାର ଆଶଙ୍କା ରହିଛି। ବିଶେଷ କରି ସକାଳ ୧୦ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଉପକୂଳବର୍ତ୍ତୀ ଅଞ୍ଚଳରେ ଲୋକେ ଅଧିକ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି।ଜନସାଧାରଣଙ୍କ ପାଇଁ ଜାରି ହେଲା ପରାମର୍ଶ ଏହି ପରିସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜନସାଧାରଣଙ୍କୁ ସତର୍କତା ଅବଲମ୍ବନ କରିବାକୁ ଅନୁରୋଧ କରାଯାଇଛି। ଦିନବେଳା ଅନାବଶ୍ୟକ ଭାବେ ଘରୁ ବାହାରକୁ ନ ଯିବା, ଶରୀରକୁ ସୁସ୍ଥ ରଖିବା ପାଇଁ ପର୍ଯ୍ୟାପ୍ତ ପରିମାଣର ପାଣି, ତୋରାଣି କିମ୍ବା ଓଆରଏସ୍ (ORS) ପିଇବା ଏବଂ ବାହାରେ କାମ କରୁଥିବା ଶ୍ରମିକ ଓ ଚାଷୀମାନଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।ପାଣିପାଗ ବିଶେଷଜ୍ଞଙ୍କ ଅନୁଯାୟୀ, ଆସନ୍ତା ୫ ଦିନ ମଧ୍ୟରେ ପାଗରେ କୌଣସି ବଡ଼ ଧରଣର ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ, ଯାହାଫଳରେ ଗରମରୁ ଆଶୁ ମୁକ୍ତି ମିଳିବା କଷ୍ଟକର ମନେହେଉଛି।

Related Posts

About The Author

Add Comment