ଜେନାପୁର/, ୧୭/୦୫ (ସନ୍ଧାନ ନ୍ୟୁଜ ): ଧର୍ମଶାଳା ବ୍ଲକ ଜେନାପୁର ଥାନା ଅନ୍ତର୍ଗତ ବୃନ୍ଦାଡେଇପୁର ପଞ୍ଚାୟତ ଦଣ୍ଡସଣା (କେଳା ସାହି) ଗ୍ରାମରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଘର ପାର୍ଶ୍ୱ ବାଉଁଶ ବୁଦା ମୂଳରୁ ଜଣେ ନବବଧୂଙ୍କ ମୃତଦେହକୁ ମାଟି ତଳୁ ପୋଲିସ ଉଦ୍ଧାର କରିଛି। ମୃତକ ଜଣକ ହେଉଛନ୍ତି ସେହି ଗ୍ରାମର ଶରତ ଦାସଙ୍କ ଝିଅ ପ୍ରମିଳା ଦାସ। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି।
ମିଳିଥିବା ସୂଚନା ମୁତାବକ, ଦଣ୍ଡସଣା ଗ୍ରାମର ବାବାଜୀ ଦାସଙ୍କ ପୁଅ ରଞ୍ଜନ (୨୯)ଙ୍କୁ ପ୍ରମିଳା କିଛି ଦିନ ପୂର୍ବେ ଏକ ସ୍ଥାନୀୟ ମନ୍ଦିରରେ ବିବାହ କରିଥିଲେ। ତେବେ ବିବାହର କିଛି ଦିନ ମଧ୍ୟରେ କୌଣସି କାରଣକୁ ନେଇ ଉଭୟ ପତି-ପତ୍ନୀଙ୍କ ମଧ୍ୟରେ କଳହ ସୃଷ୍ଟି ହୋଇଥିଲା। ଗତ ଶୁକ୍ରବାର ପ୍ରମିଳାଙ୍କର ମୃତ୍ୟୁ ହୋଇଥିବା ନେଇ ଚର୍ଚ୍ଚା ହେଉଥିବା ବେଳେ, ସ୍ୱାମୀ ରଞ୍ଜନ କାହାକୁ ନଜଣାଇ ତରବରିଆ ଭାବେ ଘର ପାଖ ବାଉଁଶ ବୁଦା ଭିତରେ ଗାତ ଖୋଳି ଶବକୁ ପୋତି ଦେଇଥିଲେ।
ରଞ୍ଜନଙ୍କ ଏଭଳି ସନ୍ଦେହଜନକ କାର୍ଯ୍ୟକଳାପକୁ ସ୍ଥାନୀୟ ଲୋକେ ଦେଖିବାକୁ ପାଇ ପୋଲିସକୁ ଖବର ଦେଇଥିଲେ। ଅପରପକ୍ଷରେ, ଶନିବାର ମୃତକଙ୍କ ବାପା ଝିଅ ବିଷପାନ କରି ଆତ୍ମହତ୍ୟା କରିଥିବା ନେଇ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ।
ଆଜି ପୂର୍ବାହ୍ନରେ ଧର୍ମଶାଳା ଅତିରିକ୍ତ ତହସିଲଦାର ତଥା ମାଜିଷ୍ଟ୍ରେଟ୍ ଗଗନ ବିହାରୀ ଦାସ, ଯାଜପୁର ସାଇଣ୍ଟିଫିକ୍ ଟିମ୍ ଏବଂ ଜେନାପୁର ପୋଲିସର ଉପସ୍ଥିତିରେ ମାଟି ତଳୁ ପ୍ରମିଳାଙ୍କ ମୃତଦେହକୁ ବାହାର କରାଯାଇଛି। ମୃତଦେହର ମୁହଁରେ କ୍ଷତ ଚିହ୍ନ ଥିବା ଦେଖିବାକୁ ମିଳିଛି। ପୋଲିସ ଶବ ଜବତ କରି ବ୍ୟବଛେଦ ପାଇଁ ମେଡିକାଲକୁ ପଠାଇବା ସହ ସ୍ୱାମୀ ରଞ୍ଜନକୁ ଅଟକ ରଖି ପଚରାଉଚରା ଜାରି ରଖିଛି।
ପୋଲିସ ରେକର୍ଡ ଅନୁଯାୟୀ ମୃତକଙ୍କ ବୟସ ୧୯ ବର୍ଷ ଦର୍ଶାଯାଇଥିବା ବେଳେ ସ୍ଥାନୀୟ ପଡ଼ୋଶୀଙ୍କ କହିବା ଅନୁସାରେ ଝିଅଟି ନାବାଳିକା ଏବଂ ତାଙ୍କ ବୟସ ମାତ୍ର ୧୨ ବର୍ଷ ହେବ। ତାଙ୍କର କୌଣସି ନିର୍ଦ୍ଦିଷ୍ଟ ପରିଚୟ ପତ୍ର ନାହିଁ। ପରିବାର ଲୋକେ ଆଦିବାସୀ ସମ୍ପ୍ରଦାୟର ହୋଇଥିବାରୁ କମ୍ ବୟସରେ ବିବାହ କରାଇ ଦେଇଥିବା ସ୍ଥାନୀୟ ଲୋକେ ପ୍ରକାଶ କରିଛନ୍ତି।
ଗ୍ରାମବାସୀଙ୍କ ଦାବି: ଓଡ଼ିଶାର ମୁଖ୍ୟମନ୍ତ୍ରୀ ଜଣେ ଆଦିବାସୀ ସମ୍ପ୍ରଦାୟର ହୋଇଥିବା ବେଳେ, ଏହି ଆଦିବାସୀ ନବବଧୂର ମୃତ୍ୟୁ ରହସ୍ୟ ଉପରୁ ପରଦା ହଟାଇବାକୁ ଏବଂ ସେ ସାବାଳିକା ନା ନାବାଳିକା ତାହାର ଏକ ଉଚ୍ଚସ୍ତରୀୟ ତଦନ୍ତ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।
ଏହି ଘଟଣାରେ ଜେନାପୁର ପୋଲିସ କେସ୍ ନମ୍ବର ୧୩୧/୨୬ରେ ଏକ ମାମଲା ରୁଜୁ କରି ତଦନ୍ତ ପ୍ରକ୍ରିୟାକୁ ଜୋରଦାର କରିଛି। ଏହା ହତ୍ୟା ନା ଆତ୍ମହତ୍ୟା, ତାହା ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ହିଁ ସ୍ପଷ୍ଟ ହେବ ବୋଲି ପୋଲିସ ସୂଚନା ଦେଇଛି।



