ଜେନାପୁର:୨୦/୯(ସନ୍ଧାନ ନ୍ୟୁଜ )ସୋସିଆଲ ମିଡିଆରେ ଏକ ଫଟୋ ଦେଖି ଅସହାୟ ରୋଗୀଙ୍କ ଯନ୍ତ୍ରଣା ବୁଝିଲେ। ଅପେକ୍ଷା ନକରି ଖୋଜ ନେଲେ ଏବଂ ପରଦିନ ଛୁଟି ଥିଲେ ମଧ୍ୟ ଚିକିତ୍ସା ସେବା ନେଇ ପହଞ୍ଚିଗଲେ ରୋଗୀଙ୍କ ଘରେ। ମାନବିକତାର ଏଭଳି ଅନନ୍ୟ ଦୃଷ୍ଟାନ୍ତ ସୃଷ୍ଟି କରିଛନ୍ତି ବରିଷ୍ଠ ଡାକ୍ତର ନିହାର ରଞ୍ଜନ କର। ଧର୍ମଶାଳା ବ୍ଲକ ଅନ୍ତର୍ଗତ ଜେନାପୁର ଥାନା ଅଧୀନ ପୁରୁଣାବଉଳମାଳ ଗ୍ରାମର ମିନା ପୂର୍ତ୍ତି ଦୀର୍ଘଦିନ ଧରି ରୋଗ ଯନ୍ତ୍ରଣାରେ ଛଟପଟ ହୋଇ ଅତ୍ୟନ୍ତ କଷ୍ଟକର ଜୀବନ ବିତାଉଥିଲେ। ବୟସର ଅପରାହ୍ନରେ ପହଞ୍ଚିଥିବା ମିନାଙ୍କ ଦୁର୍ଦ୍ଦଶା ସମ୍ପର୍କରେ ମାନସ ରଞ୍ଜନ ବିଶ୍ୱାଳ ଫେସବୁକ୍ରେ ଏକ ଫଟୋ ପୋଷ୍ଟ କରିଥିଲେ।
ଏହି ଫଟୋ ଡା. ନିହାର ରଞ୍ଜନ କରଙ୍କ ନଜରକୁ ଆସିବା ମାତ୍ରେ ସେ ମାନସ ବିଶ୍ୱାଳଙ୍କ ସହ ଯୋଗାଯୋଗ କରି ରୋଗୀଙ୍କ ଅବସ୍ଥା ସମ୍ପର୍କରେ ଖବର ନେଇଥିଲେ। ରବିବାର ଛୁଟିଦିନ ଥିବା ସତ୍ତ୍ୱେ ଡାକ୍ତର କର ଆବଶ୍ୟକ ଚିକିତ୍ସା ସାମଗ୍ରୀ ସହ ଏକ ଟିମ୍ ନେଇ ମିନା ପୂର୍ତ୍ତିଙ୍କ ଘରେ ପହଞ୍ଚିଥିଲେ। ସେଠାରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଅନୁଧ୍ୟାନ କରି ଚିକିତ୍ସା ସେବା ଯୋଗାଇଥିଲେ। ଡାକ୍ତର କରଙ୍କ ସହ ସଚେତନ ନାଗରିକ ମଞ୍ଚର ଆବାହକ ସରୋଜ ବେହେରା, ବରିଷ୍ଠ ସାମ୍ବାଦିକ ତଥା ସମାଜସେବୀ ମାନସ ରଞ୍ଜନ ବିଶ୍ୱାଳ, ସବ୍ୟସାଚୀ ସାହୁ, ରକ୍ତବନ୍ଧୁ ଯାଜପୁରର ଆବାହକ ବସନ୍ତ କୁମାର ମଲ୍ଲିକ, ସଦସ୍ୟ ସୁକାନ୍ତ ବେହେରା, ଶରତ ବଳ, ମନୋଜ ବେହେରା, ସାମ୍ବାଦିକ ଅସିତ ନାୟକ, ସନାତନ ମଲ୍ଲିକ, ସନ୍ତୋଷ ସାହୁ, ଜଗବନ୍ଧୁ ମଲ୍ଲିକ, ରାଜକିଶୋର ମଲ୍ଲିକ, ଟୁନା ଲେଙ୍କା, ଓମ ପ୍ରକାଶ ମଲ୍ଲିକ, ପ୍ରଶାନ୍ତ ପଲେଇ, ସିପୁନଙ୍କ ସମେତ ଅନ୍ୟ ସ୍ୱେଚ୍ଛାସେବୀମାନେ ଉପସ୍ଥିତ ଥିଲେ।
ଅସହାୟ ରୋଗୀଙ୍କ ଦୁର୍ଦ୍ଦଶାକୁ କେବଳ ସୋସିଆଲ ମିଡିଆର ଏକ ପୋଷ୍ଟ ଭାବେ ନଦେଖି, ତାହାକୁ ମାନବିକ ଦାୟିତ୍ୱ ଭାବେ ଗ୍ରହଣ କରି ଚିକିତ୍ସା ସେବା ଯୋଗାଇବାର ଏହି ପଦକ୍ଷେପ ଅଞ୍ଚଳବାସୀଙ୍କ ମନରେ ଗଭୀର ପ୍ରଭାବ ପକାଇଛି। ଡା. ନିହାର ରଞ୍ଜନ କରଙ୍କ ଏହି ମାନବିକ ପ୍ରୟାସକୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଇଛି।



