ଯାଜପୁର ସଦର, : ୪/୫/୨୬ (ସନ୍ଧାନ ନ୍ୟୁଜ ) “ସାର୍ ଆପଣ ନଗଲେ ଭଲ ହୁଅନ୍ତା” – କାନ୍ଦ କାନ୍ଦ କଣ୍ଠରେ ଛାତ୍ରଛାତ୍ରୀଙ୍କ ଏହି କଥା ଶୁଣି ଆଖିରୁ ଲୁହ ପୋଛୁଥିଲେ ଭୋଟକା ଉଚ୍ଚ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ସୁରେଶ ଚନ୍ଦ୍ର କର। ଦୀର୍ଘ ୩୪ ବର୍ଷ ଧରି ନିଷ୍ଠାର ସହ ଶିକ୍ଷାଦାନ କରି ଆଜି ସେ ସରକାରୀ ଚାକିରିରୁ ଅବସର ନେଲେ। ବିଦ୍ୟାଳୟ ପରିସରରେ ଆୟୋଜିତ ବିଦାୟ ସମ୍ବର୍ଦ୍ଧନା ସଭାରେ ଛାତ୍ର, ଶିକ୍ଷକ, ଅଭିଭାବକ ଓ ପୁରାତନ ଛାତ୍ରମାନଙ୍କ ଗହଣରେ ଏକ ଭାବବିହ୍ୱଳ ପରିବେଶ ସୃଷ୍ଟି ହୋଇଥିଲା।ପ୍ରଧାନ ଶିକ୍ଷକ ରମେଶ ଚନ୍ଦ୍ର ଖୁଣ୍ଟିଆଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଡ଼. ସୁଦର୍ଶନ ମଲ୍ଲିକ ମଣ୍ଡଳ ଶିକ୍ଷାଧିକାରୀ ରସୁଲପୁର,ସମ୍ନାନିତ ଅତିଥି ସୁନନ୍ଦ କୁମାର ରାଉତ ସଭାପତି ଓଷ୍ଟା ଯାଜପୁର,ପବିତ୍ର ମୋହନ ପଣ୍ଡା,କୁଷଧର ପଣ୍ଡା ପ୍ରଧାନ ଶିକ୍ଷକ ମଧୁପୁର ଉଚ୍ଚ ବିଦ୍ୟାଳୟ,ପ୍ରଭାତ କୁମାର ଚନ୍ଦ, ପ୍ରମୂଖ ଯୋଗଦେଇଥିଲେ l ବାଦଲ କୁମାର ମିଶ୍ର ଅତିଥି ପରିଚୟ ଦେଇଥିଲେ l ୧୯୯୨ ମସିହାରେ ସହକାରୀ ଶିକ୍ଷକ ଭାବେ ଭୋଟକା ହାଇସ୍କୁଲରେ ଯୋଗ ଦେଇଥିଲେ ସୁରେଶ ସାର୍। ହିନ୍ଦୀ ବିଷୟ ପଢାଉଥିବା ସାର୍ ଙ୍କ ପାଠ ପଢା ଶୈଳୀ, ଅନୁଶାସନ ଓ ସ୍ନେହ ପାଇଁ ସେ ସମସ୍ତଙ୍କ ପ୍ରିୟ ଥିଲେ। ତାଙ୍କ ହାତ ତିଆରି ଶତାଧିକ ଛାତ୍ରଛାତ୍ରୀ ଆଜି ଡାକ୍ତର, ଇଞ୍ଜିନିୟର, ଶିକ୍ଷକ, ପ୍ରଶାସକ ଭାବେ ପ୍ରତିଷ୍ଠିତ। ବିଦାୟ ସଭାରେ ଅଶ୍ରୁଳ ଆଖିରେ ସୁରେଶ ସାର୍ କହିଲେ, “ଏ ବିଦ୍ୟାଳୟ ମୋ ଘର, ଛାତ୍ରଛାତ୍ରୀ ମୋ ପିଲା। ୩୪ ବର୍ଷ କେମିତି ବିତିଗଲା ଜାଣିପାରିଲିନି। ବ୍ଲାକବୋର୍ଡ, ଖଡି, ଘଣ୍ଟି ଶବ୍ଦ ଆଉ ପିଲାଙ୍କ କୋଳାହଳ – ଏସବୁ ବିନା ଜୀବନ କେମିତି କଟିବ ଜାଣିନି। ମୁଁ ଦେହରେ ଶିକ୍ଷକ, ମନରେ ବି ସବୁଦିନ ଶିକ୍ଷକ ହୋଇ ରହିବି।”ପ୍ରଧାନ ଶିକ୍ଷକ ରମେଶ ଚନ୍ଦ୍ର ଖୁଣ୍ଟିଆ କହିଲେ, “ସୁରେଶ ସାର୍ କେବଳ ଶିକ୍ଷକ ନୁହଁନ୍ତି, ସେ ଆମ ବିଦ୍ୟାଳୟର ମେରୁଦଣ୍ଡ। କେବେ ଛୁଟି ନେଇନାହାନ୍ତି, କେବେ ଶ୍ରେଣୀରେ ବିଳମ୍ବ କରିନାହାନ୍ତି। ଗରିବ ପିଲାଙ୍କୁ ମାଗଣା ଟ୍ୟୁସନ, ବହିପତ୍ର କିଣିଦେବା, ରୋଗରେ ପଡିଲେ ଘରକୁ ଯାଇ ଦେଖିବା – ତାଙ୍କ ମଣିଷପଣିଆ ଅତୁଳନୀୟ। ତାଙ୍କ ଅଭାବ ସବୁଦିନ ଅନୁଭୂତ ହେବ।”ଦଶମ ଶ୍ରେଣୀ ଛାତ୍ରୀ ଲିପ୍ସା ରାଉତ କାନ୍ଦି କାନ୍ଦି କହିଲା, “ସାର୍ ଆମକୁ କେବଳ ପାଠ ନୁହେଁ, ଜୀବନ ବଞ୍ଚିବା ଶିଖାଇଛନ୍ତି। ଭୁଲ କଲେ ଗାଳି ଦିଅନ୍ତି, ପରେ ମୁଣ୍ଡ ଆଉଁସି ବୁଝାନ୍ତି। ସାର୍ ଙ୍କ ବିନା ସ୍କୁଲ ଖାଁ ଖାଁ ଲାଗିବ।”ଆଜିର ସଭାରେ ପୁରାତନ ଛାତ୍ର ସଂସଦ ତରଫରୁ ସୁରେଶ ସାର୍ ଙ୍କୁ ମାନପତ୍ର, ଉପଢୌକନ ଓ ଫୁଲତୋଡା ଦେଇ ସମ୍ମାନିତ କରାଯାଇଥିଲା। ବିଦ୍ୟାଳୟ ପରିଚାଳନା କମିଟି ତରଫରୁ ତାଙ୍କ ନାଁରେ ଗୋଟିଏ ପାଠାଗାର କକ୍ଷ ନାମିତ କରାଯିବ ବୋଲି ଘୋଷଣା ହୋଇଛି।ଅବସର ପରେ ବି ସୁରେଶ ସାର୍ ଗାଁ ପିଲାଙ୍କୁ ମାଗଣା ଶିକ୍ଷା ଦେବେ ବୋଲି କହିଛନ୍ତି। ପ୍ରକୃତ ଶିକ୍ଷକ କେବେ ଅବସର ନିଅନ୍ତିନି – ତାଙ୍କ କଥା ପ୍ରମାଣ କରିଦେଲେ ସୁରେଶ ସାର୍।ଅନନ୍ତ ନାରାୟଣ ମିଶ୍ର ଧନ୍ୟବାଦ ଦେଇଥିଲେ l ଏହି ସଭାରେ ପୁରାତନ ଛାତ୍ର ଛାତ୍ରୀ ଓ ପ୍ରମୋଦ ପତି ଫାଉଣ୍ଡେସନ ସମ୍ପୂର୍ଣ ସହଯୋଗ ସହିତ ଜଲଛତ୍ର ପ୍ରଦାନ କରିଥିଲେ।
୩୬ ବର୍ଷର ଶିକ୍ଷକତା ଜୀବନରେ ପୂର୍ଣଚ୍ଛେଦ: ଅବସର ନେଲେ ଭୋଟକା ହାଇସ୍କୁଲର ପ୍ରିୟ ଶିକ୍ଷକ ସୁରେଶ ଚନ୍ଦ୍ର କର
|
May 4, 2026 |



