ଜେନାପୁର ୪/୫/(ସନ୍ଧାନ ନ୍ୟୁଜ ): ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଫଳାଫଳରେ ଧର୍ମଶାଳା ଅଞ୍ଚଳ ପାଇଁ ଗୌରବ ଆଣିଛନ୍ତି ମେଧାବୀ ଛାତ୍ର ଶିବମ ପରିଡା। ଶିବମ ମୋଟ ୫୪୦ ନମ୍ବର ରଖି ସମ୍ମାନଜନକ ‘ଏ-୧’ (A1) ଗ୍ରେଡ୍ ହାସଲ କରିବା ପରେ ସ୍ଥାନୀୟ ଅଞ୍ଚଳରେ ଏବେ ଉତ୍ସାହର ମାହୋଲ ଦେଖିବାକୁ ମିଳିଛି।
ଧର୍ମଶାଳା ବ୍ଲକ ଏଣ୍ଡଳବା ପଞ୍ଚାୟତ ରାଧାକାନ୍ତପୁର ଗ୍ରାମର ଶିବମ ହେଉଛନ୍ତି ଜଣେ ନିଷ୍ଠାପର ଛାତ୍ର। ପିତା ସନ୍ତୋଷ ପରିଡା ଜଣେ ବ୍ୟବସାୟୀ ହୋଇଥିବା ବେଳେ ମାତା ସରୋଜିନୀ ପରିଡା ଜଣେ ଗୃହିଣୀ। ଶିବମ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକସ୍ଥିତ କାନପୁର ପଞ୍ଚାୟତ ହାଇସ୍କୁଲର ହଷ୍ଟେଲରେ ରହି ନିଜର ଶିକ୍ଷା ଗ୍ରହଣ କରୁଥିଲେ। ସେ ଦୈନିକ ୫ ରୁ ୭ ଘଣ୍ଟା ପରିଶ୍ରମ କରି ଏହି ସଫଳତା ପାଇଥିବା ପ୍ରକାଶ କରିଛନ୍ତି।
ଶିବମଙ୍କର ଏହି ଉଲ୍ଲେଖନୀୟ ସଫଳତା ପରେ ଧର୍ମଶାଳା ବ୍ଲକ ୧୧ ନମ୍ବର ଜୋନ୍ ଜିଲ୍ଲା ପରିଷଦ ଶ୍ରୀଯୁକ୍ତ ହିମାଂଶୁ ଶେଖର ସାହୁ ଶିବମଙ୍କୁ ଆନ୍ତରିକ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି। ସେ କହିଛନ୍ତି ଯେ, ଶିବମଙ୍କ ଭଳି ମେଧାବୀ ଛାତ୍ର ଆମ ଅଞ୍ଚଳ ପାଇଁ ଗର୍ବ ଏବଂ ତାଙ୍କର ଏହି ସଫଳତା ଅନ୍ୟ ଛାତ୍ରଛାତ୍ରୀଙ୍କ ପାଇଁ ଏକ ପ୍ରେରଣା। ଶ୍ରୀଯୁକ୍ତ ସାହୁଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ ଶିବମଙ୍କ ବାସଭବନରେ ପହଞ୍ଚି ତାଙ୍କୁ ସମ୍ବର୍ଦ୍ଧିତ କରିବା ସହ ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି।
ଜଣେ ଭଲ ମଣିଷ ହେବା ସହିତ ଭବିଷ୍ୟତରେ ଜଣେ ପ୍ରତିଷ୍ଠିତ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ (CA) ହେବା ପାଇଁ ଶିବମ ଲକ୍ଷ୍ୟ ରଖିଛନ୍ତି। ନିଜର ଏହି ସଫଳତାର ଶ୍ରେୟ ସେ ପିତାମାତା, ବିଦ୍ୟାଳୟର ସମସ୍ତ ଗୁରୁଜୀ-ଗୁରୁମା ଏବଂ ଶୁଭେଚ୍ଛୁମାନଙ୍କୁ ପ୍ରଦାନ କରିଛନ୍ତି।



