ଜେନାପୁର ୭/୪ (ସନ୍ଧାନ ନ୍ୟୁଜ): ଚଣ୍ଡିଖୋଲ-ଡୁବୁରୀ ୫୩ ନମ୍ବର ଜାତୀୟ ରାଜପଥ କନ୍ତପଡ଼ା ବ୍ରାହ୍ମଣୀ ବ୍ରିଜ ନିକଟରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଯାଇଛି। ବ୍ରିଜ୍ ଉପରୁ ପ୍ରାୟ ୩୦ ଫୁଟ ତଳକୁ ଏକ ମୋଟର ସାଇକେଲ ଖସି ପଡ଼ିବାରୁ ଦୁଇ ଜଣ ଯୁବକ ଗୁରୁତର ଭାବେ ଆହତ ହୋଇଛନ୍ତି।ମିଳିଥିବା ସୂଚନା ଅନୁଯାୟୀ, ଆହତ ଦୁଇ ଯୁବକ ହେଉଛନ୍ତି ଜେନାପୁର ଥାନା ଅନ୍ତର୍ଗତ ରାଇଛନ୍ଦା ପଞ୍ଚାୟତ ବାରକଣା ଗ୍ରାମର ପ୍ରଶାନ୍ତ ମହାରଣାଙ୍କ ପୁଅ ମଳୟ କୁମାର ମହାରଣା ଏବଂ ଧନେଶ୍ୱର ବାରିକ ଙ୍କ ପୁଅ ଲୁନା ବାରିକ ଉଭୟ ଏକ ବାଇକ୍ ଯୋଗେ ଜାତୀୟ ରାଜପଥ ଦେଇ ଯାଉଥିବା ସମୟରେ କୌଣସି କାରଣବଶତଃ ଗାଡ଼ିଟି ଭାରସାମ୍ୟ ହରାଇ ବ୍ରାହ୍ମଣୀ ବ୍ରିଜ୍ ତଳକୁ ଖସି ପଡ଼ିଥିଲା।ପ୍ରାୟ ୩୦ ଫୁଟ ଗଭୀରକୁ ଖସି ପଡ଼ିବା ଫଳରେ ଉଭୟଙ୍କ ଶରୀରରେ ଗଭୀର ଆଘାତ ଲାଗିଛି। ସ୍ଥାନୀୟ ଲୋକଙ୍କ ସହାୟତାରେ ସେମାନଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ନିକଟସ୍ଥ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସେମାନଙ୍କ ଅବସ୍ଥା ବର୍ତ୍ତମାନ ସଙ୍କଟାପନ୍ନ ଥିବା ଜଣାପଡ଼ିଛି।
ଘଟଣାସ୍ଥଳରେ ପୋଲିସ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ବାଇକଟିକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି। ବାରମ୍ବାର ଏହି ସ୍ଥାନରେ ଦୁର୍ଘଟଣା ଘଟୁଥିବାରୁ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି।



