ସୁନ୍ଦରଗଡ଼ ତା:୩/୪/୨୦୨୬( ସନ୍ଧାନ ନ୍ୟୁଜ) ସୁନ୍ଦରଗଡ଼ ଜିଲ୍ଲା ତଳସରା ନିର୍ବାଚନ ମଣ୍ଡଳୀରୁ ଆସିଛି ଏକ ଚିନ୍ତାଜନକ ଖବର। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଗରିବଙ୍କୁ ପକ୍କାଘର ଯୋଗାଇଦେବା ଅଭିଯାନ ‘ପ୍ରଧାନମନ୍ତ୍ରୀ ଆବାସ ଯୋଜନା’ ଏଠାରେ ସମ୍ପୂର୍ଣ୍ଣ ଠପ୍ ହୋଇପଡ଼ିଥିବା ଅଭିଯୋଗ ହୋଇଛି। ବର୍ଷ ବର୍ଷ ଧରି ଅପେକ୍ଷା କରିଥିବା ହିତାଧିକାରୀଙ୍କ ସ୍ୱପ୍ନ ଏବେ ଭାଙ୍ଗିବାକୁ ବସିଛି। ତଳସରା ନିର୍ବାଚନ ମଣ୍ଡଳୀର ଭଙ୍ଗା ଚାଳ ଘର, ଅଧପନ୍ତରିଆ ହୋଇ ପଡ଼ିଥିବା ଆବାସ ଘର, ଗରିବ ନିରୀହ ଲୋକଙ୍କ ଚିନ୍ତା ବଢିବାରେ ଲାଗିଚି । ତଳସରା ନିର୍ବାଚନ ମଣ୍ଡଳୀର ଅନେକ ଆଦିବାସୀ ଓ ଗରିବ ପରିବାର ଆଜି ବି ମାଟି ଘର କିମ୍ବା ଖପର ଶୁଆ ଘରେ ଦିନ କାଟୁଛନ୍ତି। ତାଲିକାରେ ନାମ ଥାଇ ମଧ୍ୟ ଅନେକ ଯୋଗ୍ୟ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ମିଳୁନାହିଁ। ଯେଉଁମାନଙ୍କୁ ମିଳିଛି, ସେମାନଙ୍କ ମଧ୍ୟରୁ ଅନେକଙ୍କର କିସ୍ତି ଟଙ୍କା ନଆସିବାରୁ ଘର କାମ ଅଧାରେ ଅଟକି ରହିଛି। ନିରୀହ ଲୋକେ ତିନି ବର୍ଷ ହେଲା ବ୍ଲକକୁ ଦୌଡ଼ୁଛନ୍ତି । ନାଁ ଲିଷ୍ଟରେ ଅଛି କିନ୍ତୁ ଘର ମିଳୁନି। ବର୍ଷା ଦିନେ ଘର ଭିତରେ ପାଣି ପଶୁଛି, କିନ୍ତୁ ଶୁଣିବାକୁ କେହି ନାହିଁ।”ଅନ୍ୟପଟେ ବୈଷୟିକ ତ୍ରୁଟି ଓ ସର୍ଭେରେ ପାତରଅନ୍ତର ଯୋଗୁଁ ଅନେକ ଅଯୋଗ୍ୟ ବ୍ୟକ୍ତି ଘର ପାଉଥିବା ବେଳେ ପ୍ରକୃତ ଗରିବ ଏବେ ବି ଆକାଶକୁ ଚାହିଁ ରହିଛି। ବ୍ଲକ ପ୍ରଶାସନ ନିକଟରେ ଏନେଇ ବାରମ୍ବାର ଗୁହାରି କଲେ ମଧ୍ୟ କେବଳ ‘ଆସନ୍ତା ମାସ’ର ପ୍ରତିଶ୍ରୁତି ହିଁ ମିଳୁଛି। ତେବେ ପ୍ରଶ୍ନ ଉଠୁଛି, କେବେ ସଜାଡ଼ି ହେବ ଏହି ଅବ୍ୟବସ୍ଥା? କେବେ ତଳସରା ନିର୍ବାଚନ ମଣ୍ଡଳୀର ଗରିବ ଲୋକ ନିଜ ମୁଣ୍ଡ ଉପରେ ପକ୍କା ଛାତ ପାଇବେ? ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବେ ନା ସାଧାରଣ ଲୋକ ଏମିତି ହଇରାଣ ହେଉଥିବେ ଏହା ଏକ ବଡ ପ୍ରଶ୍ନ?
ତଳସରା ନିର୍ବାଚନ ମଣ୍ଡଳୀରେ ଥମିଛି ଆବାସ ଯୋଜନା: ହିତାଧିକାରୀ ହତାଶ, ପ୍ରଶାସନ ନିରବ
|
April 3, 2026 |



