କଟକ ୧୨/୧/୨୬ (ସନ୍ଧାନ ନ୍ୟୁଜ) : ଭାଷା ଏବଂ ଭାବକୁ ନେଇ ମଣିଷ ଯେଉଁ ଖେଳ ଖେଳେ ତାହା ହେଉଛି ଅସଲ ସାହିତ୍ୟ । ଭାଷା ଦୁର୍ବଳ ହେଲେ ସାହିତ୍ୟ ସମୃଦ୍ଧ ହେବ ନାହିଁ । ଭାବର ଅଭାବ ଘଟିଲେ ସେ ସାହିତ୍ୟିକ ହୋଇପାରିବ ନାହିଁ। ଭାବର ଅଭାବ କାହା ପାଇଁ ଘଟିଛି ଏବଂ କାହିଁକି ଘଟୁଛି ସେ ସମ୍ପର୍କରେ ଅଧିକ ଆତ୍ମସମୀକ୍ଷାର ଆବଶ୍ୟକତା ରହିଛି। ଶ୍ରୀରାମ ଚନ୍ଦ୍ର ଭବନରେ ଡକ୍ଟର୍ ଚିତ୍ତରଞ୍ଜନ ବେହେରାଙ୍କ କୃତି ଓ କୃତିତ୍ବକୁ ନେଇ ପ୍ରଫେସର୍ ବୈଷ୍ଣବ ଚରଣ ସାମଲଙ୍କ ସମ୍ପାଦିତ ଚିତ୍ତରଞ୍ଜନଙ୍କ ସାରସ୍ବତ ସର୍ଜନ, ଦିଗ ଓ ଦିଗନ୍ତ ପୁସ୍ତକର ଲୋକାର୍ପଣ ଉତ୍ସବ ଅବସରରେ ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦେଶକ ସୌମ୍ୟରଞ୍ଜନ ପଟ୍ଟନାୟକ ଏଭଳି କହିଛନ୍ତି । ମୁଖ୍ୟ ଅତିଥି ଭାବେ ଶ୍ରୀ ପଟ୍ଟନାୟକ ଯୋଗଦେଇ କହିଲେ ଯେ, ଅନୁଭବ କାଙ୍ଗାଳ ଆମ ସାହିତ୍ୟକୁ ମୁକ୍ତି ଦେବା ପାଇଁ ଗୋଟିଏ ବିରାଟ ବଡ଼ ଅଭିଯାନର ଆବଶ୍ୟକତା ଅଛି। ଆଜି ଆମ ଗଣତାନ୍ତ୍ରିକ ବ୍ୟବସ୍ଥା ମଧ୍ୟ ଅଭାବର ଶିକାର ହୋଇଛି। ଗଣତନ୍ତ୍ରରେ ଗଦ୍ୟର ସମୃଦ୍ଧି ଏକାନ୍ତ ଆବଶ୍ୟକ। ଗଦ୍ୟ ସମୃଦ୍ଧ ନହେଲେ ଗଣତନ୍ତ୍ର ସମୃଦ୍ଧ ହେବନାହିଁ ବୋଲି ସେ କହିଥିଲେ। ରେଭେନ୍ସା ବିଶ୍ବବିଦ୍ୟାଳୟର ଅବସରପ୍ରାପ୍ତ ପ୍ରାଧ୍ୟାପକ ଡକ୍ଟର୍ ନଟବର ଶତପଥୀଙ୍କ ସଭାପତିତ୍ବରେ ଆୟୋଜିତ ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମର ଉଦ୍ଘାଟକ ଭାବେ ଉତ୍ତମାପୁର ତପୋବନ ଆଶ୍ରମର ସ୍ବାମୀ ବିଶ୍ବାତ୍ମାନନ୍ଦ ଗରି,ବରେଣ୍ୟ ଅତିଥି ଭାବେ ବିଶ୍ବ ଭାରତୀ ଶାନ୍ତିନିକେତନର ଅବରପ୍ରାପ୍ତ ପ୍ରଫେସର୍ ଡକ୍ଟର୍ ବୈଷ୍ଣବ ଚରଣ ସାମଲ,ସମ୍ମାନିତ ଅତିଥି ଭାବେ ‘ଆମ୍ବ ସମ୍ବଳ’ ସଭାପତି ଡକ୍ଟର୍ ସୁଶାନ୍ତ କୁମାର ମହାପାତ୍ର ଯୋଗ ଦେଇଥିଲେ । ବିଜୟିନୀ ପବ୍ଲିକେସନ୍ ସ୍ବତ୍ତାଧିକାରୀ ଦିଲ୍ଲୀପ ବେଉରା ଉପସ୍ଥିତ ଥିଲେ । ସାରସ୍ବତ ସାଧକ ଡକ୍ଟର ଚିତ୍ତରଞ୍ଜନ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।
ଚିତ୍ତରଞ୍ଜନଙ୍କ ସାରସ୍ବତ ସର୍ଜନ : ଦିଗ ଓ ଦିଗନ୍ତ ଉନ୍ମୋଚିତ
|
January 12, 2026 |



