କଟକ( ସନ୍ଧାନ ନିଉଜ) : ଓଡ଼ିଶାର କୃଷି ଓ କୃଷକର ବିକାଶକୁ ଲକ୍ଷ୍ୟ କରି ରାଜ୍ୟ ସରକାର ସବୁ ସମୟରେ କାର୍ଯ୍ୟ କରି ଆସୁଛନ୍ତି । କୃଷି ଆମ ରାଜ୍ୟର ଅର୍ଥନୀତିର ପରିମାପକ । କୃଷି ଓ କୃଷକର ବିକାଶକୁ ମୂଳମନ୍ତ୍ର ଭାବରେ ବିବେଚନା କରି ୨୦୧୮ରୁ କୃଷି ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ଆରମ୍ଭ ହୋଇଥିଲା କୃଷି ଭିତ୍ତିକ ତ୍ରୈମାସିକ ପତ୍ରିକା “ଶ୍ୟାମଳ ସୁବର୍ଣ୍ଣ” । ପତ୍ରିକାରୁ ପ୍ରତିଷ୍ଠାନ ହୋଇ ଏବେ ଚାଷୀ ମାନଙ୍କ ନିକଟତର ହୋଇ ସେମାନଙ୍କ ମଧ୍ୟରେ ଦିନିକିଆ କୃଷକ ସଚେତନତା ଶିବିର,ମିଲେଟ ମିଶନକୁ ପ୍ରୋତ୍ସାହନ ଦେଇ ମାଣ୍ଡିଆର କର୍ମଶାଳା ଏବଂ ମାଛ ଚାଷୀ ମାନଙ୍କୁ ଅନେକ ପ୍ରକାରର ତାଲିମ ପ୍ରଦାନ କରାଯାଉଛି । ଶ୍ୟାମଳ ସୁବର୍ଣ୍ଣ ଆଗ୍ରୋ ପ୍ରାଲିଃ. ଏବେ ଚାଷୀ ମାନଙ୍କ ମଧ୍ୟରେ ଜୈବିକ କୃଷିକୁ ଅଧିକ ଲୋକପ୍ରିୟ କରାଇବା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ କରାଇବା ସହ ଏବେ ସୁଦ୍ଧା ପ୍ରାୟ ୧୨ଟି ଜିଲ୍ଲାରେ ଚାଷୀ ମାନଙ୍କୁ ନୂଆ କୃଷି ଜ୍ଞାନ କୌଶଳ ଉପରେ ଶିକ୍ଷା ମଧ୍ୟ ପ୍ରଦାନ କରୁଛନ୍ତି । ଓଡ଼ିଶାରେ ପ୍ରଥମ ଥର ପାଇଁ କୃଷି ଛାତ୍ରମାନଙ୍କ ଦ୍ୱାରା ପରିକଳ୍ପନାରେ ଭୁବନେଶ୍ୱରର ରେଡ଼କ୍ରସ ଭବନ ଠାରେ କୃଷି କନ୍କ୍ଲେଭ ଆୟୋଜିତ ହୋଇଯାଇଛି । ରାଜ୍ୟର କୃଷକ ଓ ଯୁବକ ମାନଙ୍କୁ ଏକାଠି କରି କୃଷିର ବିକାଶ ଦିଗରେ ଆଲୋଚନା ହୋଇଛି । ଆନ୍ତଜାର୍ତୀୟ ମିଲେଟ ବର୍ଷ ପାଇଁ ଭୋଜନରେ ମାଣ୍ଡିଆରୁ ପ୍ରସ୍ତୁତ ଖାଦ୍ୟକୁ ଅନ୍ତର୍ଭୁକ୍ତ କରାଯାଇଥିଲା । ଏହି ସମାବେଶକୁ ମୁଖ୍ୟ ଅତିଥି ଭାବରେ ରାଜ୍ୟସଭା ସାଂସଦ ଡ଼.ଅମର ପଟ୍ଟନାୟକ ଉଦଘାଟନ କରି କୃଷିର ବିକାଶ କିପରି ରାଷ୍ଟ୍ର ଗଠନର ମୂଳଦୁଆ ସେ ଦିଗରେ ଆଲାକପାତ କରିଥିଲେ । ମୁଖ୍ୟ ବକ୍ତା ଭାବରେ କୃଷି ସମ୍ପ୍ରସାରଣ ଅଧ୍ୟକ୍ଷ ଡ଼. ପ୍ରସନ୍ନଜିତ ମିଶ୍ର ଜୈବିକ କୃଷିର ବିକାଶ ଦିଗରେ ନିଜର ମତ ରଖିଥିଲେ । ସମ୍ମାନିତ ଅତିଥି ଭାବେ ରାଜ୍ୟ ଯୋଜନା ବୋର୍ଡର ସଦସ୍ୟ ଡ଼ଃ.ପ୍ରସନ୍ନ ପାଟ୍ଟଶାଣୀ,ଶ୍ୟାମଳ ସୁବର୍ଣ୍ଣ ଗ୍ରୁପର ଉପଦେଷ୍ଟା ପ୍ରଶାସକ ସୌମ୍ୟଶ୍ରୀ ପାଣିଗ୍ରାହୀ ତଥା ବରିଷ୍ଠ ସାମ୍ବାଦିକ ଡ଼.ପବିତ୍ର ମୋହନ ସାମନ୍ତରାୟ ଯୋଗ ଦେଇଥିଲେ । ଏହି କନକ୍ଲେଭରେ ସଫଳ ଚାଷୀ ଭାବରେ ଛାୟାରାଣୀ ସାହୁ,ଉପେନ୍ଦ୍ର ବିଶ୍ୱାଳ ଓ ଜ୍ଞାନ ରଂଜନ ଦାସ ତଥା ଯୁବ ଲେଖିକା ଭାବରେ କ୍ରିଷ୍ଣା ଲିଣ୍ଟାସ ବେହେରା,ଓୟୁଏଟିର ଅନିଲ ମିଶ୍ର, ସେଂଚୁରିଆନ ବିଶ୍ୱବିଦ୍ୟାଳୟର ଅଧ୍ୟକ୍ଷ ଡ଼.ସତ୍ୟ ପ୍ରକାଶ ନନ୍ଦ , ଆଇଜି ଡ୍ରୋନର ମୁଖ୍ୟ ବୋଧିସତ୍ତ୍ୱ ସଂଘପ୍ରିୟ ତଥା ଶ୍ରେଷ୍ଠ ଉଦ୍ୟୋଗୀ ଭାବରେ ଦେବତାନୁ ବର୍ମନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏଥିସହ ତିନୋଟି ପ୍ୟାନେଲ ଯଥା “ସଫଳତାର ଶୀର୍ଷରେ ମାଣ୍ଡିଆର ମହକ,କୃଷି ଉଦ୍ୟୋଗୀ କରଣ ଏକ ବିହଙ୍ଗାବଲୋକନ,ଓଡ଼ିଶାର ମତ୍ସ୍ୟ ସଂପଦର ବିକାଶ,ସ୍ୱପ୍ନ ଓ ସମ୍ଭାବନା” ଶୀର୍ଷକରେ ଆୟୋଜନ କରାଯାଇଥିଲା କୃଷି କୃଷକ ଓ ବୈଜ୍ଞାନିକ ମାନଙ୍କର ସମନ୍ୱୟ ସହ ଏହି କନକ୍ଲେଭରେ ସାରା ଓଡ଼ିଶାରୁ ୧୫୦ରୁ ଉର୍ଦ୍ଧ ଚାଷୀ,କୃଷି ଛାତ୍ରଛାତ୍ରୀ,କୃଷି ବୈଜ୍ଞାନିକ ମାନେ ଯୋଗଦେଇଥିଲେ । କାର୍ଯ୍ୟକ୍ରମକୁ ଭୁବନାନନ୍ଦ ଅଧିକାରୀ,ଶୁଭଶ୍ରୀ ସାହୁ ଓ ପ୍ରଜ୍ଞା ପରମିତା ସଂଚାଳନ କରିଥିଲେ ।
ଉନ୍ନତ କୃଷି ହିଁ ପ୍ରଗତିଶୀଳ ରାଷ୍ଟ୍ର ଗଠନର ମୂଳଦୂଆ : ଡ଼.ଅମର ପଟ୍ଟନାୟକ
|
May 14, 2023 |
