ମାନବ ଗଠନ- ରାଷ୍ଟ୍ର ନିର୍ମାଣ ଶୀର୍ଷକ ଜାତୀୟ କର୍ମଶାଳା ଅନୁଷ୍ଠିତ

Spread the love

ଭୁବନେଶ୍ୱର, (ସନ୍ଧାନ ନିଉଜ) ଉତ୍କଳ ବିଶ୍ୱବିଦ୍ୟାଳୟର ନୃତତ୍ତ୍ୱ ବିଭାଗ ଏବଂ ବିବେକାନନ୍ଦ କେନ୍ଦ୍ର କନ୍ୟା କୁମାରୀ ଶାଖା ଭୁବନେଶ୍ଵର ସହଭାଗିତାରେ ମ୍ୟାନ୍ ମେକିଙ୍ଗ- ନେସନ୍ ବିଲ୍ଡଙ୍ଗ (ମାନବ ଗଠନ- ରାଷ୍ଟ୍ର ନିର୍ମାଣ) ଶୀର୍ଷକ ‌ଏକ ଜାତୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ନୃତତ୍ତ୍ୱ ବିଭାଗର ଛାତ୍ର ଛାତ୍ରୀ, ଗବେଷଣା ବିଦ୍ୟାର୍ଥୀ ଏବଂ ସମସ୍ତ ପ୍ରଫେସର, ସହଯୋଗୀ ପ୍ରଫେସର ଓ ସହକାରୀ ପ୍ରଫେସର ମାନେ ଯୋଗଦାନ କରିଥିଲେ। ପ୍ରାଧ୍ୟାପକ ଓ ବିଭାଗୀୟ ମୁଖ୍ୟ ଶ୍ରୀଯୁକ୍ତ ଦୈତାରୀ ସାହୁ କର୍ମଶାଳାର ଆବାହକ ରୂପେ ସ୍ଵାଗତ ଭାଷଣ ସହିତ କର୍ମଶାଳାର ଆଭିମୁଖ୍ୟ ଉପସ୍ଥାପନ କରି ଏଥିରେ ଯୋଗ ଦେଇଥିବା ବିବେକାନନ୍ଦ କେନ୍ଦ୍ର କନ୍ୟାକୁମାରୀ ଶାଖା ଭୁବନେଶ୍ଵରର ସମସ୍ତ କର୍ମକର୍ତ୍ତାଙ୍କ ପରିଚୟ ପ୍ରଦାନ କରିଥିଲେ। ବିବେକାନନ୍ଦ କେନ୍ଦ୍ର କନ୍ୟାକୁମାରୀ ଶାଖା ଭୁବନେଶ୍ଵରର ଶ୍ରୀଯୁକ୍ତ ରବି ନାଇଡୁ କର୍ମଶାଳାର ଅଧ୍ୟକ୍ଷତା କରିଥିଲେ। ଏହି କର୍ମଶାଳା ବିବେକାନନ୍ଦ କେନ୍ଦ୍ର କନ୍ୟାକୁମାରୀ ଶାଖା ଭୁବନେଶ୍ଵରର ଶ୍ରୀଯୁକ୍ତ ଆଶୁତୋଷ ଦାସଙ୍କ ଦ୍ୱାରା ଈଶ୍ୱରଙ୍କ ପ୍ରାର୍ଥନାରେ ଆରମ୍ଭ ହୋଇ କ୍ରମଶଃ ତାଙ୍କ ଦ୍ୱାରା କେତେକ ଆନନ୍ଦ ଦାୟକ ଯୋଗ ସମ୍ବନ୍ଧୀୟ ଶାରୀରିକ କ୍ରିଡା ଅଭ୍ୟାସ ଓ ଦେଶାତ୍ମବୋଧକ ସଙ୍ଗୀତ ସହ ସମ୍ପାଦିତ ହୋଇଥିଲା। ଉକ୍ତ କେନ୍ଦ୍ରର ଆଜୀବନ ପୁର୍ଣ୍ଣକାଳିନ କର୍ମକର୍ତ୍ତା ଶ୍ରୀଯୁକ୍ତ ଲକ୍ଷ୍ମୀନାରାୟଣ ପାଣିଗ୍ରାହୀ ମାନବ ଗଠନ-ରାଷ୍ଟ୍ର ନିର୍ମାଣରେ ଯୁବ ସମାଜର ଦାୟିତ୍ଵ ବୋଧ ଏବଂ ସ୍ୱାମୀ ବିବେକାନନ୍ଦଙ୍କର ଯୁବ ସମାଜପ୍ରତି ଏହି ପରିପ୍ରେକ୍ଷୀରେ ଦୃଢ଼ ଆସ୍ଥା ଉପରେ ସାରଗର୍ଭକ ଭାଷଣ ଦେଇଥିଲେ। ପରେ ପରେ ଶ୍ରୀଯୁକ୍ତ ସୁନୀଲ କୁମାର ଦେବତା କେତେକ ଯୋଗ ସମ୍ବନ୍ଧୀୟ ଅଭ୍ୟାସ ପ୍ରଦର୍ଶନ କରିଥିଲେ। ଶ୍ରୀଯୁକ୍ତ ରବି ନାଇଡୁ କର୍ମଶାଳାର ସମାପ୍ତି ଭାଷଣ ପ୍ରଦାନ କରିବା ସହିତ ଏଥିରେ ଯୋଗଦାନକାରୀ ଛାତ୍ରଛାତ୍ରୀ ଓ ଗବେଷଣା ବିଦ୍ୟାର୍ଥୀ ମାନଙ୍କୁ ମାନବ ଗଠନ-ରାଷ୍ଟ୍ର ନିର୍ମାଣରେ ସ୍ୱାମୀ ବିବେକାନନ୍ଦଙ୍କର ଆଦର୍ଶରେ ଅନୁପ୍ରାଣୀତ ହେବାକୁ ଉତ୍ସାହିତ କରିଥିଲେ। ବିଶେଷ ଭାବେ ଉକ୍ତ କର୍ମଶାଳାଟି ସ୍ୱାଧୀନତାର ୭୫ ବର୍ଷ ପୁର୍ତ୍ତି‌ ଅମୃତ ମହୋତ୍ସବର ସ୍ମାରକୀ ରୂପେ ଆୟୋଜିତ ହୋଇଥିଲା। ନୃତତ୍ତ୍ୱ ବିଭାଗର ସହକାରୀ ପ୍ରଫେସର ଡ଼ଃ ପ୍ରିୟାଙ୍କା ଖୁରାନା ଉକ୍ତ କର୍ମଶାଳାର କୋଅଡିନେଟର୍ ଭାବେ ଏହାର ପରିଚାଳନା କରିବା ସହିତ କର୍ମଶାଳାରେ ସାଫଲ୍ୟରେ ସହଯୋଗୀ ଅନୁଷ୍ଠାନ ଏବଂ ବ୍ୟକ୍ତି ବିଶେଷଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Related Posts

About The Author

Add Comment