ଅସ୍ତରଙ୍ଗ:- ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଶିଶୁଅ ପଞ୍ଚାୟତ ର ତଣ୍ଡାହର ଏକ ଗ୍ରାମ।ପ୍ରାୟ ୨୦୦୦ ରୁ ଉର୍ଦ୍ଧ୍ବ ଜନସଂଖ୍ୟା ବିଶିଷ୍ଟ ଏହି ଗାଁ ଟି ସମୁଦ୍ର କୂଳରେ ରହିଛି । ୧୯୯୯ ମସିହା ମହାବାତ୍ୟା ଠାରୁ ଆରମ୍ଭ କରି ହୁଡ଼ ହୁଡ଼, ଫାଇଲିନ, ତିତିଲ, ଫନି, ଅମ୍ପାନ ଓ ୟଶ ପରି ଅନେକ ବାତ୍ୟା କୁ ଅଙ୍ଗେ ନିଭେଇଛନ୍ତି ଗ୍ରାମବାସୀ।କିନ୍ତୁ ପ୍ରକୃତି ର କରାଳ ରୂପ ରେ ଅଶାନ୍ତ ସମୁଦ୍ର ଧୋଇ ନେଇ ଯାଇଥିଲା ଦୀର୍ଘ ୨୦ ବର୍ଷ ପୂର୍ବରୁ ଏହି ଗାଁ ଲୋକଙ୍କ ଭିଟାମାଟି।ଅସହାୟ ଓ ଭୂମିହୀନ ଗାଁ ଲୋକେ ବାଧ୍ୟ ହୋଇ ବିସ୍ଥାପିତ ହେଲେ ଅନ୍ୟ ଏକ ସ୍ଥାନକୁ।ଆରମ୍ଭ ହେଲା ନୂଆ ଯାଗା ସହ ନୂଆ ପରିଚୟ। ଏହି ତଣ୍ଡାହର ବାସିନ୍ଦା ଙ୍କ ଦୁଃଖ ଅନେକ କିନ୍ତୁ ସରକାର ଙ୍କ ପାଖେ ଉପକୂଳ ରୁ ବିଧାନସଭା କେମିତି ବା ପହଞ୍ଚିବ ସ୍ୱର।ସରକାର ଙ୍କ ଦୃଷ୍ଟି ସେମାନଙ୍କ ଉପରେ ନପଡିବାରୁ ବାଧ୍ୟ ହୋଇ ଆଜି ଗ୍ରାମବାସୀ ନିଜ ଗାଁ ଓ ମାଟି ର ସୁରକ୍ଷା ପାଇଁ ଭିଡ଼ିଛନ୍ତି ଅଣ୍ଟା।
ଦିନକୁ ଦିନ ଜଳବାୟୁ ରେ ପରିବର୍ତ୍ତନ ଯୋଗୁଁ ଅଶାନ୍ତ ହେଉଛି ସମୁଦ୍ର।ଧୀରେ ଧୀରେ ମାଡି ଆସୁଛି ଜନ ବସତି ଆଡ଼କୁ।ଧୋଇ ନେଉଛି ଜମି, ଜଙ୍ଗଲ ସବୁ କିଛି।ଗାଁ ଲୋକଙ୍କ ସୁରକ୍ଷା କବଚ ସାଜିଥିବା ତଥା ସମୁଦ୍ର ଓ ଗାଁ ମଝିରେ ପାଚେରୀ ହୋଇ ଠିଆ ହୋଇଥିବା ସେ ଝାଉଁ ଜଙ୍ଗଲ ଏବେ ନଷ୍ଟ ହେଇଯାଇଛି।ଜାହି ଯେତିକି ଥିଲା ଲଗାତାର ଆସୁଥିବା ବାତ୍ୟା ସବୁ କିଛି ଭାଙ୍ଗି ରୁଜି ଚୁର୍ମାର କରିଦେଲା।ବନ ବିଭାଗ ଓ ସରକାର ଙ୍କ ଦୃଷ୍ଟି ଏହି ସାଧାରଣ ଗାଁ ଲୋକ ଙ୍କ ଉପରେ ନପଡିବାରୁ ଲୋକଙ୍କ ବିପଦ ବେଳର ବନ୍ଧୁ ହୋଇ ଠିଆହେଲେ ଯୁବ ପରିବେଶ ବିତ ସରୋଜ କୁମାର ଜେନା।ଗାଁ ଲୋକଙ୍କ ପାଇଁ ଉଠାଇଛନ୍ତି ସ୍ୱର, ରଖିଛନ୍ତି ସରକାର ଙ୍କ ପାଖେ ଦାବି,କିନ୍ତୁ ନିଦ୍ରାରେ ଶୋଇଥିବା ସରକାର ଓ ବନ ବିଭାଗ ପାଖେ ଅପହଞ୍ଚ ସାଧାରଣ ଲୋକ ର ସ୍ୱର।ଲୋକଙ୍କୁ ଏକତ୍ରିତ କରି ଶେଷରେ ଯୁବ ପରିବେଶ ବିତ ଗାଁ ର ସୀମା ଓ ସମୁଦ୍ର କୁ ଲାଗିରହିଥିବା ଖୋଲା ପଡ଼ିଆ କୁ କୃତ୍ରିମ ଜଙ୍ଗଲ ସୃଷ୍ଟି କରିବାକୁ ଗାଁ ଲୋକ ଙ୍କୁ ଯୋଗାଇ ଦେଇଛନ୍ତି ପ୍ରାୟ ହଜାର ରୁ ଉର୍ଦ୍ଧ୍ବ ଗଛ। ଗାଁ ଲୋକେ ପ୍ରାୟ ୨ ଏକର ରୁ ଉର୍ଦ୍ଧ୍ବ ପଡିଆ କୁ ବାଉଁଶ ବାଡ଼ ବୁଲାଇ ସେଠି ଲଗାଇଛନ୍ତି ଅନେକ କିସମର ଗଛ ଏବଂ ଗାଁ ଲୋକେ ଏହି ଅଭିଯାନ ର ନା ଦେଇଛନ୍ତି ପ୍ରଣାମ ତଣ୍ଡାହର।ଯାହା ସେମାନଙ୍କୁ ବିସ୍ଥାପିତ ହେବାରୁ ବଞ୍ଚାଇବା ସହ ପ୍ରାକୃତିକ ବିପର୍ଯ୍ୟୟ ଓ ପରିବେଶ ସନ୍ତୁଳନ ରେ ମଧ୍ୟ ନିଶ୍ଚୟ ସାହାର୍ଯ୍ୟ କରିବ।ତେବେ ଆଗକୁ ମଧ୍ୟ ଗାଁ ଓ ସମୁଦ୍ର ସୀମା ମଝିରେ ଆହୁରି ଅଧିକ ଗଛ ଲଗାଇ ନିଜ ଗାଁ ର ଯତ୍ନ ନିଜେ ନେବେ ବୋଲି କହିଛନ୍ତି ଗ୍ରାମବାସୀ।ଏହି କାର୍ଯ୍ୟକ୍ରମ କୁ ଗ୍ରାମବାସୀ ଙ୍କ ସହ ଯୁବ ପରିବେଶ ବିତ ସରୋଜ ଜେନା ଆୟୋଜନ କରିଥିବା ବେଳେ, ମିଥୁନ, ସୁବ୍ରତ, ବିକାଶ ପ୍ରମୁଖ ସହଯୋଗ କରିଥିଲେ।