ଭୋଗରାଇ,୧/୧୧(ସନ୍ଧାନ ନ୍ୟୁଜ୍): ପାରିବାରିକ କଳହର ଦୁଃଖଦ ପରିଣତି ସ୍ଥାନୀୟ ଅଞ୍ଚଳବାସୀଙ୍କ ହୃଦୟକୁ ଦୋହଲାଇ ଦେଇଛି । ବିବାହକୁ ମାତ୍ର ବର୍ଷେ ପୂରିଥିଲା • ବେଳେ ଜୀବନ ଉପରୁ ମୋହ ତୁଟାଇଲେ । ଘର କବାଟ କିଛି ବିଷ ପିଇଲେ ନବଦମ୍ପତି । ଚିକିତ୍ସାଧୀନ ଅବସ୍ଥାରେ ସ୍ୱାମୀଙ୍କ ମୃତ୍ୟୁ ହୋଇଥିଲା ବେଳେ ସ୍ତ୍ରୀ ଗୁରୁତର ଅବସ୍ଥାରେ କଟକ ସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ବାଲେଶ୍ଵର ଜିଲ୍ଲା ଭୋଗରାଇ ବ୍ଲକ ମନ୍ଦାରସାହି ପଞ୍ଚାୟତ କାଳାହୀ ଗ୍ରାମରେ ଏଭଳି ଘଟଣା ଘଟିଛି। ସୂଚନା ମୁତାବକ; କାଳାହୀ ଗ୍ରାମର ରବୀନ୍ଦ୍ର ଜେନାଙ୍କ ଦୁଇ ପୁଅ ସୁଦୂର କେରଳ ରାଜ୍ୟରେ ରହି କାମଧନ୍ଦା କରନ୍ତି । ବଡ଼ପୁଅ ଜୟନ୍ତ (୨୯) ପ୍ରାୟ ଏକ ବର୍ଷ ପୂର୍ବେ ଭୋଗରାଇ ବ୍ଲକ କୁମ୍ଭାରମୂଳି ପଞ୍ଚାୟତ ହାଣ୍ଡିପଡ଼ା ଗ୍ରାମର ସର୍ବେଶ୍ୱର ବେହେରାଙ୍କ ଝିଅ ଅର୍ଚ୍ଚନା (୨୨)ଙ୍କୁ ବୈଦିକ ରୀତିରେ ବିବାହ ହୋଇଥିଲେ । ବିବାହ ପରେ ଅର୍ଚ୍ଚନା ଶାଶୁ-ଶ୍ବଶୁରଙ୍କ ସହ ଗାଁରେ ରହୁଥିଲା ବେଳେ ଜୟନ୍ତ କେରଳରେ ରହୁଥିଲେ। ଗୁରୁବାର ରାତିରେ ଜୟନ୍ତ ଘରକୁ ଫେରି ଆସିଥିଲେ। ହେଲେ ଶନିବାର ସନ୍ଧ୍ୟାରୁ ଜୟନ୍ତ ଓ ଅର୍ଚ୍ଚନାଙ୍କ ମଧ୍ୟରେ କୌଣସି କାରଣକୁ ନେଇ ମତାନ୍ତର ହୋଇଥିଲା । ରାତି ପ୍ରାୟ ୯ଟାରେ ଉଭୟେ ଘର କବାଟ କିଛି ବିଷ ପିଇ ଦେଇଥିଲେ । ଘର କବାଟ ବନ୍ଦ ଥିଲାବେଳେ ଭିତରୁ ବିଷର ଉତ୍କଟ ଗନ୍ଧ ବାରି ଜୟନ୍ତଙ୍କ ବାପା-ମାଆ କବାଟ ବାଡେଇ ଡାକିଥିଲେ । ହେଲେ ସେମାନେ କବାଟ ନ ଖୋଲିବାରୁ ପଡ଼ିଶା ଲୋକଙ୍କ ସହାୟତାରେ କବାଟ ଭଙ୍ଗାଯାଇଥିଲା । ଜୟନ୍ତ, ଅର୍ଚ୍ଚନାକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ସ୍ଥାନୀୟ ଜଳେଶ୍ଵ ରପୁର ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ । ସେମାନଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ ଉଭୟଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ରବିବାର ସକାଳେ ଜୟନ୍ତଙ୍କ ମୃତ୍ୟୁ ହୋଇଥିଲା । ଅର୍ଚ୍ଚନାଙ୍କୁ ଉଦ୍ବେଗଜନକ ଅବସ୍ଥାରେ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ହେଲେ କଟକ ବଡ଼ ଡାକ୍ତରଖାନାରେ ଆଇସିୟୁ ବ୍ୟବସ୍ଥା ହୋଇ ନପାରିବାରୁ ଗୁରୁତର ଅର୍ଚ୍ଚନାଙ୍କୁ କଟକର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି । ରବିବାର ସନ୍ଧ୍ୟାରେ ଜୟନ୍ତଙ୍କ ମୃତଶରୀର ଗାଁରେ ପହଞ୍ଚିବା ପରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ଏହି ନବଦମ୍ପତିଙ୍କ ବିଷ ପିଇବାର ପ୍ରକୃତ କାରଣ ସ୍ପଷ୍ଟ ହୋଇନାହିଁ ।
ସାଥୀ ହୋଇ ବିଷ ପିଇଲେ ନବଦମ୍ପତି
|
November 2, 2020 |
