ରାଉରକେଲା, ୧୧/୧୦/୨୦ (ସନ୍ଧାନ ନିଉଜ) : କରୋନା ମହାମାରୀ ମନୁଷ୍ୟ ଜୀବନର ଗତିପଥକୁ ଅସ୍ୱାଭାବିକ ଭାବେ ବଦଳାଇ ଦେଇଛି । ଏହି ଅଦୃଶ୍ୟ ଘାତକ ଶତୃକୁ ମୁକାବିଲା କରିବା ପାଇଁ ଦୀର୍ଘ ୮ ମାସ ହେବ ସ୍କୁଲ କଲେଜ ଆଦି ଶିକ୍ଷାନୁଷ୍ଠାନ ବନ୍ଦ ରହିଛି । ଛାତ୍ରଛାତ୍ରୀ ମାନଙ୍କୁ ଶିକ୍ଷାଦାନ କରିବା ନିମନ୍ତେ ଭିନ୍ନ ଉପାୟ ଅବଲମ୍ବନ କରାଯାଉଛି, ଯାହାକି କିଛି ମାତ୍ରାରେ ଫଳପ୍ରଦ ହେଉଥିଲେହେଁ, ବହୁ ମାତ୍ରାରେ ଫଳପ୍ରଦ ହେଉନାହିଁ । ଘରେ ବସି ମୋବାଇଲ ଫୋନ ମାଧ୍ୟମରେ ଶିକ୍ଷକ/ ଅଧ୍ୟାପକ ମାନେ ଶିକ୍ଷାଦାନ କରୁଥିବା ବେଳେ ଛାତ୍ରଛାତ୍ରୀ ମାନେ ଅନୂରୂପ ଭାବେ ମୋବାଇଲ ଫୋନ ମାଧ୍ୟମରେ ଶିକ୍ଷା ଗ୍ରହଣ କରୁଛନ୍ତି । ସହରାଂଚଳରେ ଅନଲାଇନ ଶିକ୍ଷାର ବ୍ୟାପକ ପ୍ରଚାରପ୍ରସାର ହେଉଥିବା ବେଳେ, ଗ୍ରାମାଚଂଳ ଓ ଅପହଂଚ ଇଲାକାରେ ଅନଲାଇନ ଶିକ୍ଷା ଆହରଣ ଏତେଟା ଫଳପ୍ରଦ ହୋଇ ପାରୁନାହିଁ । ଅନଲାଇନ ଶିକ୍ଷା ପାଇଁ ସବୁଠାରୁ ବଡ଼ ଆବଶ୍ୟକତା ସାଜିଛି ଏନଡ୍ରୋଏଡ଼ ସ୍ମାର୍ଟ ମୋବାଇଲ ଓ ଇଂଟରନେଟ୍ ସୁବିଧା । କରୋନା ମହାମାରୀ ସମୟରେ ରୋଜଗାର ସୀମିତ ହୋଇ ଯାଇଛି! ପିଲାମାନଙ୍କ ଶିକ୍ଷା ପାଇଁ ଅଭିଭାବକ ଓ ପିତାମାତା ମାନେ ଯେ କୌଣସି ମତେ ଦାମୀ ମୋବାଇଲ ସେଟ କ୍ରୟ କରି ପାରୁଥିବା ବେଳେ, ମଧ୍ୟବିତ, ନିମ୍ନ ମଧ୍ୟବିତ ଓ ଗରିବ ଅଭିଭାବକ ମାନେ ଯେକୌଣସି ମତେ ଏପରିକି କରଜ କରି ଦାମୀ ମୋବାଇଲ କ୍ରୟ କରୁଛନ୍ତି । ସବୁଠାରୁ ବିଡମ୍ବନାର ବିଷୟ ଏହିକିଯେ, ଗ୍ରାମାଚଂଳର ଅଭିଭାବକ ମାନେ ଗାଈ, ଛେଳି ବନ୍ଧା କରି ଅବା ବିକ୍ରି କରି ପିଲାଙ୍କ ପାଠପଢା ଲାଗି ମୋବାଇଲ କ୍ରୟ କରୁଛନ୍ତି । କରୋନା କାଳରେ ଅଭିଭାବକ ମାନଙ୍କ ଉପରେ ଏହା ଅତିରିକ୍ତ ଆର୍ଥିକ ବୋଝକୁ ପରୋକ୍ଷ ଭାବେ ଲଦି ଦେଉଛି, ଯାହାକି ବୋଝ ଉପରେ ନଳିତା ବିଡ଼ା ସଦୃଶ ହୋଇଛି । ଅନଲାଇନ ଶିକ୍ଷା ସମ୍ବନ୍ଧରେ ସଠିକ ଭାବେ ସଚେତନ ନଥିବା ଗ୍ରାମାଚଂଳର କିଛି ଅଭିଭାବକ ବହୁ ନାମିଦାମୀ କମ୍ପାନୀର ମୋବାଇଲ କ୍ରୟ କରି ହରଡ଼ଘଣାରେ ପଡ଼ୁଛନ୍ତି! ଏପରି ମଧ୍ୟ ଦେଖିବାକୁ ମିଳୁଛି ଯେ, ଅଭିଭାବକ ମାନେ ସେମାନଙ୍କ ପିଲାମାନଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ମୋବାଇଲ କ୍ରୟ ନିମନ୍ତେ ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ମହିଳା(ଏଚଏସଜି) ମାନଙ୍କ ଠାରୁ ଉଚ୍ଚ ସୁଧହାରରେ କରଜ ଆଣୁଥିବା ଜଣାପଡ଼ିଛି । ଏହା ସହିତ ମୋବାଇଲରେ ଏକାଧିକ ନେଟୱାର୍କର ଡାଟା କ୍ରୟ ପାଇଁ ମଧ୍ୟ ବହୁ ଅର୍ଥ ବ୍ୟୟ କରିବାକୁ ଅଭିଭାବକ ମାନେ ବାଧ୍ୟ ହେଉଛନ୍ତି, କାରଣ ଗୋଟିଏ ନେଟୱାର୍କ ସବୁବେଳେ ଉପଲବ୍ଧ ହେଉନଥିବାରୁ ପାଠ ପଢାରେ ବ୍ୟାଘତ ନହେବା ଲାଗି ଏକାଧିକ ନେଟୱାର୍କକୁ ପ୍ରସ୍ତୁତ କରିବା ଦରକାର ପଡୁଛି ।
ଅପରପକ୍ଷରେ ପୂର୍ବରୁ ପୁସ୍ତକ କ୍ରମେ ଦୃଷ୍ଟି ହଟାଇ ମୋବାଇଲକୁ ସାଥିକରି ପାଠ ପଢିଥିବା ଛାତ୍ରଛାତ୍ରୀ ମାନେ ଏବେ ସୁଯୋଗ ପାଇ ଦିନରାତି ମୋବାଇଲ ସହ ସମୟ କାଟୁଥିବା ଜଣାପଡ଼ିଛି । ଦିନରେ ମାତ୍ର କେଇଘଂଟା ଅନଲାଇନ ପାଠପଢାକୁ ଛାଡ଼ିଦେଲେ ବାକି ସମୟ ଛାତ୍ରଛାତ୍ରୀ ମାନେ ଖାଲିରେ ଅତିବାହିତ କରୁଛନ୍ତି । ଅଭିଭାବକ ତୁଳନାରେ ପିଲାମାନେ ମୋବାଇଲ ପରିଚାଳନାରେ ଅଧିକ ଦକ୍ଷ ହୋଇଥିବାରୁ ପିଲାମାନେ ଅନଲାଇନ କ୍ରୟ ଓ ଅର୍ଥପୈଠ ପାଇଁ ପିଲାମାନଙ୍କ ସହାୟତା ଲୋଡୁଛନ୍ତି । ଯାହାଦ୍ୱାରା ମୋବାଇଲ ମାଧ୍ୟମରେ ଆର୍ଥିକ ପରିଚାଳନାର ଲାଭ ଉଠାଇ ପିଲାମାନେ ଅର୍ଥର ଅପଚୟ କରୁଛନ୍ତି ବା ଅକାରଣରେ ଅର୍ଥ ବରବାଦ ମଧ୍ୟ କେତେକ ସ୍ଥଳେ କରୁଛନ୍ତି । ଏହାଦ୍ୱାରା ଛାତ୍ରାତ୍ରୀଙ୍କ ପାଇଁ ସାଇବର ସୁରକ୍ଷା ନିମନ୍ତେ ପ୍ରଶ୍ନ ଆସିଛି । କରୋନା ଆତଙ୍କ ହୁଏତ ଅପସରି ଯାଇପାରେ, ମାତ୍ର ମୋବାଇଲ ମାନିଆରୁ ବର୍ତିବା ଛାତ୍ରଛାତ୍ରୀଙ୍କ ପକ୍ଷେ ଅସମ୍ଭବ ମନେ ହେଉଛି ।