ତଳସରା ପୋଲିସ ପକ୍ଷରୁ ସାଇକେଲ ରେଳିର କିଛି ଝଲକ ଓ “ଇନ୍ଧନ ବଞ୍ଚାଅ” ଅଭିଯାନ

Spread the love

ସୁନ୍ଦରଗଡ ତା:୨୪/୫/୨୦୨୬( ସନ୍ଧାନ ନ୍ୟୁଜ) ଇନ୍ଧନ ସଞ୍ଚୟ ଓ ପରିବେଶ ସୁରକ୍ଷା ପାଇଁ ଏକ ଅଭିନବ ପ୍ରୟାସ ଦେଖିବାକୁ ମିଳିଛି ସୁନ୍ଦରଗଡ଼ ଜିଲ୍ଲା ତଳସରା ପୋଲିସ ପକ୍ଷରୁ । ଦେଶରେ ପେଟ୍ରୋଲ ଓ ଡିଜେଲର ବ୍ୟବହାର ନିୟନ୍ତ୍ରଣ ତଥା ସୀମିତ ଉତ୍ସର ସଞ୍ଚୟ ପାଇଁ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ଵାନ କ୍ରମେ ଆଗକୁ ଆସିଛି ପୋଲିସ ପ୍ରଶାସନ। ସର୍ବସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ତଳସରା ପୋଲିସ ପକ୍ଷରୁ ଏକ ବିଶାଳ ସାଇକେଲ ରେଳି କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଏହି ରେଳି ମାଧ୍ୟମରେ ପୋଲିସ ଅଧିକାରୀମାନେ ନିଜେ ସାଇକେଲ ଚଳାଇ ଲୋକଙ୍କୁ କମ୍ ଦୂରତା ପାଇଁ ଗାଡ଼ି ବଦଳରେ ସାଇକେଲ ବ୍ୟବହାର କରିବାକୁ ବାର୍ତ୍ତା ଦେଇଛନ୍ତି। ଏଥିରେ ଅଞ୍ଚଳର ଯୁବପୀଢ଼ି ବହୁ ସଂଖ୍ୟାରେ ଯୋଗଦେଇଥିବା ଦେଖିବାକୁ ମିଳିଛି । ପୋଲିସ ଅଧିକାରୀ ଓ କର୍ମଚାରୀମାନେ ହାତରେ ସଚେତନତା ପ୍ଲାକାର୍ଡ ଧରି ସାଇକେଲ୍ ଚଲାଉଛନ୍ତି। ଦେଶରେ ଗାଡ଼ି ମୋଟର ସଂଖ୍ୟା ବଢ଼ିବା ସହ ପେଟ୍ରୋଲ ଓ ଡିଜେଲର ବ୍ୟବହାର ବହୁଳ ମାତ୍ରାରେ ବୃଦ୍ଧି ପାଇବାରେ ଲାଗିଛି, ଯାହା ଆଗାମୀ ଦିନ ପାଇଁ ଏକ ବଡ଼ ଚିନ୍ତାର ବିଷୟ। ଏହି ପରିପ୍ରେକ୍ଷୀରେ ଇନ୍ଧନର ସଦୁପଯୋଗ ଓ ସଞ୍ଚୟ ପାଇଁ ପ୍ରଧାନମନ୍ତ୍ରୀ ଦେଇଥିବା ଆହ୍ଵାନକୁ ସୁନ୍ଦରଗଡ଼ର ତଳସରା ପୋଲିସ ବେଶ୍ ଗମ୍ଭୀରତାର ସହ ଗ୍ରହଣ କରିଛି। ତଳସରା ଥାନା ଅଧିକାରୀ ଶ୍ରୀମତି ଯଶୋବନ୍ତି ବାଗଙ୍କ ନେତୃତ୍ୱରେ ପୋଲିସ କର୍ମଚାରୀମାନେ ଏକାଠି ହୋଇ ଅଞ୍ଚଳ ପରିକ୍ରମା କରିଛନ୍ତି। କେବଳ ଇନ୍ଧନ ସଞ୍ଚୟ ନୁହେଁ, ବରଂ ସାଇକେଲ ଚଳାଇବା ଦ୍ୱାରା ଶାରୀରିକ ସୁସ୍ଥତା ଏବଂ ବାୟୁ ପ୍ରଦୂଷଣ କିପରି କମିପାରିବ, ସେ ନେଇ ସ୍ଥାନୀୟ ବାସିନ୍ଦାଙ୍କୁ ସଚେତନ କରାଯାଇଛି। ସାଇକେଲ ରେଳି ବଜାର ଏବଂ ଜନଗହଳି ପୂର୍ଣ୍ଣ ରାସ୍ତା ଦେଇ ଗତି କରୁଛି। ପୋଲିସ ଟିମ୍ ସାଧାରଣ ଲୋକଙ୍କୁ ଲିଫ୍ଲେଟ୍ ବାଣ୍ଟୁଛନ୍ତି। ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଆହ୍ଵାନ କ୍ରମେ ଆମେ ଏହି ଛୋଟ ପ୍ରୟାସ ଆରମ୍ଭ କରିବା ସହିତ ପେଟ୍ରୋଲ ଓ ଡିଜେଲର ସୀମିତ ବ୍ୟବହାର ଦ୍ୱାରା ଆମେ ଦେଶର ଅର୍ଥନୀତି ଓ ପରିବେଶକୁ ସୁରକ୍ଷିତ କରିପାରିବା ପାଇଁ ସମସ୍ତଙ୍କୁ ତଳସରା ଥାନା ଅଧିକାରୀ ଶ୍ରୀମତି ଯଶୋବନ୍ତି ବାଗ ଅନୁରୋଧ କରିବା ସହିତ ଅତି କମରେ ଛୋଟ ଛୋଟ କାମ ପାଇଁ ବାଇକ୍ ବା କାର୍ ବ୍ୟବହାର ନ କରି ସାଇକେଲ ଚଲାଇବା କିମ୍ବା ଚାଲି ଚାଲି ଯିବାକୁ ପରାମର୍ଶ ଦେଇଛନ୍ତି । ଏହି କାର୍ଯ୍ୟକ୍ରମକୁ ତଳସରା ଥାନା ଏ.ଆଇ.ସି ସୁବାସ ଚନ୍ଦ୍ର ମିରିଗ ପରିଚାଳନା କରିଥିଲେ । ତଳସରା ପୋଲିସର ଏହି ପଦକ୍ଷେପ ଆଗାମୀ ଦିନରେ ଅନ୍ୟମାନଙ୍କୁ ପ୍ରେରଣା ଯୋଗାଇବ ଏବଂ ଲୋକେ ନିଜ ଦୈନନ୍ଦିନ ଜୀବନରେ ଇନ୍ଧନ ସଞ୍ଚୟ ପ୍ରତି ଅଧିକ ସତର୍କ କରାଇବ ବୋଲି ଆଶା କରାଯାଉଛି।

 

Related Posts

About The Author

Add Comment