ବାରିପଦା ୨୯/୮/୨୦ (ସନ୍ଧାନ ନିଉଜ/ଲିଙ୍ଗରାଜ ପଣ୍ଡା):- ମହାମାରୀ କରୋନା ସଂକ୍ରମଣ ହାର କମ କରିବା ପାଇଁ କୋଭି ନିୟମକୁ କଡାକଡି ଭାବେ ପାଳନ କରାଯାଉଛି । କୌଣସି ଜରୁରୀ କାମ ନ ପଡିଲେ ଘରୁ ବାହାରିବାକୁ ବାରଣ କରାଯାଇଛି । ମାସ୍କ ବ୍ୟବହାର କରିବା ବାଧ୍ୟତାମୂଳକ ବୋଲି ନିର୍ଦ୍ଦେଶ ବି ଦିଆଯାଇଛି । ହେଲେ ମୟୂରଭଞ୍ଜ ଜିଲ୍ଲାର ସଦର ମହକୁମା ବାରିପଦା ସହରରେ ଅଧିକାଂଶ ଲୋକ ଏହାକୁ ମାନିବାକୁ ନାରାଜ। ଭୁତାଣୁ ସଂକ୍ରମଣକୁ ଖାତିର ନ କରି ଲୋକେ ମନଇଚ୍ଛା ବୁଲିବାରେ ଲାଗିଛନ୍ତି । ଯାହାଫଳରେ ଦିନକୁ ଦିନ ସଂକ୍ରମଣଙ୍କ ସଂଖ୍ୟା ବୃଦ୍ଧି ପାଉଛି। କୋଭିଡ୍ କଟକଣା ଯେତେ କୋହଳ ହେଉଛି, ନିୟମ ଉଲ୍ଲଘନକାରୀଙ୍କ ସଂଖ୍ୟା ସେତେ ବଢୁଛି । ଗତ ମାର୍ଚ୍ଚ ଶେଷ ଭାଗରୁ ଏହି କଟକଣା ଜାରି ହୋଇଥିବା ବେଳେ ଏପ୍ରିଲରୁ ଅଗଷ୍ଟ ମଧ୍ୟରେ ବିନା ମାସ୍କଧାରୀଙ୍କଠାରୁ କେବଳ ବାରିପଦା ଟାଉନ୍ ଥାନା ପୁଲିସ୍ ମୋଟ ୧୨ ଲକ୍ଷ ୫୭ ହଜାର ୨ଶହ ଟଙ୍କା ଜରିମାନା ଆଦାୟ କରିଛି । ସେହିପରି । ଏହି ସମୟ ମଧ୍ୟରେ ଟ୍ରାଫିକ୍ ନିୟମ ଉଲ୍ଲଘନକାରୀଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି। ଏହି ୫ ମାସ ମଧ୍ୟରେ ମୋଟରଯାନ ନିୟମ ଉଲ୍ଲଘନକାରୀଙ୍କଠାରୁ ମୋଟ ୧୬ ଲକ୍ଷ ୩୨ ହଜାର ଟଙ୍କା ଫାଇନ୍ ଆଦାୟ କରାଯାଇଥିବା ଥାନା ଅଧିକାରୀ ବିରେନ୍ଦ୍ର କୁମାର ସେନାପତି ସୂଚନା ଦେଇଛନ୍ତି । ତଥାପି ଲୋକେ ଚେତୁ ନ ଥିବା ସେ କହିଛନ୍ତି । କୋଭିଡ୍ -୧୯ କଟକଣା ଗତ ମାର୍ଚ୍ଚ ୨୦ରୁ ଜାରି କରାଯାଇଥିବା ବେଳେ କେବଳ ବାରିପଦା ସହରରୁ ବିନାମାସ୍କଧାରିଙ୍କଠାରୁ ଲକ୍ଷାଧିକ ଟଙ୍କା ଫାଇନ୍ ଆଦାୟ ହୋଇସାରିଲାଣି । ଗତ ଏପ୍ରିଲରେ ୭୯ ହଜାର, ମେ’ରେ ୧ ଲକ୍ଷ ୯୦ ହଜାର ୪୦୦ ଟଙ୍କା, ଜୁନରେ ୪ ଲକ୍ଷ ୨୧ ହଜାର ଶହେ ଟଙ୍କା, ଜୁଲାଇରେ ୨ ଲକ୍ଷ ୮୫ ହଜାର ୨ ଶହ ଟଙ୍କା ଜରିମାନା ଆଦାୟ ହୋଇଥିବା ବେଳେ ଚଳିତ ଅଗଷ୍ଟ ୨୫ ସୁଦ୍ଧା ୨ ଲକ୍ଷ ୮୧ ହଜାର ୫ଶହ ଟଙ୍କା ଆଦାୟ ସରିଛି । ସେହିପରି ଏହି ସମୟରେ ମୋଟରଯାନ ନିୟମ ଉଲ୍ଲଘନକାରୀଙ୍କ ଠାରୁ ଏପ୍ରିଲରେ ୩ ଲକ୍ଷ ୭୯ ହଜାର, ମୋ’ରେ ୪ ଲକ୍ଷ ୨ହଜାର, ଜୁନରେ ୩ ଲକ୍ଷ ୧୯ ହଜାର ୫ ଶହ ଟଙ୍କ, ଜୁଲାଇରେ ୧ ଲକ୍ଷ ୮୫ ହଜାର ଫାଇନ୍ ଆଦାୟ ହୋଇଥିବା ବେଳେ ଅଗଷ୍ଟରେ ବାରିପଦା ସହରରୁ ୧ ଲକ୍ଷ ୫୪ ହଜାର ଟଙ୍କା ଆଦାୟ ସରିଥିବା ଥାନା ଅଧିକାରୀ ଶ୍ରୀ ସେନାପତି ସୂଚନା ଦେଇଛନ୍ତି । ଖାଲି ଏତିକ ନୁହେଁ କୋରିଜ୍ ସମୟରେ ସାଧାରଣ ଜନତା ନାହିଁ ନ ଥିବା ଅସୁବିଧାରେ ସମ୍ମୁଖିନ ହେଉଥିବା ବାରିପଦା ସହରରେ ମଧ୍ୟ ଅପରାଧ ବୃଦ୍ଧି ପାଇଛି। ପଞ୍ଜିକୃତ ମଦ ଦୋକାନ ବନ୍ଦ ରହିଥିବାରୁ ଚୋରା ମଦ ବେପାରୀଙ୍କ ସଂଖ୍ୟା ବି ବୃଦ୍ଧି ପାଇଛି । ଏହି ସମୟରେ କେବଳ ବାରିପଦା ଟାଉନ୍ ଥାନାରେ ୯ଟି ମଦ ଜନିତ ମାମଲା ରୁଜୁ ହୋଇଥିବା ବେଳେ ୧୦୧ ଲିଟର ଚୋରା ଦେଶୀ ଓ ବିଦେଶୀ ମଦ ଜବତ କରାଯାଇଥିବା ଜଣାପଡିଛି । ଏନେଇ ବାରିପଦା ଟାଉନ୍ ଥାନା ଅଧିକାରୀ ଶ୍ରୀ ସେନାପତି କହିଛନ୍ତି ଯେ, ମହାମାରୀ କରୋନା ସଂକ୍ରମଣ ରୋକିବା ପାଇଁ ପୁଲିସ୍ ପକ୍ଷରୁ ଯଥାସମ୍ଭବ ଉଦ୍ୟମ ଜାରି ରହିଛି । ଏହାର ଭୟାବହତା ସମ୍ପର୍କରେ ଲୋକଙ୍କୁ ବାରମ୍ବାର ସଚେତନ କରାଯାଉଛି । ତଥାପି ଲୋକେ କୋଭିଡ୍–୧୯ ନିୟମକୁ ମାନୁ ନାହାନ୍ତି । ସେଥିପାଇଁ ଆମେ ଏମିତି କଠୋର ନୀତି ଅବଲମ୍ବନ କରିଛୁ । ମୟୂରଭଞ୍ଜ ଜିଲ୍ଲାର ସର୍ବାଧିକ ବାରିପଦା ସହରୁ ଜରିମାନା ଆଦାୟ କରାଯାଇଥିବା ସେ ଦାବି କରିଛନ୍ତି ।
କୋଭିତ୍ ସମୟରେ ବାରିପଦାରୁ ଲକ୍ଷାଧିକ ଟଙ୍କା ଜରିମାନା ଆଦାୟ : କଟକଣା ଯେତେ କୋହଳ, ଉଲ୍ଲଘନକାରୀଙ୍କ ସଂଖ୍ୟା ସେତେ ବଢୁଛି
|
August 29, 2020 |