*** ଜୀବନଶୈଳୀର ମାର୍ଗ ***
ପ୍ରଜ୍ଞା, ଶୀଳ,କରୁଣାର ପ୍ରତୀକ
ବିଶ୍ବ ଶାନ୍ତିଦୂତ,ଏସିଆ ଆଲୋକ |
କ୍ଷଣଭଂଗୁର ଭ୍ରମପୂର୍ଣ୍ଣ ସମାଜରେ
ସତ୍ୟ ପଥର ହେ ! ମାର୍ଗଦର୍ଶକ || (୧)
ଗଣତାନ୍ତ୍ରିକ ସମତାପୂର୍ଣ୍ଣ ବ୍ଯବସ୍ଥାର ମୂଳପିଣ୍ଡ଼,
ଯୁକ୍ତିସିଦ୍ଧ ବିଜ୍ଞାନ ଭିତ୍ତିକ ଅଟଇ ବୁଦ୍ଧଦର୍ଶନ |
ସମତା, ଭାତୃତ୍ବ, ନ୍ଯାୟ, ସ୍ବତନ୍ତ୍ରତା
ମୌଳିକ ଜୀବନଶୈଳୀ କଥାକହେ ବୁଦ୍ଧଧମ୍ମ ||
ନଥାଇ ନିର୍ଯ୍ୟାସ ତଥ୍ୟ ଯୁକ୍ତିଯୁକ୍ତ
ପ୍ରଥାନାମେ ଶୁଣାକଥା କେବେ ବିଶ୍ୱାସ ନକର |
ଉପଯୁକ୍ତ ବିଶ୍ଳେଷଣ କରି ହୃଦବୋଧ
ସତ୍ୟାସତ୍ୟ କାରଣ ସିଦ୍ଧ ନିର୍ଯ୍ୟାସକୁ ମାନିବ
ହେବ ଯା ସମାଜେ ମଂଗଳକର || (୩)
ସ୍ବାଧୀନଚେତା,ଶୁଦ୍ଧମୟ ଜୀବନ ଯାପନ
ଉତ୍ତମ ମାନସିକତା, ବିଶ୍ୱାସ ଓ ଜ୍ଞାନ,
ଏ ପାଂଚଟି ସମ୍ପଦର ଅଧିକାରୀ ହେବା ପାଇଁ
ଶିକ୍ଷା ଦେଈଥାଏ ବୁଦ୍ଧଂକ ଧମ୍ମ || (୪)
ପରିପକ୍ବ ମଣିଷର ଅନ୍ତିମ ଲକ୍ଷ୍ୟ
ଚିରନ୍ତନ ଶାନ୍ତି, ନିର୍ବାଣ ପ୍ରାପ୍ତି
ଅଷ୍ଟାଙ୍ଗ ମାର୍ଗର ଅନୁଶୀଳନେ
ଜନ୍ମମୃତ୍ୟୁ ଅବଳିଳା ଘଟଇ ପରିସମାପ୍ତି || (୫)
ସତ୍ ଚିନ୍ତା,ସତ୍ ଦୃଷ୍ଟି , ସତ୍ ଚେଷ୍ଟା, ସତ୍ ବୃତ୍ତି
ସତ୍ କର୍ମ, ସତ୍ ବାଣୀ, ସମାଧି ଓ ସତ୍ ସ୍ମୃତି |
ଏ ମହାନ ଅଷ୍ଟାଙ୍ଗ ମାର୍ଗର ଅନୁଶୀଳନେ
ଦୂର ହୁଏ ଜୀବନୁ ଯାତନା ମିଳଇ ଶାନ୍ତିମୁକ୍ତି || ୬
ସତ୍ୟ, ପବିତ୍ରତା, ଦାନ, ଶକତି, ପ୍ରେମ
ନିଷ୍ପତ୍ତି, ସମ୍ପୂର୍ଣ୍ଣ ଆତ୍ମ ନିୟନ୍ତ୍ରଣ ,
ମାନସିକ ସ୍ଥିରତା, ଧୈର୍ଯ୍ୟ, ଆତ୍ମଜ୍ଞାନ
ନିର୍ବାଣ ପ୍ରାପ୍ତି ହୁଅଇ କଲେ ଏସବୁ ପରିପୂର୍ଣ୍ଣ ||୭
ମୋହଗ୍ରସ୍ତ, ଇନ୍ଦ୍ରିୟାଶକ୍ତ,ଅଜ୍ଞତା,
ସତ୍ଯ ପ୍ରକାଶର ଭୟ ,
ସତ୍ୟ-ଶାନ୍ତିର ପ୍ରତିଷ୍ଠା ନିମିତ୍ତ
ଏସବୁକୁ ପରିତ୍ୟାଗ କରିବ ନିଶ୍ଚୟ || (୮)
ଚରିତ୍ରବତା, ସତ୍ୟ, ଦୃଢ଼ତା,ନ୍ଯାୟ
ଏ ଚତୁର୍ଗୁଣ ଅଧିକାରୀ ହୁଏନି କେବେ
ଦୁଃଖେ ମିୟମ୍ରାଣ |
ଗାର୍ହସ୍ଥ୍ଯ ମହତ୍ତ୍ୱପୂର୍ଣ୍ଣ ସର୍ବେନୁସନ୍ଧାନୀ ରୂପେ
ନିଜ ଜୀବନଶୈଳୀ କରନ୍ତି ସୁଖେ ଅତିକ୍ରମ || ୯
ସାମାଜିକ ବୋଧ,ମଧୁର ବଚନ ସଂଗେ
ଭଦ୍ରୋଚିତ ଆଚରଣ,
ଜୀବନ ପ୍ରତିଟି କ୍ଷେତ୍ରେ ଅଟେ ବହୁମୂଲ୍ୟବାନ |
ଆପଣେଇ ନେଲେ ଏସବୁ ସୁଗୁଣ
ସବୁଠି ମିଳେ ଆଦର ବଢ଼ଇ ବ୍ଯକ୍ତିର ମାନ |୧୦
ବିନା ଦ୍ବିଧେ ବୀର ବାଦ୍ୟ ବାଦକର ଶବ୍ଦ
ଭେଦିଯାଏ ଚତୁର୍ଦିଗେ ଯେସନ ।
ବିପଦେ ଆପଦେ ଧିର ନିଶ୍ଚଳ ରହି
ମୁକ୍ତ-ଚିନ୍ତନକାମୀ ଜୀବନ ଗତି
ବିଶ୍ବେ ପ୍ରେମବାର୍ତାବହ ହୋଇପାରେ ତେସନ ||
ଯେବେ ସାରା ବିଶ୍ବେ ସମ୍ମାନବୋଧ ଓ
ଉତ୍ତମ ବୁଝାମଣାରେ ଝଲସି ଉଠିବ |
ଯୁଦ୍ଧ-ରକ୍ତପାତ ଅବସାନ ଘଟି
ବିଶ୍ବେ ଭାତୃତ୍ବ ବନ୍ଧନ ପ୍ରତିଷ୍ଠିତ ହେବ || (୧୨)
ମାଦକଦ୍ରବ୍ଯ ସେବନ,ଜୁଆ, ଭ୍ରଷ୍ଟାଚାର
ଜୀବହତ୍ଯା,ମିଥ୍ଯାଚାର ଓ ଚୋରିର ବୃତ୍ତି ,
ଏସବୁ କୁକର୍ମୁ ନିବୃତ୍ତ ରହିବା ଶିକ୍ଷା ଦିଏ
ବୁଦ୍ଧଂକ ଧମ୍ମ ପଂଚଶୀଳ ନିତି || (୧୩)
ମୈତ୍ରୀପୂର୍ଣ୍ଣ କର୍ମ, ମୁକ୍ତହସ୍ତେ ଦାନ
ଶାନ୍ତି, ସରଳତା, ସନ୍ତୁଷ୍ଟିର କରି ପାଳନ ,
ସ୍ମୃତି ସୁସ୍ପଷ୍ଟ, ପ୍ରଦୀପ୍ତ ରଖି ସତ୍ୟପୂର୍ଣ୍ଣ ଆଚରଣ
ଶୁଦ୍ଧ କର ତୁମ ବାଣୀ,ଶରୀର,ମନ || (୧୪)
ବୁଦ୍ଧଦର୍ଶନ କହେ ସତ୍ୟକୁ ସତ୍ଯରେ କର ଗ୍ରହଣ
ସୃଷ୍ଟିକର୍ତ୍ତା ବୋଲି ନାହିଁ ଶକ୍ତି, ସତ୍ତା କିଛି |
ଚିରନ୍ତନ ସତ୍ୟ ବିବର୍ତନବାଦ
ପ୍ରାକୃତିକ ନିୟମର କାରଣ ଓ ପରିଣତିରୁ
ଏ ଜୀବଜଗତର ସୃଷ୍ଟି ହୋଇଛି || (୧୫)
ଶାନ୍ତିପୂର୍ଣ୍ଣ, ସୁସ୍ଥ ଜୀବନ ନିମିତ୍ତ
ବୁଦ୍ଧ, ଧମ୍ମ, ସଂଘେ କର ଅନୁସରଣ |
ନିଜ ଜ୍ଞାନର ଆଲୋକ ନିଜେ ହେବା ପାଇଁ
ପ୍ରଦୀପ୍ତ କର ସ୍ବ-ଚେତନା, ବିବେକ, ବୁଦ୍ଧିଜ୍ଞାନ ||
ବ୍ଯକ୍ତି ଜୀବନଶୈଳୀର ପ୍ରଦର୍ଶିତ ମାର୍ଗ
ଅଟେ କ୍ରାନ୍ତିକାରୀ ବୁଦ୍ଧ ଧମ୍ମ ଦର୍ଶନ |
ଆଧୁନିକ ଯୁଗେ ଯୁଦ୍ଧ-ପିପାସୁ ଅଶାନ୍ତ ବିଶ୍ବକୁ
ଶିଖାଏ ଶାନ୍ତି, ମୈତ୍ରୀ, ପ୍ରିତି ଭାତୃତ୍ବ ବନ୍ଧନ || 17
ବୁଦ୍ଧଂ ନମାମି !
ଧମ୍ମଂ ନମାମି !
ସଂଘଂ ନମାମି !
ବେଣୁଧର ସୁରୁଜାଳ
ସ.ଶିକ୍ଷକ, ସୋନପୁର



