ନୂଆଦିଲ୍ଲୀ ୪/୭ (ସନ୍ଧାନ ନିୟୁଜ): ମୁକ୍ତିକାନ୍ତ ବିଶ୍ୱାଳ ଶେଷରେ ନିଜର ଅନଶନ ଭାଙ୍ଗିଛନ୍ତି। ବାବା ବଳିଆ ତାଙ୍କୁ ଫଳରସ ପିଆଇବା ପରେ ବୁଧବାର ଅପରାହ୍ନରେ ସେ ନିଜର ଅନଶନ ଭଙ୍ଗ କରିଛନ୍ତି।
ସୂଚନାଯୋଗ୍ୟ ରାଉରକେଲାର ସ୍ୱାର୍ଥ ପାଇଁ ସ୍ଥାନୀୟ ରାମଲୀଳା ମୈଦାନରେ ଅନଶନରତ ମୁକ୍ତିକାନ୍ତ ବିଶ୍ୱାଳଙ୍କ ସ୍ୱାସ୍ଥ୍ୟବସ୍ଥାରେ ଅବନତି ଘଟିବାରୁ ଦିଲ୍ଲୀ ପୋଲିସ ତାଙ୍କୁ ଲୋକନାୟକ ଜୟପ୍ରକାଶ ନାରାୟଣ ହସପିଟାଲରେ ଭର୍ତ୍ତି କରିଥିଲେ। ମୁକ୍ତିକାନ୍ତ ଏଲଏନଜିପି ହସପିଟାଲ ଆଶୁଚିକିତ୍ସା ବିଭାଗର ବେଡ ନମ୍ବର ୯ରେ ଚିକିତ୍ସିତ ହେଉଥିଲେ।
ସ୍ଥାନୀୟ କମଲା ମାର୍କେଟ ପୋଲିସ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିବା ପୂର୍ବରୁ ମୁକ୍ତିକାନ୍ତ ଦୃଢ଼ୋକ୍ତି ପ୍ରକାଶ କରି କହିଥିଲେ ଯେ ତିନି ଦିନର ଅନଶନ ମୋ ଶରୀରକୁ ଦୁର୍ବଳ କରିଦେଇଛି କିନ୍ତୁ ମୁଁ ହାର ମାନି ନାହିଁ, ପ୍ରଧାନମନ୍ତ୍ରୀଙ୍କ ଡାକରାକୁ ଏବେ ମଧ୍ୟ ଅପେକ୍ଷା କରିଛି। ଅନଶନର ତୃତୀୟ ଦିବସରେ ମୁକ୍ତିକାନ୍ତଙ୍କ ଶରୀରର ଓଜନ କମି ଯାଇଥିଲା ଏବଂ ସ୍ୱର ପୂର୍ବଅପେକ୍ଷା କ୍ଷୀଣ ହୋଇଯାଇଥିଲା। ତଥାପି ଗଣମାଧ୍ୟମର ପ୍ରତିନିଧିଙ୍କ ସହ କଥାବାର୍ତ୍ତାରେ ପ୍ରଧାନମନ୍ତ୍ରୀଙ୍କ ସାକ୍ଷାତ ପାଇଁ ଆଶାବାଦୀ ଅଛନ୍ତି ବୋଲି ମୁକ୍ତିକାନ୍ତ କହିଥିଲେ। ଦେଶର ପୁଞ୍ଜିପତି, ଶିଳ୍ପପତି ଏବଂ ସିନେତାରକାଙ୍କୁ ସାକ୍ଷାତ ପାଇଁ ଯେଭଳି ପ୍ରଧାନମନ୍ତ୍ରୀ ସମୟ ଦେଉଛନ୍ତି, ଠିକ୍ ସେଭଳି ମୋ ଭଳି ସାଧାରଣ ଜନତାକୁ ଭେଟିବାକୁ ପଡ଼ିବ। କେନ୍ଦ୍ର ସରକାରରେ ଶାସକ ଦଳର ‘ସମର୍ଥନ ପାଇଁ ସଂପର୍କ’ ଶୀର୍ଷକ କାର୍ୟ୍ୟକ୍ରମକୁ ସମାଲୋଚନା କରି ଅନଶନକାରୀ ମୁକ୍ତିକାନ୍ତ କହିଥିଲେ ଯେ ସମର୍ଥନ ଆଶାରେ ପ୍ରତିଦିନ କେନ୍ଦ୍ର ସରକାର ଏବଂ ତାଙ୍କ ପ୍ରତିନିଧି ବିଭିନ୍ନ ବ୍ୟକ୍ତି ବିଶେଷଙ୍କ ଘରେ ଘରେ ବୁଲୁଛନ୍ତି। ରାଉରକେଲାର ସ୍ୱାର୍ଥ ପାଇଁ ରାଜଧାନୀ ଦିଲ୍ଲୀରେ ତାଙ୍କ ଭଳି ଅନଶନରତ ଯୁବକଙ୍କୁ ପ୍ରଧାନମନ୍ତ୍ରୀ ଭେଟିବା ନେଇ ସେ ଅପେକ୍ଷାରତ ଅଛନ୍ତି ବୋଲି ମୁକ୍ତିକାନ୍ତ କହିଥିଲେ।