ପ୍ରକୃତ ସମୟ

Spread the love

-ସତୀଶ ବିଶ୍ୱାଳ-

ସାଧାରଣ ଧୋତି ପଞ୍ଜାବୀ ଭିତରେ ସେ ଥିଲେ ଜଣେ ଅସାଧାରଣ ବ୍ୟକ୍ତିତ୍ୱ । ସେ ବ୍ୟକ୍ତିତ୍ୱର ଚମକ ଜୀବନର ଶେଷ ଦୀପଶିଖା ଲିଭିବା ପର୍ଯ୍ୟନ୍ତ ଧପ ଧପ ହୋଇ ଜଳୁଥିଲା । ଏହି ଧପ ଧପ ହୋଇ ଜଳିବାର ଉଜ୍ଜ୍ୱଳତା ନିକଟରେ ଆଉ ସମସ୍ତ ଆଲୋକ ଗୌଣ ଓ ଅଦରକାରୀ ହେଉଥିଲା । କ୍ଷମତା କିମ୍ବା ରାଜନୈତିକ ଶାପ ଶିଢି ଖେଳର ଜୟ ପରାଜୟରେ ବି ବ୍ୟକ୍ତିତ୍ୱର ଚମକ ଫିକା ପଡି ନଥିଲା । ଶରୀର ତ୍ୟାଗ ପରେ ସ୍ୱୃତିର ଦୀପଶିଖା ନିକଟରେ ପ୍ରତିପକ୍ଷ ଧରାଶାୟୀ ହୋଇ ରହିଗଲେ । କେବଳ ସ୍ୱୃତିର ଆବେଗର ବଳରେ ଗଢା ହୋଇଥିବା ଦଳ ସଫଳତାର ଶିଢି ପରେ ଶିଢି ଚଢି ଚାଲିଛି । ଯେତେ ବିବାଦ ଉଠାଇଲେ ବି ସେ ସବୁ ବିବାଦର ଉଦ୍ଧ୍ୱର୍ରେ । ସବୁ ସମାଲୋଚନା ତାଙ୍କ ବ୍ୟକ୍ତିତ୍ୱ ନିକଟରେ ତୁଚ୍ଛ, ମୂଲ୍ୟହୀନ, ସର୍ବୋପରେ ଅରନ୍ୟ ରୋଦନ । ସେ ହେଉଛନ୍ତି ‘ବିଜୁ ପଟ୍ଟନାୟକ’ । ଓଡିଆତ୍ୱର ଗରିମା ବହନ କରୁଥିବା ପ୍ରତ୍ୟେକ ମଣିଷ ହୃଦୟର ସେ ଏକ ଭାବାବେଗ, ସ୍ପନ୍ଦନ ଓ ସ୍ୱାଭିମାନ ।
ବିଜୁ ପଟ୍ଟନାୟକ କେବଳ ଗୋଟିଏ ନାମ ନୁହେଁ । ଗୋଟିଏ ବ୍ୟକ୍ତିର ପରିଚୟ ଭିତରେ ବି ଆଉ ସୀମିତ ହୋଇ ରହିନାହିଁ । ବିଜୁ ପଟ୍ଟନାୟକ ଏକ ଆବେଗ ଓ ଭାବାବେଗରେ ପରିଣତ ହୋଇଛି । ତେବେ କଣ ପାଇଁ ଏହି ପରିଚୟଟି ଏତେ ମର୍ଯ୍ୟାଦା ପାଇଛି । କେବଳ ଜଣେ ରାଜନେତା ଭାବେ ନିଜର, ନିଜ ଦଳର ସ୍ୱାର୍ଥ ପାଇଁ ନୀତି, ନୈତିକତା ଓ ଦେଶପ୍ରେମକୁ ଜଳାଞ୍ଜଳୀ ଦେଇଥିଲେ ବିଜୁବାବୁ ଏତିକି ମର୍ଯ୍ୟାଦାର ଅଧିକାରୀ ହୋଇ ନଥାନ୍ତେ । ନେତାଟିଏ ଅନେକ କ୍ଷେତ୍ରରେ ରାଷ୍ଟ୍ରର ସ୍ୱାର୍ଥ, ସୁରକ୍ଷାକୁ ପ୍ରସଙ୍ଗ କରୁଥିଲେ ବି ବାସ୍ତବରେ ନିଜ ସୁରକ୍ଷା ଓ ସ୍ୱାର୍ଥକୁ ଗୁରୁତ୍ୱ ଦେବାର ଇତିହାସରେ ଅନେକ ଦୃଷ୍ଟାନ୍ତର ଅଭାବ ନାହିଁ ।
ନିଜ ସୁରକ୍ଷାକୁ ଗୁରୁତ୍ୱ ଦେଉଥିଲେ, ଜଣେ ଦୂରଦୃଷ୍ଟି ସମ୍ପନ୍ନ ନେତା ଭାବେ ଆଗାମୀ ଦିନର ତୈଳ ସଙ୍କଟ ଓ ପ୍ରଦୂଷଣର ବିଷ ବଳୟରୁ ମାନବ ସମାଜକୁ ରକ୍ଷା କରିବାକୁ ଜନସଚେତନତା ପାଇଁ ବୟସର ଅପରାହ୍ନରେ ମୁଖ୍ୟମନ୍ତ୍ରୀ ଥାଇ ବି ସାଇକେଲ ଚଢି ସଚ୍ଚିବାଳୟ ଯିବାର ଦୃଷ୍ଟାନ୍ତ ସୃଷ୍ଟି କରି ନଥାନ୍ତେ । ସାଧାରଣ ଯାତ୍ରୀ ପରି ବସରେ ଆସି କଟକରେ ସଭାରେ ଯୋଗ ଦେଇ ନଥାନ୍ତେ । ଯାହା ପରବର୍ତ୍ତି ଅବସ୍ଥାରେ ସମଗ୍ର ଦେଶ ପାଇଁ ଅନୁକରଣୀୟ ହୋଇଥିଲା । କେବଳ କ୍ଷମତା ପିପାସା, ନିଜର ତଥା ନିଜ ଦଳର ସ୍ୱାର୍ଥ ହାସଲର ଚିନ୍ତାଧାରା ଭିତରେ ବୁଡି ରହିଥିବା ରାଜନେତାଟିଏ କି କାରଣରେ ଦେଶର ଘଡିସନ୍ଧି ମୁହୁର୍ତ୍ତରେ ନିଜର ଜୀବନକୁ ବାଜି ଲଗେଇ ଦେବ । ଏପରିକି ଜୀବନକୁ ତୁଚ୍ଛ କରି ଯୁଦ୍ଧକ୍ଷେତ୍ରରେ ଅବତୀର୍ଣ୍ଣ ହେବ?
ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ବ୍ରଟିଶ ସରକାରଙ୍କ ରୟାଲ ଇଣ୍ଡିଆନ ଏୟାର ଫୋର୍ସରେ ପାଇଲଟ ଭାବେ ଯୋଗ ଦେଇ ପିଲାଟି ଦିନରୁ ଆକାଶରେ ଉଡିବାର ସ୍ୱପ୍ନକୁ ସେ ସାକାର କରିଥିଲେ । କାର୍ଯ୍ୟ ଥିଲା ବ୍ରିଟିଶ ସରକାରଙ୍କ ଅଧୀନରେ ହେଲେ ଭାରତୀୟ ସ୍ୱାଧୀନତା ସଂଗ୍ରାମୀଙ୍କୁ ଡଡା ଜାହାଜରେ ବିଭିନ୍ନ ସ୍ଥାନକୁ ନେବାର ଦଃୁସାହସ କରି ନିଜର ପ୍ରଗାଢ ଦେଶପ୍ରେମର ସଂକେତ ଦେଇଥିଲେ । ଏଥିପାଇଁ ସ୍ୱାଧୀନତା ସଂଗ୍ରାମରେ ରାମ ମନୋହର ଲୋହିଆ, ଅରୁଣା ଆସଫ ଅଲ୍ଲୀ, ଜୟ ପ୍ରକାଶ ନାରାୟଣ ଭଳି ତୁଙ୍ଗ ନେତାଙ୍କ ବଡ ସାହାରା ପାଲଟିଥିଲେ ବିଜୁବାବୁ । ଦିଲ୍ଲୀସ୍ଥିତ ତାଙ୍କ ବାସଭବନ ଦେଶର ମୁକ୍ତି ସଂଗା୍ରମର ଆତ୍ମଗୋପନକାରୀ ମାନଙ୍କ ଗୋଟିଏ ସାହାରା ହୋଇଥିଲା । ଏଣେ ରେଙ୍ଗୁନରୁ ଇଂରେଜ ପରିବାରବର୍ଗଙ୍କୁ ଜାପାନ ଆକ୍ରମଣ ପୂର୍ବରୁ ଉଦ୍ଧାର କରିଥିଲେ ପାଇଲଟ ବିଜୁ ପଟ୍ଟନାୟକ । ଭାରତୀୟ ସ୍ୱାଧୀନତା ସେନାନୀ ମାନଙ୍କୁ ଭାରତ ଛାଡ ଆନେ୍ଦାଳନ ପାଇଁ ବିମାନରେ ପ୍ରଚାର ପତ୍ର ବାଣ୍ଟି ବିଜୁବାବୁ କାରାବରଣ କରିଥିଲେ । ୧୯୬୨ ମସିହାରେ ଭାରତ ଚୀନ ଯୁଦ୍ଧ ସମୟରେ ପ୍ରଧାନମନ୍ତ୍ରୀ ନେହରୁଙ୍କ ମୁଖ୍ୟ ସାମରିକ ପରାମର୍ଶଦାତା ପାଲଟିଥିଲେ ବିଜୁବାବୁ । ନିଜର କଳିଙ୍ଗ ଏୟାରଲାଇନ୍ସରେ କାମ କରିବା ସମୟରେ ଏହି ରୁଟରେ ହାସଲ କରିଥିବା ପ୍ରର୍ଯ୍ୟାପ୍ତ ଅଭିଜ୍ଞତାକୁ ସେ ଦେଶ ପାଇଁ ଉପଯୋଗ କରିବାରେ ସଫଳ ହୋଇଥିଲେ । ବିଜୁବାବୁଙ୍କ ପରାମର୍ଶକ୍ରମେ ପ୍ରଧାନମନ୍ତ୍ରୀ ନେହରୁ ମଧ୍ୟ ‘ତିବ୍ଦଦୀୟ ଗରିଲା ବାହିନୀ’ ଗଠନ କରିଥିଲେ । ଏହି ବାହିନୀ ଯୁଦ୍ଧରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା । ହିମାଳୟର ଶିଖରକୁ ବିମାନରେ ଅତିକ୍ରମଣ କରି ଚୀନ ବିପ୍ଳବୀଙ୍କୁ ମଧ୍ୟ ସହାୟତା ପହଞ୍ଚାଇଥିଲେ ବିଜୁ ପଟ୍ଟନାୟକ ।


ଭାରତର ସମ୍ମାନ ବିଦେଶରେ ବୃଦ୍ଧି କରିବାରେ ବିଜୁବାବୁଙ୍କ ଭୂମିକା ପ୍ରଶଂସନୀୟ ଓ ଦୃଷ୍ଟାନ୍ତଯୋଗ୍ୟ । ଏ କ୍ଷେତ୍ରରେ ଋଷ ଠାରୁ ଇଣ୍ଡେନେସିଆ ପର୍ଯ୍ୟନ୍ତ ନିଜର ଅସମ୍ବବ ବୀରତ୍ମ ଓ ତ୍ୟାଗର ନମୁନା ଛାଡି ଯାଇଛନ୍ତି ବିଜୁବାବୁ । ଏକ ଡାକୋଟା ବିମାନରେ ପତ୍ନୀଙ୍କ ସହିତ ଇଣ୍ଡୋନେସିଆ ସ୍ୱାଧୀନତା ସଂଗ୍ରାମ ସମୟରେ ବିଶିଷ୍ଟ ନେତା ମହମ୍ମଦ ହାତା ଓ ସୁଲତାନ ସାହରିୟରଙ୍କୁ ନିଜ ଜୀବନ ବିପନ୍ନ କରି ଉଦ୍ଧାର କରିଥିଲେ । ଏଥିପାଇଁ ସମଗ୍ର ବିଶ୍ୱରେ ବିଜୁବାବୁ ନିଜକୁ ପ୍ରତିଷ୍ଠିତ କରିବା ସହ ଇଣ୍ଡୋନେସିଆର ସର୍ବଶ୍ରେଷ୍ଠ ଉପାଧି ‘ଭୂମିପୁତ୍ର’ ଓ ସର୍ବଶ୍ରେଷ୍ଠ ଜାତୀୟ ପୁରସ୍କାର ‘ବିନ୍ତମ୍ ଯଶୁ ଉତ୍ତମ’ ସମ୍ମାନ ଲାଭ କରିଥିଲେ । ଓଡିଶା ନୁହେଁ ବରଂ ସମଗ୍ର ଦେଶ ବିଜୁବାବୁଙ୍କ ପାଇଁ ବିଶ୍ୱୂ ଦରବାରରେ ଗୌରବାନ୍ୱିତ ହୋଇଥିଲା । ସୋଭିଏତ ଋଷିଆର ସେନାବାହିନୀକୁ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ନାଜି ଆକ୍ରମଣର ବିରୁଦ୍ଧରେ ସହାୟତା କରିଥିଲେ । ସେଥିପାଇଁ ଋଷିଆ ସରକାରୀଙ୍କ ସର୍ବଶ୍ରେଷ୍ଠ ବେସାମରିକ ପୁରସ୍କାର ‘ଅର୍ଡର ଅଫ ଲେନିନ’ ଦ୍ୱାରା ଆନ୍ତର୍ଜାତିକ ସ୍ତରରେ ଜଣେ ଓଡିଆ ଭାବରେ ଏହି ବିରଳ ସମ୍ମାନ ଲାଭ କରିଥିଲେ ।
ଏବେ ଆମେ ସିଧାସଳଖ ୩୭୦ ଧାରା ଉଚ୍ଛେଦ ପ୍ରସଙ୍ଗକୁ ଯିବା । ଗତ ୨୦୧୯ ଅଗଷ୍ଟ ୬ ତାରିଖ ସୁଦ୍ଧା ଏଥିନେଇ ସଂସଦର ଉଭୟ ଗୃହରେ ବିଧେୟକ ପାରିତ ହେବାପରେ ସମଗ୍ର ଦେଶରେ ଏହା ଚର୍ଚ୍ଚାର କେନ୍ଦ୍ର ପାଲଟିଥିଲା । କେନ୍ଦ୍ର ସରକାରଙ୍କ ଏହି ଐତିହାସିକ ପଦକ୍ଷେପ ପରିପ୍ରେକ୍ଷୀରେ ସ୍ୱାଧୀନ ଭାରତବର୍ଷରେ ଜାମ୍ମୁ କାଶ୍ମୀରର ଅବସ୍ଥିତି ସମ୍ପର୍କିତ ଇତିହାସରେ ଓଡିଶାର ପ୍ରବାଦ ପୁରୁଷ ବିଜୁବାବୁଙ୍କ ଗୁରୁତ୍ୱପୂର୍ଣ୍ଣ ସଂପୃକ୍ତି ରହିଛି । ଦୀର୍ଘ ୭୨ ବର୍ଷ ବ୍ୟବଧାନ ପରେ ଧାରା ୩୭୦ ଉଚ୍ଛେଦ ବେଳେ ଏହା ପୁଣି ଉଜ୍ଜୀବିତ ହେବା ସହ ସମଗ୍ର ଦେଶର ଯୁବପିଢିଙ୍କ ପାଇଁ ପ୍ରେରଣାର ଉସô ପାଲଟିଛି । କାଶ୍ମୀରର ଶେଷ ମହାରାଜା ହରି ସିଂହ ଭାରତ ଭୂଖଣ୍ଡ ସହ କାଶ୍ମୀରର ବିଲୟ ପାଇଁ ଚୁକ୍ତିନାମା ସ୍ୱାକ୍ଷର ସମୟରେ ହିଁ ପାକିସ୍ଥାନ ଆକ୍ରମଣ କରିଥିଲା । ପାକିସ୍ଥାନ ସେନା ଅଞ୍ଚଳବାସୀଙ୍କୁ ଲୁଟପାଟ କରିବା ସହ ନାରକୀୟ କାଣ୍ଡ ଭିଆଇଥିଲେ । କାଶ୍ମୀର ପ୍ରସଙ୍ଗ ଧୀରେ ଧୀରେ ନିୟନ୍ତ୍ରଣ ବାହାରକୁ ଚାଲି ଯାଉଥିବା ବେଳେ ତକ୍ରାଳୀନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁ ଓଡିଶାର ବରପୁତ୍ର ବିଜୁବାବୁଙ୍କ ସହଯୋଗ ଲୋଡିଥିଲେ ।
୧୯୪୭ ମସିହା ଅକ୍ଟୋବର ୨୨ ତାରିଖରେ ପାକିସ୍ଥାନ କାଶ୍ମୀର ଆକ୍ରମଣ କରିବାର ୫ ଦିନ ପରେ ଅକ୍ଟୋବର ୨୭ରେ ବିଜୁବାବୁ ଦିଲ୍ଲୀର ସଫଦରଗଞ୍ଜ ବିମାନ ବନ୍ଦରରୁ ଡାକୋଟା ଡିସି-୩ ବିମାନ ଯୋଗେ କାଶ୍ମୀର ଅଭିମୁଖେ ବାହାରିଥିଲେ । ଅତ୍ୟୁଚ୍ଚ ବିପଦସଙ୍କୁଳ ପର୍ବତମାଳା ଉପର ଦେଇ ବିଭାନ ଚଳାଇ ୧୭ ଜଣ ସୈନିକଙ୍କୁ ନେଇ ଆକ୍ରମଣକାରୀଙ୍କୁ ଚକମା ଦେଇ ଯେଉଁ ପାଇଲଟ ସର୍ବପ୍ରଥମେ ଶ୍ରୀନଗରରେ ପହଞ୍ଚôଥିଲେ, ସେ ଥିଲେ ବିଜୁ ପଟ୍ଟନାୟକ । ସାଥୀରେ ନଥିଲା ଆଜିର ଅତ୍ୟାଧୁନିକ ମିଗ ବିମାନ । ଡାକୋଟା ବିମାନରେ ସ୍ୱତନ୍ତ୍ର ଅମ୍ଳଜାନ କିମ୍ବା ବରଫ ନିରୋଧକ ଯନ୍ତ୍ର ବ୍ୟବସ୍ଥା ବି ନଥିଲା । ଶ୍ରୀନଗର ଆକାଶରେ ବିମାନ ପହଞ୍ଚôବା ପରେ ବିଜୁବାବୁ ଶତ୍ରୁପକ୍ଷର ଉବସ୍ଥିତି ଜାଣିବା ଲାଗି ଉପସ୍ଥିତ ବୁଦ୍ଧି ଖଟାଇ ବିମାନ ଅବତରଣ ନକରି ଆକାଶରେ ପଇଂତରା ମାରିଥିଲେ । ଭୂଭାଗରୁ ଖୁବ କମ ଉଚ୍ଚରେ ବିମାନ ଉଡାଇ ସେ ଶତ୍ରୁପକ୍ଷଭ୍କ ସ୍ଥିତି ପରଖିଥିଲେ । ନିଜର ବେସାମରିକ ଡାକୋଟା ବିମାନକୁ ନେଇ ଶତ୍ରୁ ପକ୍ଷର ଦୃଷ୍ଟି ଏଡାଇ ଅଦ୍ଭୁତ ପ୍ରକାରେ ପହଞ୍ଚଥିଲେ ଶ୍ରୀନଗରରେ । ପରବର୍ତ୍ତି ସମୟରେ ଶିଖ ରେଜିମେଣ୍ଟ ଶ୍ରୀନଗରରେ ପହଞ୍ଚôବା ପରେ ପାକିସ୍ଥାନର ପରାଜୟ ନିଶ୍ଚିନ୍ତ ହୋଇ ଯାଇଥିଲା । ଭାରତ ଯଦି ସେ ସମୟରେ ଶ୍ରୀନଗର ଉପରେ ନିଜର କବଜା ହରାଇଥାନ୍ତା, ତାହେଲେ ସମ୍ବବତଃ ୧୯୪୭ କାଶ୍ମୀର ଯୁଦ୍ଧ ଜିତିବା ଭାରତ ପାଇଁ କଷ୍ଟକର ହୋଇ ପଡିଥାନ୍ତା । କାରଣ ଶୀନଗର ବିମାନ ବନ୍ଦର ଉପରେ କବଜା କରିବା ସହିତ ଏହା ମାଧ୍ୟମରେ କାଶ୍ମୀର ବିଭିନ୍ନ ସ୍ଥାନକୁ ସେନା ପଠାଇବା ଓ ବହୁ ସଡକ ପଥରୁ ପାକ୍ ସେନାକୁ ବିତାଡିତ କରିବା ଦ୍ୱାରା ହିଁ ଏହି ଯୁଦ୍ଧ ଜୟ କରିବା ସହଜ ହୋଇଥିଲା । ଲଦାଖକୁ କେନ୍ଦ୍ର ଶାସିତ ଅଞ୍ଚଳ ଭାବେ ଘୋଷଣା କରି କାଶ୍ମୀର ପନର୍ଗଠନର ସନ୍ଧିକ୍ଷଣରେ ବିଜୁବାବୁଙ୍କ ଅବଦାନ, ତାଙ୍କର ଦେଶଭକ୍ତି ଓ ଅଦମ୍ୟ ସାହସର ପରିଚୟ ବହନ କରୁଛି ।
ଅନ୍ତତପକ୍ଷେ ୩୭୦ ଧାରା ଉଚ୍ଛେଦ ଓ ଜାମ୍ମୁ କାଶ୍ମୀର ପ୍ରସଙ୍ଗ ନେଇ ଯଥେଷ୍ଟ ଉସôାହିତ ହୋଇ ପଡିଥିବା ଦେଶବାସୀ, କେନ୍ଦ୍ର ସରକାର ବିଜୁବାବୁଙ୍କ ଅବଦନାକୁ ସ୍ୱୀକୃତି ଦେବା ଆବଶ୍ୟକ । ଯଦିଓ ଦେଶର ଗରିମା ବୃଦ୍ଧି ସହ ଦେଶପ୍ରେମକୁ ଜାବୋଡି ଧରିବା ପାଇଁ ବିଜୁବାବୁ ଅନେକବାବର ମରଣକୁ ବରଣ କରିବାକୁ ବି ପଛାଇ ନାହାନ୍ତି । କେନ୍ଦ୍ର ସରକାର ଓଡିଶାର ଐତିହ୍ୟ, ଜନଜୀବନ, କଳା, ସଂସ୍କୃତି, ଜୀବନଶୈଳୀ ଦେଶର ମୁକ୍ତି ସଂଗ୍ରାମରେ ରାଜ୍ୟର ଅବଦାନକୁ ଭୁରି ଭୁରି ପ୍ରଶଂସା କରୁଛନ୍ତି । ଓଡିଶାର ପାଇକ ବିଦ୍ରୋହକୁ ବି କେନ୍ଦ୍ର ଯଥେଷ୍ଟ ମର୍ଯ୍ୟାଦା ଦେଇଛି । ଏପରିକି ଓଡିଶା ସରକାର ଏବଂ ରାଜ୍ୟରେ ବିଜୁବାବୁଙ୍କ ନାମରେ ଗଢା ହୋଇଥିବାର ଦଳର କାର୍ଯ୍ୟଧାରାକୁ ବି କେନ୍ଦ୍ର ସରକାର ତଥା ପ୍ରଧାନମନ୍ତ୍ରୀ ପ୍ରଶଂସା କରୁଛନ୍ତି । ବିଜୁବାବୁଙ୍କୁ ବି ପ୍ରଧାନମନ୍ତ୍ରୀ ସାଧାରଣ ସଭାରେ ବି ପ୍ରଶଂସା କରିଛନ୍ତି । ଏ କ୍ଷେତ୍ରରେ ରାଷ୍ଟ୍ରପତି ବି ଯଥେଷ୍ଟ ଆଗରେ ରହିଛନ୍ତି । ବିଜୁବାବୁଙ୍କ ତୁଳନାରେ ଯଥେଷ୍ଟ କମ ରାଷ୍ଟ୍ରପ୍ରେମ ପ୍ରଦର୍ଶନ କରିଥିବା ମହାନ ବ୍ୟକ୍ତିଙ୍କୁ ଭାରତରତ୍ନ ପ୍ରଦାନ କରାଯାଇଛି ବୋଲି ଅଭିଯୋଗ ହୋଇଥାଏ । ଏହି ପରିପ୍ରେକ୍ଷୀରେ ବିଜୁବାବୁଙ୍କୁ ‘ମରଣେତ୍ତର ଭାରତରତ୍ନ’ କାହିଁକି ନୁହେଁ ?
ଏଥିରୁ ସ୍ପଷ୍ଟ ହେଉନାହିଁ କି, କେନ୍ଦ୍ରର ଓଡିଶା ପ୍ରେମ, ନବୀନବାବୁଙ୍କ ପ୍ରତି ପ୍ରେମ, ବିଜୁବାବୁ ପ୍ରେମ ଭିତରୁ କେଉଁ ଗୋଟିଏ ଦୁଇଟି ପ୍ରବଞ୍ଚନା ପୂର୍ଣ୍ଣ ନା ସବୁତକ ପ୍ରବଞ୍ଚନାପୂର୍ଣ୍ଣ ? ଏ କ୍ଷେତ୍ରରେ ଆମ ଓଡିଶାର ସ୍ୱର ଦୁର୍ବଳ କି? ଏଭଳି ସମ୍ମାନ ଆମ ଓଡିଆଙ୍କ ଗରିମା ବୃଦ୍ଧି କରିବ ନାହିଁ କି? ଯଦି କେନ୍ଦ୍ର ଏ କ୍ଷେତ୍ରରେ ଅବିଚାର କରୁଛି, ତେବେ ଆମର ସ୍ୱର ସବଳ ହେଉନାହିଁ କାହିଁକି? ଦଳମତ ନିର୍ବିଶେଷରେ ଏଥିନେଇ ଏକ ସର୍ବଦଳ ବୈଠକ କରାଯାଇ କେନ୍ଦ୍ରକୁ ପ୍ରସ୍ତାବ ଦେବା ଏବଂ ରାଜ୍ୟ ରାଜନୀତିରେ ଗୁରତ୍ୱ ବହନ କରୁଥିବା ରାଜନୈତିକ ଦଳର ପ୍ରତିନିଧିମାବେ ସଂସଦରେ ମିଳିତ ଭାବେ ସ୍ୱର ଉଠାଇବାରେ ଅସୁବିଧା କେଉଁଠି? ଯେଉଁ ଦଳଟି ଏ କ୍ଷେତ୍ରରେ ପଛଘୁଞ୍ଚା ଦେଲା ସେ ତ ଆପେ ଆପେ ଓଡିଆ ଲୋକଙ୍କ ନିକଟରେ ଚିହ୍ନା ପଡିବା ସାର ହେବ । ଜାତୀୟ ସ୍ୱାର୍ଥ ଏବଂ ରାଜ୍ୟର ସ୍ୱାର୍ଥ ନିକଟରେ ଦଳମତରୁ ଉଦ୍ଧ୍ୱର୍କୁ ଉଠି ବିଜୁବାବୁ କାର୍ଯ୍ୟ କରି ନିଜକୁ ରାଜନେତାରୁ ଏକ ରାଷ୍ଟ୍ରନେତା ତଥା ରାଷ୍ଟନିତିଜ୍ଞରେ ପରିଣତ କରିଥିଲେ । ଏହା ଆଜିର ବିଜୁ ଜୟନ୍ତିରେ ସମସ୍ତଙ୍କ ପାଇଁ ଶିକ୍ଷା ହେଉ । ଓଡିଶାର ଗରିମା ପାଇଁ ଏହି ମହାନ ଜନନେତା ତଥା ଦେଶପ୍ରେମୀ ବିଜୁ ପଟ୍ଟନାୟକଙ୍କୁ ‘ମରଣୋତ୍ତର ଭାରତରତ୍ନ’ ପାଇଁ ସ୍ୱରକୁ ମଝବୁତ କରନ୍ତୁ । ବିଭିନ୍ନ କାରଣରୁ ଏଥିପାଇଁ ଏବେ ପ୍ରକୃତ ସମୟ ପହଞ୍ଚôଛି ।

ଭୁବନପୁର, ଗଡମଧୁପୁର, ଧର୍ମଶାଳା, ଯାଜପୁର
ମୋ-୯୪୩୭୦୧୯୧୧୭

Related Posts

About The Author

Add Comment