ରାଉରକେଲା, ୨/୧୧ (ସନ୍ଧାନ ନିଉଜ) : ““ଅଦମ୍ୟ ଉତ୍ସାହର ମୂଲ୍ୟ ହୃଦବୋଧ କରି ଆସନ୍ତୁ ବ୍ୟୟ ସଂକୋଚନର ସଂସ୍କୃତିକୁ ସୁଦୃଢ କରିବା,” ବୋଲି ‘ମିଶନ ୩୫୦୦- ବ୍ୟୟ ସଂକୋଚନ କର୍ମଶାଳା’ ପ୍ରୟାସର ଶୁଭାରମ୍ଭ ଅବସରରେ ଆରଏସପିର ସିଇଓ, ଶ୍ରୀ ଦୀପକ ଚଟ୍ଟରାଜ କାରଖାନା ସମୁଦାୟିକଙ୍କୁ ଆହ୍ଵାନ ଜଣାଇଛନ୍ତି । ଅକ୍ଟୋବର ୧୬ ତାରିଖରେ ଗୋପବନ୍ଧୁ ପ୍ରେକ୍ଷାଳୟଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କାର୍ମିକ ଓ ପ୍ରଶାସନ ବିଭାଗର ନିର୍ବାହୀ ନିର୍ଦ୍ଦେଶକ, ଶ୍ରୀ ରାଜ ବୀର ସିଂହ, କାର୍ଯ୍ୟ ବିଭାଗର ନିର୍ବାହୀ ନିର୍ଦ୍ଦେଶକ, ଶ୍ରୀ ଗୌତମ ବାନାର୍ଜୀ, ବହୁ ମୁଖ୍ୟ ମହାପ୍ରବନ୍ଧକ ଏବଂ ବିଭାଗ ମୁଖ୍ୟ ତଥା କାରଖାନାର ଅନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ। ଉଲ୍ଲେଖନୀୟ ଯେ, ଟନ ପିଛା ବିକ୍ରିଯୋଗ୍ୟ ଇସ୍ପାତ ମୂଲ୍ୟ ୩୫୦୦ ଟଙ୍କା କମ କରିବା ମିଶନ ୩୫୦୦ର ଲକ୍ଷ୍ୟ ରହିଛି । ସେଲ କର୍ପୋରେଟ ଅଫିସ ଏବଂ ଏମଟିଆଇ ରାଞ୍ଚିର ଏହି ପ୍ରୟାସ ଅନ୍ତର୍ଗତ ପ୍ରଥମ କାର୍ଯ୍ୟକ୍ରମ ରାଉରକେଲା ଇସ୍ପାତ କାରଖାନାରେ ଅନୁଷ୍ଠିତ ହୋଇଥିଲା । ସେଲର ଅନ୍ୟାନ୍ୟ ସମନ୍ଵିତ ଇସ୍ପାତ କାରଖାନାରେ ଏହି ଧାରାକ୍ରମରେ ଅନୁରୂପ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।
ଚଳିତ ଆର୍ଥିକ ବର୍ଷର ପ୍ରଥମାର୍ଦ୍ଧରେ କାରଖାନାର ବିଭିନ୍ନ ଉପଲବ୍ଧି ଏବଂ ଅସୁବିଧା ସମ୍ପର୍କରେ ଉଲ୍ଲେଖ କରି ଶ୍ରୀ ଚଟ୍ଟରାଜ ଏକ ଫଳପ୍ରଦ ଏକାଉଣ୍ଟିଂ ସିଷ୍ଟମ ଉପଲବ୍ଧ କରିବା ଉପରେ ଗୁରୁତ୍ଵାରୋପ କରିଥିଲେ ଯଦ୍ଦ୍ଵାରା କର୍ମଚାରୀମାନେ ପ୍ରତ୍ୟେକ କାର୍ଯ୍ୟର ବ୍ୟୟ ଉପରେ ପ୍ରଭାବ ସମ୍ପର୍କରେ ସଚେତନ ହୋଇପାରିବେ ଏବଂ ତଦନୁଯାୟୀ କାର୍ଯ୍ୟ କରିପାରିବେ । ସିଇଓ ମାନବ ସମ୍ବଳର ଶ୍ରେଷ୍ଠ ଉପଯୋଗ, ମିଲରେ ୟିଲ୍ଡରେ ଅଧିକ ଉନ୍ନତି, ନିଜସ୍ୱ ବିଦ୍ୟୁତ ଉତ୍ପାଦନ ବୃଦ୍ଧି, ସମସ୍ତ ପ୍ରକଳ୍ପର ସମୟୋପଚିତ ସମାପନ, ପ୍ରକ୍ରିୟା ପରିମାପର ବେଞ୍ଚମାର୍କିଙ୍ଗ ଏବଂ ବହୁ ଅନ୍ୟାନ୍ୟ ବିଷୟ ଉପରେ ମଧ୍ୟ ବିଶେଷ ଗୁରୁତ୍ଵାରୋପ କରିଥିଲେ । ସମୟର ସଦୁପଯୋଗ ଉପରେ ବିଶେଷ ଜୋର ଦେଇ ସିଇଓ କହିଥିଲେ ଯେ, ସମୟ ଅତ୍ୟନ୍ତ ମୂଲ୍ୟବାନ ଅଟେ ଏବଂ ଶ୍ରେଷ୍ଠ ଫଳାଫଳ ହାସଲ ନିମନ୍ତେ ଏହାର ଯଥୋଚିତ ଉପଯୋଗ କରାଯିବା ଆବଶ୍ୟକ ।
ଏଥିପୂର୍ବରୁ ବିତ୍ତ ଓ ଲେଖା ବିଭାଗର ମୁଖ୍ୟ ମହାପ୍ରବନ୍ଧକ, ଶ୍ରୀ ପ୍ରବୀଣ ନିଗମ ସ୍ଵାଗତ ଅଭିଭାଷଣ ପ୍ରଦାନ କରିଥିଲେ । ଏମଟିଆଇ ରାଞ୍ଚିର ଜିଏମ, ଶ୍ରୀ ଏସ କେ ମଲ୍ଲିକ ଏହି କର୍ମଶାଳାର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଉପରେ ଆଲୋକପାତ କରିଥିଲେ । କର୍ପୋରେଟ ଅଫିସ ଅର୍ଥ ବିଭାଗର ମୁଖ୍ୟ ମହାପ୍ରବନ୍ଧକ, ଡକ୍ଟର ଅଶୋକ ପଣ୍ଡା କମ୍ପାନୀର ଆର୍ଥିକ ଦୃଶ୍ୟପଟ୍ଟ ଉପରେ ଏକ ଉପସ୍ଥାପନା ପ୍ରସ୍ତୁତ କରିଥିଲେ । ବିତ୍ତ ଓ ଲେଖା ବିଭାଗର ଡେପୁଟି ମ୍ୟାନେଜର, ଶ୍ରୀ ହରିଶ ଅଗ୍ରୱାଲ ଉଦଘାଟନୀ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ।