- ଓପେକ ପକ୍ଷରୁ ଆୟୋଜିତ ସପ୍ତମ ଆନ୍ତର୍ଜାତିକ ସେମିନାରରେ ଭାରତୀୟ ଦଳର କରିବେ ନେତୃତ୍ୱ
- ସଷ୍ଟେପେନେବଲ ଗ୍ଲୋବାଲ ଏନର୍ଜି ଫ୍ୟୁଚର’ ଉପରେ ଦେବେ କି ନୋଟ ଭାଷଣ
- ଜର୍ମାନୀରେ ଆନ୍ତର୍ଜାତିକ ଯୋଗ ଦିବସରେ ଯୋଗ ଦେବେ
- ଜର୍ମାନୀର ଶିକ୍ଷା ଓ ଗବେଷଣା ବିଭାଗର ମନ୍ତ୍ରୀ ଅଂଜା କାର୍ଲିଚେକଙ୍କ ସହ କରିବେ ଆଲୋଚନା
ନୂଆଦିଲ୍ଲୀ, (ସନ୍ଧାନ ନିୟୁଜ – କେନ୍ଦ୍ର ପେଟ୍ରୋଲିୟମ, ପ୍ରାକୃତିକ ଗ୍ୟାସ, ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅଷ୍ଟ୍ରିଆ ଓ ଜର୍ମାନୀ ଗସ୍ତରେ ଯାଉଛନ୍ତି। ଅଷ୍ଟ୍ରିଆର ଭିଏନା ଠାରେ ଆଗାମୀ ୧୯ରୁ ୨୦ ପର୍ଯ୍ୟନ୍ତ ଅର୍ଗାନାଇଜେସନ ଅଫ ପେଟ୍ରୋଲ ଏକ୍ସପୋର୍ଟିଂ କଂଟ୍ରିଜ (ଓପେକ) ପକ୍ଷରୁ ଆୟୋଜିତ ସପ୍ତମ ଆନ୍ତର୍ଜାତିକ ସେମିନାରରେ ଭାରତୀୟ ଦଳର ନେତୃତ୍ୱ କରିବା ସହ ସ୍ୱତନ୍ତ୍ର ଅତିଥି ଭାବେ ଯୋଗ ଦେବେ।
ଶ୍ରୀ ପ୍ରଧାନଙ୍କର ଏହି ଗସ୍ତ ଏପରି ଗୁରୁତ୍ୱପୂର୍ଣ୍ଣ ସମୟରେ ହେଉଛି ଯେତେବେଳେ ୨୦୧୪ ପର ଠାରୁ ଅଶୋଧିତ ତୈର ଦର ସର୍ବାଧିକ ରହିଛି। ଭାରତ ଓପେକ ଦେଶ ମାନଙ୍କ ଠାରୁ ୮୨ ପ୍ରତିଶତ ଅଶୋଧିତ ତୈଳ, ୭୫ ପ୍ରତିଶତ ପ୍ରାକୃତିକ ଗ୍ୟାସ, ୯୨ ପ୍ରତିଶତ ଏଲପିଜି ଆମଦାନୀ କରିଥାଏ।
ଏହି ସେମିନାରରେ ଶ୍ରୀ ପ୍ରଧାନ ‘ସଷ୍ଟେେନେବଲ ଗ୍ଲୋବାଲ ଏନର୍ଜି ଫ୍ୟୁଚର’ ବିଷୟରେ କି ନୋଟ ଭାଷଣ ପ୍ରଦାନ କରିବେ। ଏହି ସମ୍ମିଳନୀରେ ସାଉଦି ଆରବ, ୟୁଏଇ, ଇରାନ, ୟୁଏଇ ଭଳି ଓପେକ ଦେଶ ମାନଙ୍କ ସହିତ ଋଷ, ଚୀନ, ଓମାନର ଶକ୍ତି ମନ୍ତ୍ରୀ ମାନେ ଯୋଗ ଦେବା ସହ ହାଇଡ୍ରୋକାର୍ବନ କ୍ଷେତ୍ରର ସିଇଓ ତଥା ବିଶେଷଜ୍ଞ ମାନେ ଯୋଗ ଦେବେ।
ଆଗାମୀ ୨୧ ଜୁନରୁ ଶ୍ରୀ ପ୍ରଧାନ ଦୁଇ ଦିନିଆ ଜର୍ମାନୀ ଗସ୍ତରେ ଯିବେ। ୨୧ ଜୁନରେ ଶ୍ରୀ ପ୍ରଧାନ ଜର୍ମାନୀରେ ଆଲେକ୍ଜାଣ୍ଡାର ପ୍ଲାଜ ଠାରେ ଅନ୍ତରାଷ୍ଟ୍ରୀୟ ଯୋଗ ଦିବସରେ ଯୋଗ ଦେବା ସହ ଭାରତୀୟ ଦୂତାବାସ ପକ୍ଷରୁ ବର୍ଲିନ ଠାରେ ଯୋଗକୁ ପ୍ରୋତ୍ସାହିତ କରିବାକୁ ଏକ କାର୍ଯ୍ୟକ୍ରମରେ ଯୋଗ ଦେବେ। ଶ୍ରୀ ପ୍ରଧାନ ଲାପ କମ୍ପାନୀକୁ ପରିଦର୍ଶନ କରିବାକୁ ଯିବେ।
ଶ୍ରୀ ପ୍ରଧାନ ଜର୍ମାନୀର ଭୋକେସନାଲ ଏଜୁକେଶନ ଏଣ୍ଡ ଟ୍ରେନିଂ ପ୍ରଣାଳୀ ସହ ଅବଗତ ହେବେ। ଜର୍ମାନୀର ବର୍ଲିନ ଠାରେ ଥିବା ଚାମ୍ବର ଅଫ କ୍ରାଫ୍ଟସର ପ୍ରଶିକ୍ଷଣ ବ୍ୟବସ୍ଥାକୁ ଅନୁଧ୍ୟାନ କରିବେ ଓ ସିମେନ୍ସର ଦ୍ୱିମୁଖୀ ଭୋକେସନାଲ ଏଜୁକେଶନ ଏଣ୍ଡ ଟ୍ରେନିଂ କେନ୍ଦ୍ର ବୁଲି ଦେଖି ପ୍ରତ୍ୟକ୍ଷ ଅନୁଭୁତି ନେବେ।
ଶ୍ରୀ ପ୍ରଧାନ ଜର୍ମାନୀର ଶିକ୍ଷା ଓ ଗବେଷଣା ବିଭାଗର ମନ୍ତ୍ରୀ ଅଂଜା କାର୍ଲିଚେକଙ୍କ ସହ ୨୨ ତାରିଖ ଦିନ ଆଲୋଚନା କରି ଭୋକେସନାଲ ଶିକ୍ଷା ଓ ଦକ୍ଷତା ସମ୍ପର୍କରେ ଦ୍ୱିପାକ୍ଷିକ ସହଯୋଗ ବୃଦ୍ଧି ଉପରେ ଆଲୋଚନା କରିବେ।
ଏହି ଗସ୍ତ ସମୟରେ କେନ୍ଦ୍ର ପେଟ୍ରୋଲିୟମ, ପ୍ରାକୃତିକ ଗ୍ୟାସ, ଦକ୍ଷତା ବିକାଶ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀ ମାନଙ୍କ ସମେତ ରାଷ୍ଟ୍ରାୟତ ଉଦ୍ୟୋଗ ଆଇଓସିଏଲ, ବିସିଏଲ ଓ ଏଚପିସିଏଲର ସିଏମଡି ତଥା ଏନଏସଡିସିର ସିଇଓ ଶ୍ରୀ ପ୍ରଧାନଙ୍କ ସହ ଏହି ଯାତ୍ରାରେ ସାମିଲ ହେବେ।