ରାଉରକେଲା, ୨୦/୧୦ (ସନ୍ଧାନ ନିଉଜ/ଏସ ନାୟକ ) : ଲୋକଙ୍କ ବାର୍ତାକୁ ଲେଖା ମାଧ୍ୟମରେ ନିଜ ବନ୍ଧୁ, ପରିଜନଙ୍କ ନିକଟରେ ପହଂଚାଇବା ପାଇଁ ସାରା ଦେଶରେ ତତ୍ପର ରହିଛି ଡାକ ବିଭାଗ । ଆଜିର ଡିଜିଟାଲ ଯୁଗରେ ମୋବାଇଲ, ଫେସବୁକ, ହ୍ୱାଟସଅପ୍ ଆଦିର ବହୁଳ ବ୍ୟବହାର ପରେ ବି ଡାକବିଭାଗ ତାର ସ୍ୱତନ୍ତ୍ର ସ୍ଥାନ ବଜାୟ ରଖି ଜନସେବାରେ ନିଜକୁ ତତ୍ପର ରଖିଥିବା ଦେଖିବାକୁ ମିଳିଛି । ମାତ୍ର ଦକ୍ଷିଣ ରାଉରକେଲା ସମେତ ସାରନଗରୀ, ଜଲଦାରେ ଡାକସେବା ସମୟ ସମୟରେ ଅବ୍ୟବସ୍ଥା ମଧ୍ୟରେ ଗତି କରୁଥିବା ଦେଖିବାକୁ ମିଳିଛି । ଡାକସେବାକୁ ନେଇ ଏହି ଅଂଚଳରେ ବସବାସ କରୁଥିବା ବାସିନ୍ଦା ମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇବା ସହ, ସେବାକୁ ନେଇ ବାରମ୍ବାର ଅଭିଯୋଗ ହୋଇ ଆସୁଛି । ଅପରପକ୍ଷରେ କୋରୟର ସେବା ଦକ୍ଷିଣ ରାଉରକେଲା ଅଂଚଳରେ ବର୍ତମାନ ପର୍ଯ୍ୟନ୍ତ ଏତେଟା ଫଳପ୍ରଦ ହୋଇପାରି ନାହିଁ ।
ପ୍ରକାଶ ଥାଉକି, ସାରନଗରୀ ଟାଙ୍ଗରପାଲ୍ଲୀ ଥାନା ନିକଟରେ ରହିଛିି ଏକ ଉପଡାକଘର । ଏହି ଡାକଘର ଉପରେ ସାରନଗରୀ ଅଂଚଳର ୫୦ ହଜାରରୁ ଉର୍ଦ୍ଧ ବାସିନ୍ଦା ନିର୍ଭର କରିଥାନ୍ତି । ମାତ୍ର ବର୍ଷର ବହୁ ସମୟରେ ଏହି ଡାକଘରରେ ଲିଙ୍କଫେଲ୍ ଜନିତ ସମସ୍ୟା ଉପଜୁଥିବାରୁ ଲୋକ ମାନଙ୍କୁ ହଇରାଣ ହରକତର ସମ୍ମୁଖୀନ ହେବାକୁ ପଡିଥାଏ ବୋଲି ବହୁବାର ଅଭିଯୋଗ ହୋଇ ଆସିଛି । ସାରନଗରୀର ଲେବର କଲୋନୀ, ବ୍ରିଟାନିଆ କଲୋନୀ, ଫାୟାର ଫାଇଟିଂ କଲୋନୀ, ମଡର୍ଣ୍ଣ ଇଣ୍ଡିଆ, ଲୋକନାଥ ମାର୍କେଟ, କନଷ୍ଟ୍ରକସନ କଲୋନୀର ବାସିନ୍ଦା ମାନେ ଏହି ଉପଡାକଘର ଉପରେ ନିର୍ଭରଣୀଳ । ମାତ୍ର ଏହି ଉପଡାକଘରରେ ଲୋକ ମାନଙ୍କୁ ସମସ୍ତ ସୁବିଧା ମିଳି ପାରିନଥାଏ ବୋଲି ଅଭିଯୋଗ ହୋଇଛି । ବିଭିନ୍ନ ପ୍ରତିଯୋଗିତା ମୂଳକ ପରୀକ୍ଷାରେ ଫର୍ମ ପୁରଣ ଲାଗି ଉର୍ଦ୍ଧିଷ୍ଟ ଆଇପିଓ ଏହି ଡାକଘରେ ସମୟ ସମୟରେ ଉପଲବ୍ଧ ନଥାଏ । ଯାହା ଫଳରେ ପ୍ରାର୍ଥୀ ମାଡ଼ଙ୍କୁ ନିରାଶ ହୋଇ ଫେରିବାକୁ ପଡେ । ସେମାନେ ଅନ୍ୟ କୌଣସି ଉପାୟ ନପାଇ ସାରନଗରୀରୁ ପ୍ରାୟ ୧୫ କିଲୋମିଟର ଦୂର ଡାକବିଭାଗର ମୁଖ୍ୟ କାର୍ଯ୍ୟାଳୟରୁ ଆଇପିଓ ସଂଗ୍ରହ କରିଥାନ୍ତି । ଏଥପାଇଁ ସେମାନଙ୍କୁ ଅଯଥାରେ ଅର୍ଥ ଓ ସମୟର ମୂଲ୍ୟ ଦେବାକୁ ପଡିଥାଏ । ସେହିପରି ଜଲଦା ଠାରେ ଥିବା ଉପଡାକଘରର ଅବସ୍ଥା ମଧ୍ୟ ପ୍ରାୟ ସମାନ । ଏହି ଡାକଘର ଉପରେ ଜଲଦା ଏ, ବି, ସି, ବ୍ଲକର ବାସିନ୍ଦା ପୂର୍ଣ୍ଣମାତ୍ରାରେ ନିର୍ଭର କରିଥାନ୍ତି । ଏଠାରେ ଲୋକ ମାନେ ଜମା କରୁଥିବା ଟଙ୍କା ମାଚୁ୍ୟରିଟି ହେବା ପରେ ମଧ୍ୟ ପାଇବାକୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡେ ବୋଲି ଅଭିଯୋଗ କରିଛନ୍ତି । ଗତ କିଛି ଦିନ ତଳେ ଏଠାକାର ବାସିନ୍ଦା ମାନେ ଡାକଘରରେ ଲାଗି ରହିଥିବା ଅବ୍ୟବସ୍ଥା ବିରୋଧରେ ଏକଜୁଟ ହୋଇ ଡାକଘର ସମ୍ମୁଖରେ ହୋହାଲ୍ଲା କରିବା ସହ ପୋଷ୍ଟ ମାଷ୍ଟରଙ୍କୁ ଘେରାଓ କରିଥିଲେ । ପରେ ଏହି ଅବବ୍ୟସ୍ଥା ସମ୍ପର୍କରେ ଖବର ପାଇ ଡାକବିଭାଗର ଉପରିସ୍ଥ ଅଫିସର ଘଟଣାସ୍ଥଳରେ ପହଂଚିଥିଲେ । ସେହିପରି ଦକ୍ଷିଣ ରାଉରକେଲାରେ ଥିବା ଡାକଘରେ ମଧ୍ୟ ଅନୂରୂପ ଅବ୍ୟବସ୍ଥା ଲାଗି ରହୁଥିବା ଅଭିଯୋଗ ହୋଇଛି । ଫଳରେ ଏହି ଅଂଚଳରେ ରହୁଥିବା ବରିଷ୍ଠ ନାଗରିକ, ସ୍ୱେଚ୍ଛାସେବୀ ମହିଳା, ଖଟିଖିଆ ଶ୍ରମିକ, ଛାତ୍ରଛାତ୍ରୀ ମାନଙ୍କୁ ଉପଯୁକ୍ତ ଡାକସେବା ମିଳିବାରେ ବଂଚିତ ହେବାକୁ ପଡୁଛି । ଅପରପକ୍ଷରେ ରାଉରକେଲା ସହରରେ ବହୁ ପୂର୍ବରୁ ମାଳମାଳ କୋରିୟର ସେବା ରହିଥିବା ବେଳେ ଦକ୍ଷିଣ ରାଉରକେଲାରେ ଏବେ ପର୍ଯ୍ରନ୍ତ କୌଣସି ହେଲେ କୋରିୟର ସଂସ୍ଥାର ଶାଖା କାର୍ଯ୍ୟାଳୟ ଖୋଲି ପାରିନାହଁ । କେବଳ ଗୋଟିଏ କିମ୍ବା ଦୁଇଟି ଦୋକାନରେ କୋରିୟର ସେବା ମିଳୁଥିଳେ ମଧ୍ୟ, ଅଂଚଳବାସୀଙ୍କ ପାଇଁ ସେତେଟା ଫଳପ୍ରଦ ହୋଇ ପାରୁନଥିବା ସାଧାରଣରେ ଆଲୋଚନା ହେଉଛି । ଫଳରେ ବିଭିନ୍ନ ଜିନିଷ, ଗୁରୁତ୍ୱପୂର୍ଣ୍ଣ କାଗଚପତ୍ର, ଦସ୍ତାବିଜ ଆଦି ପଠାଇବା ପାଇଁ ସାରନଗରୀ ବାସିନ୍ଦା ମାନଙ୍କୁ ଦୂରଗାମୀ ବସ ବସ ଉପରେ ନିର୍ଭର କରିବାକୁ ପଡୁଛି । ଗୋଟିଏ ଛୋଟ ଜିନିଷ ଭୁବନେଶ୍ୱର କି କଟକ ପଠାଇଲେ ୩୦ରୁ ୪୦ ଟଙ୍କା ଦେବାକୁ ପଡୁଛି । ଏଣୁ ଏକ ଜାୁରୀ ସେବା ଭାବେ ପରିଗଣିତ ଡାକସେବାରେ ସୁଧାର ଆଣିବାକୁ ସାଧାରଣରେ ଦାବି ହୋଇଛି ।