ରାଉରକେଲା, ୧୭/୧୦ (ସନ୍ଧାନ ନିଉଜ) : ରାଉରକେଲା ଇସ୍ପାତ କାରଖାନାର ଲୋକ ସମ୍ପର୍କ ବିଭାଗର ୟୁନିଟ ରାଜଭାଷା ବିଭାଗ ଦ୍ଵାରା ଅକ୍ଟୋବର ୧୨ ତାରିଖରେ ସିଭିକ ସେଣ୍ଟରଠାରେ ଆୟୋଜିତ ନାଟକ ସନ୍ଧ୍ୟାରେ କର୍ମଚାରୀଙ୍କ ଦ୍ଵାରା ମଞ୍ଚସ୍ଥ ଦୁଇଟି ନାଟକ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲା। କଳାକାରମାନଙ୍କର ନିଖୁଣ ଅଭିନୟ, ସୂକ୍ଷ୍ମ ଆକର୍ଷଣୀୟ ମଞ୍ଚସଜ୍ଜା ଏବଂ ଉତ୍ସାହୀ ଦର୍ଶକ ମଞ୍ଚସ୍ଥ ନାଟକରେ ପରିବେଶକୁ ରୋମାଞ୍ଚିତ କରିଥିଲା। ଆରଏସପିର ସିଇଓ, ଶ୍ରୀ ଦୀପକ ଚଟ୍ଟରାଜ ମୁଖ୍ୟ ଅତିଥି ରୂପେ ଯୋଗଦେଇଥିଲେ। ଏହି ଅବସରରେ ଦୀପିକା ମହିଳା ସଂଘତିର ଅଧ୍ୟକ୍ଷା ତଥା ଇଣ୍ଟର୍ଣ୍ଣାଲ ଅଡିଟ ବିଭାଗର ଜିଏମ, ଶ୍ରୀମତୀ ରାକା ଚଟ୍ଟରାଜ, କାର୍ମିକ ଓ ପ୍ରଶାସନ ବିଭାଗର ଇଡ଼ି, ଶ୍ରୀ ରାଜ ବୀର ସିଂହ, କାର୍ଯ୍ୟ ବିଭାଗର ଇଡ଼ି, ଶ୍ରୀ ଗୌତମ ବାନାର୍ଜୀ, ଦୀପିକା ମହିଳା ସଂଘତିର ଉପାଧ୍ୟକ୍ଷା, ଶ୍ରୀମତୀ ସୁମନ ଲତା, ଶ୍ରୀମତୀ ଅନୁରାଧା ବାନାର୍ଜୀ, ଚିକିତ୍ସା ଓ ସ୍ୱାସ୍ଥ୍ୟସେବା ବିଭାଗର ଭାରପ୍ରାପ୍ତ ନିର୍ଦ୍ଦେଶକ, ଡାକ୍ତର ଏସ ଏସ ପତି, ଆରଏସପିର ବହୁ ବରିଷ୍ଠ ଅଧିକାରୀ ଏବଂ ବହୁ ସଂଖ୍ୟାରେ ନାଟକ ପ୍ରେମୀ ଉପସ୍ଥିତ ଥିଲେ।
ଅତିଥିମାନେ ପ୍ରଦୀପ ପ୍ରଜ୍ଜ୍ଵଳନ କରି ଉତ୍ସବର ଉଦଘାଟନ କରିଥିଲେ। ପ୍ରଥମେ ‘ଗ୍ୟାବ୍ରିଡନ’ ନାମକ ଏକ ହିନ୍ଦୀ ନାଟକ ମଞ୍ଚସ୍ଥ ହୋଇଥିଲା। ଏହାର ମୂଳ ରଚନା ଡକ୍ଟର ପ୍ରଦୀପ ଭୌମିକ କରିଥିବା ବେଳେ ନାଟକଟି ଓବିବିପି ବିଭାଗର ଶ୍ରୀ ଆଲୋକ ଜେନାଙ୍କ ଦ୍ଵାରା ଅନୁସୃଜିତ ହୋଇଥିଲା। ଶ୍ରୀ କ୍ଷୀରୋଦ କୁମାର ସାମଲଙ୍କ ଦ୍ଵାରା ନିର୍ଦ୍ଦେଶିତ ଏହି ହିନ୍ଦୀ ନାଟକ, ଜଣେ ଆମେରିକୀୟ ଜ୍ଵାଇଁ କରିବା ନିମନ୍ତେ ଗୋଟିଏ ମଧ୍ୟବିତ୍ତ ଭାରତୀୟ ପରିବାରର ଅତ୍ୟଧିକ ଆଗ୍ରହ ଉପରେ ଆଧାରିତ ଏକ ବ୍ୟଙ୍ଗାତ୍ମକ ନାଟକ ଥିଲା।
ଓଡିଆ ନାଟକ ‘କ୍ଳାନ୍ତ ପକ୍ଷୀ’ରେ କାହାଣୀର ଲେଖା ମାଧ୍ୟମରେ ସମାଜରେ ଅନୁଭୂତ ପରିବର୍ତ୍ତନ ଏବଂ ବିଭିନ୍ନ ମାଧ୍ୟମର ପ୍ରଭାବରେ ମୂଲ୍ୟବୋଧରେ ଅବକ୍ଷୟକୁ ନିଖୁଣ ରୂପେ ପ୍ରଦର୍ଶିତ କରାଯାଇଥିଲା। ଶ୍ରୀ ପ୍ରଭାକର ପାତ୍ରଙ୍କ ରଚିତ ତଥା ଶ୍ରୀ ରମେଶ ଚନ୍ଦ୍ର ମହାନ୍ତିଙ୍କ ନିର୍ଦ୍ଦେଶିତ ଏହି ନାଟକରେ କଳାକାରଙ୍କର ହୃଦୟସ୍ପର୍ଶୀ ଅଭିନୟକୁ ଦର୍ଶକମାନେ ଖୁବ ପ୍ରଶଂସା କରିଥିଲେ।
ଉଭୟ ନାଟକରେ ଅଭିନୟ କରିଥିବା କଳାକାରଙ୍କ ଭୂୟସୀ ପ୍ରଶଂସା କରି ଶ୍ରୀ ଦୀପକ ଚଟ୍ଟରାଜ କହିଥିଲେ ଯେ, ସାଂପ୍ରତିକ ସମାଜର ବିଭିନ୍ନ ସମସ୍ୟାଗୁଡିକୁ ନାଟକଗୁଡିକ ନିଖୁଣ ରୂପେ ପ୍ରଦର୍ଶିତ କରିଥିଲା । ସେ ରାଜଭାଷା ୟୁନିଟକୁ ଉଭୟ ହିନ୍ଦୀ ଓ ଓଡିଆରେ ନାଟକ ମଞ୍ଚସ୍ଥ କରିବା ନିମନ୍ତେ ଭୂୟସୀ ପ୍ରଶଂସା କରିଥିଲେ। ରାଜଭାଷା ଓ ମାତୃଭାଷା ଉଭୟ ଉଭୟର ପରିପୂରକ ଅଟନ୍ତି ବୋଲି ସେ ଉଲ୍ଲେଖ କରିଥିଲେ। ବହୁ ସଂଖ୍ୟାରେ ରାଉରକେଲାବାସୀ ଏକ ନାଟକର ଆନନ୍ଦ ନେବା ପାଇଁ ଉପସ୍ଥିତ ଥିବା ଯୋଗୁଁ ସିଇଓ ସେମାନଙ୍କୁ କୃତଜ୍ଞତା ଜଣାଇ କହିଥିଲେ ଯେ, ଆପଣଙ୍କର ପ୍ରୋତ୍ସାହନ ରାଉରକେଲାକୁ ଏକ ସଂସ୍କୃତି ସମ୍ପନ୍ନ ସହର ରୂପେ ଗଢି ତୋଳିଛି ।
ପ୍ରାରମ୍ଭରେ ଲୋକ ସମ୍ପର୍କ ବିଭାଗର ଜିଏମ ତଥା ସଞ୍ଚାରମୁଖ୍ୟ, ଶ୍ରୀ ରମେନ୍ଦ୍ର କୁମାର ସମ୍ପର୍କ ଉପରେ ଗଢା ସ୍ଵରଚିତ ଏକ କବିତା ପାଠ କରିଥିଲେ। ପରିଶେଷରେ ମୁଖ୍ୟ ଅତିଥି କଳାକାରମାନଙ୍କୁ ଉପହାର ପ୍ରଦାନ କରିଥିଲେ। ଦୁଇ ନାଟକର ମଧ୍ୟାନ୍ତରରେ ଷ୍ଟିଲ ମେଲ୍ଟିଂ ସପ-୧ ବିଭାଗର ଶ୍ରୀ ତ୍ରିଲୋଚନ ସ୍ଵାଇଁ ପରିବେଶ ସୁରକ୍ଷା ଉପରେ ଏକ କବିତା ପାଠ କରିଥିଲେ ।
ଲୋକ ସମ୍ପର୍କ ବିଭାଗର ଡ଼ିଜିଏମ, ଶ୍ରୀମତୀ ଅର୍ଚ୍ଚନା ଶତପଥି ସ୍ଵାଗତ ଅଭିଭାଷଣ ପ୍ରଦାନ କରିଥିଲେ । ରାଜଭାଷା ବିଭାଗର ସିନିୟର ମ୍ୟାନେଜର, ସୁଶ୍ରୀ ଲୋଲାଟି ଟପ୍ପୋ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ଏବଂ ଧନ୍ୟବାଦ ଜ୍ଞାପନ କରିଥିଲେ ।



