ନୂଆଦିଲ୍ଲୀ, ୩/୭ (ସନ୍ଧାନ ନିୟୁଜ ) : ମଙ୍ଗଳବାର ଦିନ ଭାରତୀୟ କ୍ରିକେଟ୍ ଟିମ୍ର ବୟୋଜ୍ୟେଷ୍ଠା ସୁପର୍ଫ୍ୟାନ୍ ୮୭ ବର୍ଷୀୟ ଚାରୁଲତା ପଟେଲ୍ଙ୍କ ଫଟୋ ଇଣ୍ଟର୍ନେଟ୍ରେ ଭାଇରାଲ୍ ହେବା ପରେ ତାଙ୍କ ଉଚ୍ଛ୍ୱାସ ବିରାଟ କୋହଲିଙ୍କ ଠାରୁ ଆରମ୍ଭ କରି ହର୍ଷ ଭୋଗ୍ଲେ ଯାଏଁ ସଭିଙ୍କ ମନଜିଣିଛି। ଏବଂ ସେ ତାଲିକାରେ ଆଜି ସାମିଲ ହୋଇଛନ୍ତି ଆନନ୍ଦ ମହିନ୍ଦ୍ରା।
ତାଙ୍କର ନଜର ଲାଗିଲେ କାଳେ ଭାରତ ହାରିଯିବ- ଏଇ କାରଣରୁ ଆନନ୍ଦ ମହିନ୍ଦ୍ରା ଭାରତର ଖେଳ ଦେଖନ୍ତି ନାହିଁ। ଗତ ସନ୍ଧ୍ୟାରେ ସେ ଟୁଇଟ୍ କରିଥିଲେ: ମୋ ବିଶ୍ୱାସ ଅନୁସାରେ, ମୁଁ ଖେଳ ଦେଖୁ ନ ଥିଲି। କିନ୍ତୁ, ଏଇ ମହିଳାଙ୍କୁ ଦେଖିବା ପାଇଁ ମୁଁ ଏବେ ଖେଳ ଦେଖିବି। ସେ ମ୍ୟାଚ୍ ବିଜୟିନୀ ପରି ଦିଶୁଛନ୍ତି…।
ଖେଳ ଦେଖି ସାରିବା ପରେ ଆନନ୍ଦ ମହିନ୍ଦ୍ରା ତାଙ୍କ ଟୁଇଟର୍ରେ ଷ୍ଟାଟସ୍ ରଖିଲେ: ଆଚ୍ଛା, ଶେଷ ଓଭର୍ ଦେଖିଲି ଏବଂ ମୋ ଦେଖିବା ଭଳି ନାଟକ ସେଥିରେ ଥିଲା। ପ୍ରଥମେ ଛାନିଆ କରାଇ ଶେଷକୁ ବିଜୟ ଦ୍ୱାରଦେଶକୁ ନେଉଥିବା ବିଜୟ ହିଁ ଶ୍ରେଷ୍ଠ ବିଜୟ। ସାବାସ୍! ଭାରତ ଆଉ ଜାଣିରଖ ଯେ ଏଇ ମ୍ୟାଚ୍-ବିଜୟୀ ମହିଳାଜଣକ ଯେମିତି ସେମିଫାଇନାଲ୍ ଏବଂ ଫାଇନାଲ୍ ଖେଳରେ ଉପସ୍ଥିତ ରୁହନ୍ତି… ତାଙ୍କୁ ମାଗଣାରେ ଟିକେଟ ଦେବି!’’
ଆନନ୍ଦ ମହିନ୍ଦ୍ରା ଚାରୁଲତାଙ୍କୁ ଟିଭିରେ ଦେଖି ନିଜର ଚଞ୍ଚଳତା କଥା ଟୁଇଟ୍ କରିବା ପରେ ତାଙ୍କର ଜଣେ ପ୍ରସଂଶକ ତାଙ୍କୁ ଟୁଇଟ୍ କଲେ, ଆପଣ କାହିଁକି ତାଙ୍କୁ ସ୍ପନ୍ସର୍ କରୁ ନାହାନ୍ତି?
ଉତ୍ତର ଦେଇ ଆନନ୍ଦ ଲେଖିଲେ, ‘‘ସେ କିଏ ଖୋଜି ବାହାର କର। କଥା ଦେଉଛି ବାକି ଭାରତ ମ୍ୟାଚ୍ ଦେଖିବା ପାଇଁ ତାଙ୍କ ଟିକେଟ୍ର ମୂଲ୍ୟ ମୁଁ ଦେଇ ଦେବି।