ଯାଜପୁର ,୬/୧୧ ଧର୍ମଶାଳା ବ୍ଲକରେ ପ୍ରଭାବଶାଳୀଙ୍କ ଚାପରେ ବହୁ ଗରୀବ ଏବଂ ଦଃୁଖୀ ଲୋକ ସରକାରୀ ଯୋଜନାର ସୁଫଳରୁ ବଂଚିତ ହେଉଛନ୍ତି । ଗରୀବଙ୍କୁ ମିଳୁଥିବା ସୁବିଧା ଓ ସୁଯୋଗ ଧନୀ ଲୋକେ ହଡପ କରୁଛନ୍ତି । ଏହା ବିରୋଧରେ ଲଢେଇ କରୁଥିବା ବି.ଜେ.ଡି ନେତା ସତୀଶ ବିଶ୍ୱାଳଙ୍କ କେସ ଆଧାରରେ ମାନ୍ୟବର ଲୋକାୟୁକ୍ତ ଧର୍ମଶାଳାର ତିନିଜଣ ନିହାତି ଗରୀବ ଲୋକଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗୃହ ପ୍ରଦାନ ପାଇଁ ଆଜି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି । ଧର୍ମଶାଳା ବ୍ଲକ ବଡକାଏମା ପଂଚାୟତର ହଳଧର ପଣ୍ଡାଙ୍କ ପତ୍ନୀ ନୟନା ପଣ୍ଡା ଜଣେ ନିହାତି ଗରୀବ ଲୋକ । ଭଙ୍ଗା କୁଡିଆରେ ଶୀତ କାକର ଓ ଖରାର ଦାଉରେ ଅତି ଦୟନୀୟ ଜୀବନ ବିତାଉଛନ୍ତି । ଏହି ଗରୀବ ବ୍ରାହ୍ମଣ ପରିବାରର ନାମ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗୃହ ପାଇବା ତାଲିକାରେ ସ୍ଥାନ ପାଇଥିଲେ ମଧ୍ୟ ପ୍ରାୟ ୫ ବର୍ଷ ହେଲା ସରକାରୀ ଦଳର କ୍ଷମତାସୀନଙ୍କ ଚାପରେ ତାଙ୍କର ନାମକୁ ବାରମ୍ବାର କାଟି ଦିଆ ଯାଉଛି । ତାଙ୍କର ପରିବାର ମଧ୍ୟ ଶାସକ ବିଜୁ ଜନତା ଦଳର କର୍ମୀ ଏବଂ ମୁଖ୍ୟମନ୍ତ୍ରୀଙ୍କ ଆଗୁଆ ସମର୍ଥକ ଭାବେ ବିଭିନ୍ନ ନିର୍ବାଚନରେ କାର୍ଯ୍ୟ କରିଛନ୍ତି । ଏହାପରେ ବି ସେହି ଶାସକ ଦଳର ନେତାଙ୍କ ଚାପରେ ତାଙ୍କର ଆବାସକୁ କାଟି ଦିଆଯିବା ନେଇ ଏହି ପରିବାର ତରଫରୁ ବର୍ଷକ ପୂର୍ବରୁ ଅଭିଯୋଗ କରାଯାଇ ଥିଲା । ମୁଖ୍ୟମନ୍ତ୍ରୀଙ୍କ ଗରୀବ କଲ୍ୟାଣ ଯୋଜନାର ସଫଳ ରୂପାୟନ ଅଭିଯାନ ଚଲାଇଥିବା ବି.ଜେ.ଡି ନେତା ସତୀଶ ବିଶ୍ୱାଳଙ୍କ ନେତୃତ୍ୱରେ ଗୋଟିଏ ପ୍ରତିନିଧି ଦଳ ନୟନା ପଣ୍ଡାଙ୍କ ଘରେ ପହଂଚିବା ପରେ ଏହା ଗଣମାଧ୍ୟମରେ ପ୍ରମୁଖ ପ୍ରସଙ୍ଗ ହୋଇଥିଲା । ଏଥିନେଇ ସତୀଶ ବାରମ୍ବାର ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ ପରେ ତଦନ୍ତ ହୋଇଥିଲା । ହେଲେ ଧର୍ଢ଼ଶାଳାରେ ବି.ଜେ.ଡି ନାମରେ ଶାସନରେ ଥିବା ଗୋଷ୍ଠୀର ଚାପରେ ଚେପା ହୋଇ ଯାଉଥିବା ପ୍ରଶାସନ ତଦନ୍ତକୁ ବାଟବଣା କରିଥିଲା । ସେହିପରି ଧର୍ମଶାଳାର ଏଣ୍ଡଳବା ପଂଚାୟତ ବିଛାଖଣ୍ଡୀ ଗ୍ରାମରେ ରଙ୍ଗଲତା ସେଠୀଙ୍କ ଘଟଣା ମାନବିକତାକୁ ଦୋହଲାଇ ଦେବା ଭଳି ଘଟଣା । ବିବାହର ମାତ୍ର ଦିନ କେଇଟା ପରେ ରଙ୍ଗଲତାଙ୍କ ସ୍ୱାମୀ ମରିଗଲେ । ପରେ ରଙ୍ଗଲତାଙ୍କ ସାହା ବୋଲି କେହି ନଥିଲେ । ତାଙ୍କର ମୁଣ୍ଡ ଉପରେ ପଲା ପରି ଘରଟିଏ ବି ନଥିଲା । ଗାଁ ଲୋକଙ୍କ ସାହାର୍ଯ୍ୟ କରି ରଙ୍ଗଲତା ପାଇଁ କରିଥିବା ରାସ୍ତା କଡରେ କୁଡିଆଟିରେ ରଙ୍ଗଲତା ପ୍ରାୟ ୪୦ ବର୍ଷ ହେଲା ଜୀବନ ବିତାଉଛି । ବର୍ଷା ଦିନେ ଏହି କୁଡିଆରେ ପାଣି ପଶିଗଲେ ରଙ୍ଗଲତା ଗାଁ ଲୋକଙ୍କ ପିଣ୍ଡାରେ ଶୋଇଥାଏ । ଏଭଳି ଗରୀବଙ୍କୁ ଆବାସ ଯୋଜନାରେ ଗୃହ ନମିଳିବା ନେଇ ସତୀଶ ପ୍ରାୟ ୮ ବର୍ଷ ହେଲା ଲଢେଇ କରୁଛନ୍ତି । ଏଠାରେ ବହୁ ଧନୀ ଲୋକ ଆବାସ ଯୋଜନାରେ ଗୃହ ପାଇଛନ୍ତି । ସତୀଶଙ୍କ ଅଭିଯୋଗ ଆଧାରରେ ଏଥିନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ବାରମ୍ବାର ତଦନ୍ତ ନିର୍ଦ୍ଦେଶ ଆସିଛି । ହେଲେ ପ୍ରତ୍ୟେକ ଥର ତଦନ୍ତ ନିର୍ଦ୍ଦେଶକୁ ଧର୍ମଶାଳା ବ୍ଲକରେ ବିଭିନ୍ନ ଆଳ ଦେଖାଇ ରଙ୍ଗଲତାଙ୍କୁ ଆବାସରୁ ବଂଚିତ କରାଯାଇଛି । ଏହି ବ୍ଲକର ମଧୁପୁରଗଡ ପଂଚାୟତର ମାୟାଧର ସାହୁଙ୍କ ପତ୍ନୀ ଅଂଜନା ସାହୁଙ୍କୁ ରାଜନୈତିକ ଆକ୍ରୋଶରେ ଆବାସ ଯୋଜନାରୁ ବଂଚିତ କରାଯାଇ ଥିଲା । ତାଙ୍କର ନାମ ଆବାସ ପାଇବାକୁ ହୋଇଥିବା ଯୋଗ୍ୟ ତାଲିକାରେ ଥିଲେ ମଧ୍ୟ ବେଆଇନ ଭାବେ ତାଙ୍କର ନାମକୁ କାଟି ଦିଆଯାଇ ଥିଲା । ଏହାର ପ୍ରତିବାଦରେ ସତୀଶ ବାରମ୍ବାର ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ ପରେ ଧର୍ମଶାଳା ବି.ଡି.ଓ ପତ୍ର ନଂ-୩୪୨ ତା୨୯.୧୦.୧୮ ଯାଜପୁର ଜିଲ୍ଲାପାଳଙ୍କୁ ପ୍ରଦାନ କରି ଅଂଜନାଙ୍କ ନାମ ଆବାସ ତାଲିକାରେ ନଥିବାର ଦର୍ଶାଇଥିଲେ । ଧର୍ମଶାଳା ବି.ଡି.ଓଙ୍କ ଏଭଳି ଭୁଲ ରିପୋର୍ଟ ବିରୋଧରେ ସତୀଶ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ବିଭାଗୀୟ ଅଧିକାରୀ ଏବଂ ବିଭାଗୀୟ ସଚିବଙ୍କ ସାକ୍ଷାତ କରି ଅଭିଯୋଗ କରିବା ପରେ ଏକ ଉଚ୍ଚ ସ୍ତରୀୟ ତଦନ୍ତ ହୋଇଥିଲା । ଏହି ତଦନ୍ତ ନେଇ ଡି.ଆର.ଡି.ଏ ପତ୍ର ନଂ-୫୧୯୭ ତା୦୪.୦୯.୧୯ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ପ୍ରଦାନ କରାଯାଇ ଥିଲା । ଏହି ପତ୍ରରେ ଅଂଜନାଙ୍କ ନାମକୁ ବେଆଇନ ଭାବେ ଯୋଗ୍ୟ ତାଲିକାରୁ କାଟି ଦିଆ ଯାଇ ଥିବାର ସ୍ପଷ୍ଟ ଭାବେ ପ୍ରଶାସନ ସ୍ୱୀକାର କରିଥିଲା । ଏହାପରେ ବି ଅଂଜନାଙ୍କୁ ଆବାସ ଯୋଜନାରେ ଗୃହ ପ୍ରଦାନ କରାଗଲା ନାହିଁ । ଏହାର ପ୍ରତିବାଦରେ ସତୀଶ ଲୋକାୟୁକ୍ତରେ କେସ କରିଥିଲେ । ଧର୍ମଶାଳାରେ ମୁଖ୍ୟମନ୍ତ୍ରୀଙ୍କ ଗରୀବ କଲ୍ୟାଣ ଯୋଜନାର ଦୁରୁପଯୋଗ ନେଇ ଅଭିଯୋଗ କରିଥିଲେ । ଏହି କେସ କରାଯିବା ପରେ ଅଂଜନାଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗୃହ ପ୍ରଦାନ କରାଯାଇ ଥିଲା । ଏଥିନେଇ ସୋମବାର ଶୁଣାଣୀ କରି ଲୋକାୟୁକ୍ତ ଏହି ତିନି ଗରୀବଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ତୁରନ୍ତ ଗୃହ ପ୍ରଦାନ ପାଇଁ ଯାଜପୁର ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ପ୍ରଦାନ କରିଛନ୍ତି । ଏହାସହ ଗରୀବଙ୍କ ସ୍ୱାର୍ଥରକ୍ଷା ପାଇଁ ସତୀଶଙ୍କ ପଦକ୍ଷେପକୁ ପ୍ରଶଂସା କରିଛନ୍ତି । ଦଃୁଖୀ
ତଥା ଗରୀବଙ୍କ ସ୍ୱାର୍ଥରକ୍ଷା ଏବଂ ଭ୍ରଷ୍ଟାଚାର ବିରୋଧରେ ସତୀଶଙ୍କ ସାଲିସ ବିହୀନ ନିରନ୍ତର ଲଢେଇକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଛି ।
ଧର୍ମଶାଳାରେ ଗରୀବଙ୍କ ପାଇଁ ସତୀଶଙ୍କ ଲଢେଇ : ଲୋକାୟୁକ୍ତଙ୍କ ନିର୍ଦ୍ଦେଶରେ ଗୃହ ପାଇବେ ତିନି ଗରୀବ
|
November 9, 2023 |



