ତଳସରା ପଞ୍ଚାୟତ କାଦୋପାନି ଗ୍ରାମର ସରକାରୀ ବିଦ୍ୟାଳୟ ଆଜି ମଧ୍ୟ ଅବହେଳିତ

Spread the love

ସୁନ୍ଦରଗଡ ତା;୩୧/୭/୨୦୨୬( ସନ୍ଧାନ ନ୍ୟୁଜ) ସରକାର ଉନ୍ନତ ଶିକ୍ଷା ଏବଂ ସ୍ମାର୍ଟ କ୍ଲାସରୁମ୍ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ, ତୃଣମୂଳ ସ୍ତରରେ ଆଜି ବି ଅନେକ ସରକାରୀ ବିଦ୍ୟାଳୟ ଅବହେଳିତ ଅବସ୍ଥାରେ ପଡ଼ିରହିଛି। ଏଭଳି ଏକ ଅଭାବନୀୟ ଚିତ୍ର ସାମ୍ନାକୁ ଆସିଛି ତଳସରା ପଞ୍ଚାୟତର କାଦୋପାନି ଗ୍ରାମରୁ। ସ୍ୱାଧୀନତାର ଏତେ ବର୍ଷ ପରେ ବି ଏଠାକାର ଶିକ୍ଷାନୁଷ୍ଠାନ ମୌଳିକ ସୁବିଧାରୁ ବଞ୍ଚିତ। ତଳସରା ପଞ୍ଚାୟତ ଅନ୍ତର୍ଗତ କାଦୋପାନି ଗ୍ରାମର ସରକାରୀ ବିଦ୍ୟାଳୟ ସ୍କୁଲ୍ ଅଛି, ହେଲେ ଶିକ୍ଷା ପାଇଁ ପରିବେଶ ନାହିଁ। ବର୍ଷ ବର୍ଷ ଧରି ଏହି ବିଦ୍ୟାଳୟଟି ପ୍ରଶାସନିକ ଅବହେଳାର ଶିକାର ହୋଇଆସୁଛି। ବିଦ୍ୟାଳୟର ଗୃହଗୁଡ଼ିକ ଏବେ ଜରାଜୀର୍ଣ୍ଣ ଅବସ୍ଥାରେ। ଆଜି ମଧ୍ୟ ବିଦ୍ୟାଳୟ ଆଜବେଷ୍ଟସ ଥିବାବେଳେ ଆଜବେଷ୍ଟସ ଫାଟି ବର୍ଷା ସମୟରେ ଅନବରତ ପାଣି ଗଳୁଛି। ବର୍ଷା ଦିନେ ପରିସ୍ଥିତି ଆହୁରି ଗମ୍ଭୀର ହୋଇପଡ଼େ, ଯେଉଁଥିପାଇଁ ପିଲାମାନଙ୍କୁ ଭୟ ମଧ୍ୟରେ ପାଠ ପଢିବାକୁ ପଡୁଛି। ସରକାର ବିଭିନ୍ନ ଜାଗାରେ ସ୍ମାର୍ଟ ସ୍କୁଲର ଉଦାହରଣ ଦେଉଥିବାବେଳେ କାଦୋପାନି ଗ୍ରାମର ବିଦ୍ୟାଳୟ ଶିକ୍ଷା ବିକାଶ ର ଗାଥା ର ଏକ ଉଦାହରଣ ।ବର୍ଷ ବର୍ଷ ଧରି ଛାତ୍ରଛାତ୍ରୀ ଭୟରେ ପାଠ ପଢୁଥିବା ପ୍ରକାଶ କରିଥିବା ସୂଚନା ରହିଛି ।କେବଳ ଶ୍ରେଣୀ ଗୃହ ନୁହେଁ, ଏଠାରେ ମୌଳିକ ସୁବିଧା କହିଲେ କିଛି ନାହିଁ। ଛାତ୍ରଛାତ୍ରୀଙ୍କ ପାଇଁ ଶୁଦ୍ଧ ପାନୀୟ ଜଳର ବ୍ୟବସ୍ଥା ନାହିଁ କି ବ୍ୟବହାର ଉପଯୋଗୀ ଶୌଚାଳୟ ତଥା ରୋଷେଇ ଘର ମଧ୍ୟ ନାହିଁ। ବିଶେଷ କରି ସ୍କୁଲକୁ ଆସୁଥିବା ଛାତ୍ରୀମାନେ ଶୌଚାଳୟ ଅଭାବରୁ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ, ଏନେଇ ବାରମ୍ବାର ପ୍ରଶାସନ ଓ ବିଭାଗୀୟ ଅଧିକାରୀଙ୍କୁ ଜଣାଇଲେ ମଧ୍ୟ କେହି କର୍ଣ୍ଣପାତ କରୁନାହାନ୍ତି।ଡିଜିଟାଲ୍ ଇଣ୍ଡିଆ ଏବଂ ଶିକ୍ଷାର ବିକାଶ ଡିଣ୍ଡିମ ପିଟୁଥିବା ପ୍ରଶାସନ ପାଇଁ କାଦୋପାନି ଗ୍ରାମର ଏହି ଚିତ୍ର ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। କେବେ ଏହି ଅବହେଳିତ ବିଦ୍ୟାଳୟ ପ୍ରତି ଜିଲ୍ଲା ପ୍ରଶାସନର ଦୃଷ୍ଟି ପଡ଼ିବ ଏବଂ କେବେ କୋମଳମତି ଶିଶୁମାନେ ଏକ ସୁରକ୍ଷିତ ତଥା ସୁସ୍ଥ ପରିବେଶରେ ପାଠ ପଢିପାରିବେ, ତାହା ଦେଖିବାକୁ ବାକି ରହିଲା।

Related Posts

About The Author

Add Comment