ଡ୍ରେନେଜ ବିଭାଗ ପକ୍ଷରୁ ଚାରିବାଟିଆ ଠାରେ ନିର୍ମାଣଧିନ ବ୍ରିଜକାର୍ଯ୍ୟ ନିମ୍ନ ମାନର

Spread the love

     ଦିନ ୩ ଟା ପର୍ଯ୍ୟନ୍ତ ଖରାରେ ଶ୍ରମିକ କରୁଛନ୍ତି କାର୍ଯ୍ୟ

    ଶ୍ରମ ଆଇନର ଉଲଂଘନ କରି ଠିକା ସଂସ୍ଥା କରୁଛି କାର୍ଯ୍ୟ

    ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି

ଯାଜପୁର ସଦର, : ୧୭/୪/୨୬ (ସନ୍ଧାନ ନ୍ୟୁଜ )  ଦଶରଥପୁର ବ୍ଲକ ବିରିପଟା ପଞ୍ଚାୟତସ୍ତ  ଚାରିବାଟିଆ ଗ୍ରାମ ନିକଟ ଦେଇ  ଡ୍ରେନେଜ ବିଭାଗ ପକ୍ଷରୁ  ଖୋଳା ଯାଇଥିବା  ଚାଷୀନାଳ ଉପରେ ବିଭାଗ ପକ୍ଷରୁ  ନିର୍ମାଣ ଧିନ  ବ୍ରିଜ କାର୍ଯ୍ୟ ଅତ୍ୟନ୍ତ ନିମ୍ନ ମାନର ଭାବେ କରାଯାଉ ଥିବା ନେଇ ସ୍ଥାନୀୟ ଜନସାଧାରଣଙ୍କ ପକ୍ଷରୁ ଅଭିଯୋଗ ହୋଇଛି | ବ୍ରିଜ   ନିର୍ମାଣ କାର୍ଯ୍ୟ ନିମ୍ନ ମାନର ହେଉଥିବା ନେଇ ସ୍ଥାନୀୟ ଲୋକେ  ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ ଏଥିପ୍ରତି ବିଭାଗୀୟ ଅଧିକାରୀ ଆଦୌ ଗୁରୁତ୍ୱ ଦେଇନଥିବା ବେଳେ କାର୍ଯ୍ୟ ସ୍ଥଳକୁ ବିଭାଗୀୟ ଜେଇ ଆଦୌ ଆସୁନଥିବା ନେଇ ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି | କାର୍ଯ୍ୟରେ  ଅତ୍ୟନ୍ତ ନିମ୍ନ ମାନର ସିମେଣ୍ଟ ବ୍ୟବହାର କରାଯାଉଥିବା ବେଳେ ମାଟିମିଶା ବାଲିରେ ଢ଼ଳେଇ କାର୍ଯ୍ୟ କରାଯାଉ ଥିବା ନେଇ ଅଭିଯୋଗ ହୋଇଛି | ସେହିପରି ଢ଼ଳେଇ କାର୍ଯ୍ୟରେ ନିୟମ ଅନୁଯାଇ ସିମେଣ୍ଟ ଦିଆଯାଉ ନଥିବା ବେଳେ  ସିମେଣ୍ଟ ତୁଳନାରେ ବାଲି ଓ ଚିପ୍ସ ଅଧିକ ପରିମାଣରେ ଦିଆ ଯାଉଥିବା ନେଇ ଅଭିଯୋଗ ହୋଇଛି | ଏହି ବ୍ରିଜଟି ମୁଖ୍ୟ ରାସ୍ତା ଠାରୁ ପ୍ରାୟ ୧ କିମି ଚାଷ ଜମି ଭିତରେ ହେଉଥିବାରୁ   ସବୁ ସମୟରେ ଗ୍ରାମବାସୀ ମାନେ କାର୍ଯ୍ୟ ଉପରେ ନଜର ଦେଇ ପାରୁନଥିବାରୁ  ଠିକାଦାର ଜଣକ ନିଜର ଇଛା ମୁତାବକ କାର୍ଯ୍ୟ କରିବା ସହ ଅତ୍ୟନ୍ତ ନିମ୍ନ ମାନର କାର୍ଯ୍ୟ କରୁଥିବା ଦେଖିବା ପାଇଁ ମିଳିଛି | ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି କାର୍ଯ୍ୟ ସ୍ଥଳକୁ ଠିକାଦାର ଜଣକ ଆଦୌ ଆସୁନଥିବା ବେଳେ ସୁପର ଭାଇଜର ଉପରେ କାର୍ଯ୍ୟ ନେସ୍ତ କରିଦେଇ ଅଚିନ୍ତାରେ ଠିକାଦାର | ସୁପର ଭାଇଜର ଜଣକ ଲାଭଖୋର ନିତି ଆପଣେଇ ମନଇଚ୍ଛା କାର୍ଯ୍ୟ କରିବା ସହ  କାର୍ଯ୍ୟ ଅତି ନିମ୍ନ ମାନର ଭାବେ କରିବା ସହ ସ୍ଥାନୀୟ ଚାଷୀ ମାନଙ୍କ କଥା ଶୁଣୁ ନଥିବା ନେଇ ଚାଷୀ ମାନଙ୍କ ପକ୍ଷରୁ ଅଭିଯୋଗ ହୋଇଛି | ଏପରିକି କାର୍ଯ୍ୟ ଏତେ ନିମ୍ନ ମାନର ହେଉଥିବାରୁ ଏହି ବ୍ରିଜର ସ୍ଥାୟିତ୍ୱ ନେଇ ଚାଷୀ ମାନେ ଚିନ୍ତା ପ୍ରକଟ କରିଛନ୍ତି | ସେହିପରି ସ୍ଥାନୀୟ ଜନସାଧାରଣ ଓ ଚାଷୀ ମାନଙ୍କ ପକ୍ଷରୁ ନିର୍ମାଣ ଧିନ ବ୍ରିଜ କାର୍ଯ୍ୟ ଅତ୍ୟନ୍ତ ନିମ୍ନ ମାନର ଭାବେ କରାଯାଉଛି ବୋଲି ବାରମ୍ବାର ଅଭିଯୋଗ ହେବା ପରେ ଆଜି ବିଭାଗୀୟ ଜେଇ କାର୍ଯ୍ୟ ସ୍ଥଳକୁ ଦିନ ପ୍ରାୟ ୧ ଟା ସମୟରେ ଯାଇଥିବା ବେଳେ  ସ୍ଥାନୀୟ ଲୋକ ମାନଙ୍କୁ ଦେଖି ଜେଇ କାର୍ଯ୍ୟ ସ୍ଥଳରୁ ବାଇକ ନେଇ  ଚମ୍ପଟ ମାରିଥିଲେ | ଜେଇଙ୍କୁ ଅଟକାଇବା ପାଇଁ ଗ୍ରାମବାସୀ ମାନେ ଚେଷ୍ଟା କରିଥିଲେ ମଧ୍ୟ କୌଶଳ କ୍ରମେ ଜେଇ ଜଣକ କାର୍ଯ୍ୟ ସ୍ଥଳରୁ ପଳାଇ ଆସିଥିଲେ | ଯାହାକୁ ନେଇ ସ୍ଥାନୀୟ ଚାଷୀ ଓ ଗ୍ରାମବାସୀଙ୍କ ମଧ୍ୟରେ ତିବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା | ସେହିପରି ବର୍ତ୍ତମାନ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଆରମ୍ଭ ହୋଇଯାଇ ଥିବା ବେଳେ  ନିୟମ ଅନୁଯାଇ ଶ୍ରମିକ ମାନେ ସକାଳ ୬ ଟାରୁ ଦିନ ୧୧ ଟା ଓ ଦିନ ୩ ଟାରୁ ସନ୍ଧ୍ୟା ୫ ଟା ପର୍ଯ୍ୟନ୍ତ କାମ କରିବା କଥା | ମାତ୍ର ଏହି ବ୍ରିଜ ନିର୍ମାଣ କ୍ଷେତ୍ରରେ ଠିକାଦାର ଜଣକ ଏହି ନିୟମକୁ ଖୋଲା ଖୋଲି ଭାବେ ଉଲ୍ଲଙ୍ଘନ କରି ସକାଳ ୭ ଟାରୁ ଦିନ ୩ ଟା ପର୍ଯ୍ୟନ୍ତ ଶ୍ରମିକ ମାନଙ୍କ ଦ୍ୱାରା କାର୍ଯ୍ୟ କରାଉ ଥିବା ନେଇ ଦେଖିବା ପାଇଁ ମିଳିଛି | ଯାହା ଶ୍ରମ ଆଇନର ଖୋଲା ଖୋଲି ଉଲଂଘନ ବୋଲି ଅଭିଯୋଗ ହୋଇଛି | ଠିକାଦାର ବେଆଇନ ଭାବେ ଶ୍ରମିକ ମାନଙ୍କୁ ଖରାରେ କାର୍ଯ୍ୟ କରାଉ ଥିବାରୁ ଏହାର ତଦନ୍ତ କରି ଡିଷ୍ଟ୍ରିଟ ଲେବର ଅଫିସର କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି | ଠିକାଦାରଙ୍କୁ ଏ ସମ୍ପର୍କରେ ଯୋଗାଯୋଗ କରିବାରୁ ଆମ ପାଖକୁ ସେମିତି କିଛି ଚିଠି କି ମେସେଜ ଆସିନାହିଁ ତେଣୁ ଆମେ ଶ୍ରମିକ ମାନଙ୍କୁ କାର୍ଯ୍ୟ କରାଉଛୁ  ଓ ଆମ ପାଖକୁ ଖବର ଆସିଲେ ଆମେ ଆଉ ଖରାରେ କାର୍ଯ୍ୟ କରାଇବୁ ନାହିଁ ବୋଲି କହିଥିଲେ | ଏ ସମ୍ପର୍କରେ ବିଭାଗୀୟ ଜେଇଙ୍କୁ ପଚାରିବାରୁ  ଆମେ ଶ୍ରମିକ ମାନଙ୍କୁ ଖରାରେ ଦିନ ୧୧ ଟା ପରେ କାର୍ଯ୍ୟ ନକରିବା ପାଇଁ କହିଛୁ  ଅଭିଯୋଗ ଆସିଲେ ମୁଁ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବି ବୋଲି କହିଥିଲେ | ଠିକାଦାର ଓ ଜେଇଙ୍କ କଥାରେ ସଠିକ ତାଳ ମେଳ ରହୁନଥିବା ବେଳେ  ଶ୍ରମିକ ମାନେ ବଳି ପଡୁଛନ୍ତି ବୋଲି ସାଧାରଣରେ ଅଭିଯୋଗ ହୋଇଛି | ତେବେ ଏହି ବ୍ରିଜ ନିର୍ମାଣରେ ହୋଇଥିବା ଅନିୟମିତତାର ତଦନ୍ତ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ସାଧାରଣରେ ଦାବି ହୋଇଛି।

Related Posts

About The Author

Add Comment